ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ‘ବିଶ୍ୱ ବାନର ଦୁନିଆ’(ନବକଳେବର ମାଙ୍କଡ଼ ଖୁଆଡ଼) ଉଦ୍ଘାଟିତ ହୋଇଛି। ଏଠାରେ ଏକ ସୁନ୍ଦର ପରିବେଶରେ ସାତ ପ୍ରଜାତିର ମାଙ୍କଡ଼ଙ୍କୁ ରଖାଯାଇଛି। ଏହି ନୂଆ ଖୁଆଡ଼ ପାଇଁ ୧କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ୧୩୬୬୫.୨୦ ବର୍ଗ ଫୁଟ୍ ଜାଗାରେ ବିଶ୍ବସ୍ତରୀୟ ଢାଞ୍ଚାରେ ନବକଳେବର ହୋଇଥିବା ଏହି ବହୁ ପ୍ରକୋଷ୍ଠ ବିଶିଷ୍ଟ ବିଦେଶାଗତ ମାଙ୍କଡ଼ ଖୁଆଡ଼ରେ ୧୮ଟି ଖୁଆଡ଼ ଏବଂ ପଛପାଖକୁ ଲାଗି ପ୍ରାକୃତିକ ପରିବେଶରେ ବିଚରଣ କରିବା ଭଳି ୧୦ଟି ବାଡ଼ ଦ୍ବାରା ଆବଦ୍ଧ କୁଟୀର ରହିଛି। କଟନ୍ ଟପ୍ ତାମାରିନ୍, ସୁବର୍ଣ୍ଣ ହାତ ତାମରିନ୍, ସିଆମଙ୍ଗ୍, ବ୍ଲାକ ଟଫେଡ୍ ମାର୍ମୋସେଟ୍, ଜିଓଫ୍ରୋୟସ୍ ମାର୍ମୋସେଟ୍ ଭଳି ବିଦେଶୀ ମାଙ୍କଡ଼ମାନେ ଏଠାରେ ରହୁଛନ୍ତି। ଏବେ ନନ୍ଦନକାନନରେ ୧୦ ପ୍ରଜାତିର ବିଦେଶୀ, ୫ ପ୍ରଜାତିର ସ୍ୱଦେଶୀ ମାଙ୍କଡ଼ଙ୍କୁ ମିଶାଇ ମୋଟ ୧୭୫ ମାଙ୍କଡ଼ ଅଛନ୍ତି।
ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଏହି ଖୁଆଡ଼କୁ ଉଦ୍ଘାଟନ କରିଥିଲେ। ଏଠାରେ ଥିବା ମାଙ୍କଡ଼ ପର୍ଯ୍ୟଟକଙ୍କୁ ପୂର୍ବାପେକ୍ଷା ଅଧିକ ଆକର୍ଷିତ କରିବା ସହ ନନ୍ଦନକାନନର ଖ୍ୟାତି ବଢ଼ାଇବ ବୋଲି ସେ କହିଥିଲେ। ପିସିସିଏଫ୍ ସୁଶାନ୍ତ କୁମାର ନନ୍ଦ କହିଲେ, ଏହି ୭ ପ୍ରଜାତିର ବିଦେଶୀ ମାଙ୍କଡ଼ମାନଙ୍କୁ ବିଭିନ୍ନ ଘରୋଇ ସଂସ୍ଥା ଦାନସୂତ୍ରରେ ପ୍ରଜନନ ପାଇଁ ନନ୍ଦନକାନନକୁ ଦେଇଛନ୍ତି। ଏଠାରେ ମଧ୍ୟ ପ୍ରଜନନ ବଢ଼ିବାର ସମ୍ଭାବନା ରହିଛି। ଆଗକୁ ଆହୁରି ଚାରି ପ୍ରଜାତିର ମାଙ୍କଡ଼ ଆଣିବାକୁ ଯୋଜନା ରହିଛି। ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି ନାୟର, ଉପନିର୍ଦ୍ଦେଶକ ସନଥ କୁମାର ନାରୟଣ, ପରିଚାଳନା ବିଭାଗ ଏସିଏଫ୍ ରଶ୍ମି ରଞ୍ଜନ ସ୍ୱାଇଁ ଓ ଜନ୍ତୁ ବିଭାଗ ଅଧିକାରୀ ନୂତନ କୁମାର ହେମ୍ବ୍ରମ୍ଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମେରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/11/PjHFrZ0Lpl7Iilgm4vZV.jpg)
