ବିଶ୍ୱ ଓଡ଼ିଶୀ ଉତ୍ସବ ଉଦ୍‌ଘାଟିତ, ନାଚିବେ ୧୫ଟି ଦେଶର ଶିଳ୍ପୀ

ଭୁବନେଶ୍ବର,: ଦିନ ସାରା ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦରେ ପ୍ରେକ୍ଷାଳୟ ଗୁଞ୍ଜରିତ ହେଉଥିଲା। କେବଳ ଓଡ଼ିଆ ନୃତ୍ୟଶିଳ୍ପୀ ନୁହନ୍ତି, ବିଦେଶୀମାନଙ୍କ ହାତର ମୁଦ୍ରା ଓ ପାଦର ଛାନ୍ଦ ବି ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଓଡ଼ିଆ କଥା ପରମ୍ପରାକୁ ବୟାନ କରୁଥିଲା। ଅବସର ଥିଲା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜିଠାରୁ ଆୟୋଜିତ ହୋଇଥିବା ତିନିଦିନିଆ ‘ବିଶ୍ବ ଓଡ଼ିଶୀ ଉତ୍ସବ’ର ଉଦ୍‌ଘାଟନୀ ଉତ୍ସବର।

‘ସାଂସ୍କୃତିକୀ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଚଳିତ ବର୍ଷ ଗୋଟିପୁଅ ନୃତ୍ୟଶିଳ୍ପୀ ସ୍ୱର୍ଗତ ଗୁରୁ ବୀରବର ସାହୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ଉତ୍ସବରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ୧୫ଟି ଦେଶର ୩୦୦ରୁ ଊର୍ଧ୍ବ କଳାକାର। ଯେଉଁଥିରେ ବାଂଲାଦେଶ, ହଙ୍ଗେରୀ, ଜର୍ମାନ, ଇଟାଲୀ, ଜାପାନ, ଋଷିଆ, ସିଙ୍ଗାପୁର, ଆମେରିକା, ୟୁକେ, ନେଦରଲ୍ୟାଣ୍ଡ୍, ସୁଇଜରଲ୍ୟାଣ୍ଡ୍, ଚୀନ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ସମେତ ଭାରତର ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତ୍ରିପୁରା, ଉତ୍ତରପ୍ରଦେଶ, ତାମିଲନାଡୁ, ପୁଡ଼ୁଚେରୀ, କେରଳ, ଦିଲ୍ଲୀ ଏବଂ ଓଡ଼ିଶାର ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରିଛନ୍ତି । ଆଜିର ଉଦ୍‌ଘାଟନୀ ଉତ୍ସବରେ ବହୁ କନିଷ୍ଠ ଓ ବରିଷ୍ଠ କଳାକାରମାନେ ମଞ୍ଚରେ ସେମାନଙ୍କ କଳା ନୈପୁଣ୍ୟତାକୁ ପ୍ରଦର୍ଶନ କରିଥିଲେ।

ଆଜିର ପ୍ରଥମ ସନ୍ଧ୍ୟା ଆରମ୍ଭ ହୋଇଥିଲା ମାଲେସିଆର ଇନ୍ଦ୍ରାଣୀ ଡ୍ୟାନ୍ସ୍ ଏକାଡେମିର ନିର୍ଦ୍ଦେଶିକା ଇନ୍ଦ୍ରାଣୀଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଦଳଗତ ନୃତ୍ୟ ପରିବେଷଣରୁ। ଏହାପରେ ଜୟାତି ବସୁଙ୍କ ଦ୍ୱାରା ‘ଦୁର୍ଗାସ୍ତୁତି’ ମଞ୍ଚସ୍ଥ ହୋଇଥିଲା । ପରେ ପରେ ଆମେରିକାରୁ ଆସିଥିବା ନୃତ୍ୟଶିଳ୍ପୀ କୌଉସ୍ତଭୀ ସରକାରଙ୍କ ଦ୍ୱାରା ଅଷ୍ଟପଦୀରେ ‘ସଖୀ ହେ’ ପରିବେଷିତ ହୋଇଥିଲା। ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ତ୍ରିଧାରା ନୃତ୍ୟାନୁଷ୍ଠାନ ପକ୍ଷରୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶନାରେ ଦଳଗତ ମଙ୍ଗଳାଚରଣରେ ‘ଲକ୍ଷ୍ମୀ-ନୃସିଂହ ଧ୍ୟାନ’ ଓ ରାମ ଭଜନ ଓଡ଼ିଶୀ ନୃତ୍ୟ। ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ସଙ୍ଗୀତା ଗୋସାଇଁ, ରୀନା ରାଉତରାୟ, ପଦ୍ମଶ୍ରୀ ଅରୁଣା ମହାନ୍ତି, ଏସ୍.କେ ତାମୋଟିଆ, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ କସ୍ତୁରୀ ପଟ୍ଟନାୟକ, ଗୁରୁ ରାମହରି ଦାସ, କେଦାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ୟାମହରି ଚକ୍ର। ଉତ୍ସବ ଅବସରରେ ‘ବର୍ତ୍ତମାନର ଓଡ଼ିଶୀ: ବିବିଧତା ଓ ସମ୍ଭାବନା’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସୂର୍ଯ୍ୟାଂଶୀ ମିଶ୍ର, ଅରୁସ୍ମିତା ଆଚାର୍ଯ୍ୟନ୍ ଏବଂ ଶୁଭମ୍ ଓଝା ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର