ଏମ୍‌ସରେ ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ: ୫୦ ପରେ ଆକ୍ରାନ୍ତ ହେଉଛନ୍ତି ୩୦ % ରୋଗୀ

୩ ଶହ ଲୋକଙ୍କ ମାଗଣା ଅସ୍ଥି ସାନ୍ଧ୍ରତା ଯାଞ୍ଚ

ଭୁବନେଶ୍ୱର: ୫୦ ବର୍ଷ ଡେଇଁବା ପରେ ଅଷ୍ଟିଓପୋରୋସିସ୍ ବା ପୋଲା ହାଡ଼ ଏକ ସାଧାରଣ ସମସ୍ୟା। ଏହି ବୟସ ଅତିକ୍ରାନ୍ତ ହେବା ପରେ ପ୍ରାୟ ୩୦ ପ୍ରତିଶତ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅତ୍ୟଧିକ ଷ୍ଟେର୍‌ଏଡ୍ ବ୍ୟବହାର କାରଣରୁ କୋଭିଡ୍ ପରବର୍ତ୍ତୀ ସମୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଏମ୍‌ସରେ ପାଳିତ ହୋଇଥିବା ‘ବିଶ୍ୱ ଅଷ୍ଟିଓପୋରୋସିସ୍ ଦିବସ’ରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍‌ସ ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଓପିଡି ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଏବଂ ଡିନ୍ ପ୍ରଫେସର ପ୍ରଶାନ୍ତ ରାଘବ ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ।

ଏହି ରୋଗରେ ଆକ୍ରାନ୍ତ ହେଲେ ପିଠି, ଆଣ୍ଠୁ ଯନ୍ତ୍ରଣା ହୋଇଥାଏ। ଅଳ୍ପ ଆଘାତ ଦ୍ବାରା ମଧ୍ୟ ହାଡ଼ ଭାଙ୍ଗିଯାଇଥାଏ। ଏଥିରୁ ରକ୍ଷା ପାଇବାକୁ ହେଲେ ନିୟମିତ ବ୍ୟାୟାମ, ଉପଯୁକ୍ତ ଖାଦ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ୍ ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି। ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ଡା. ସୁଜିତ କୁମାର ତ୍ରିପାଠୀ, ସହକାରୀ ପ୍ରଫେସର୍ ଡା. ଗୁଞ୍ଜର ଜୈନ, ଡା. ଗୁରୁଦୀପ ଦାସ, ଡା. ସାୟନ୍ତନ୍ ରାୟ (ଏଣ୍ଡୋକ୍ରାଇନୋଲୋଜି), ସିନିୟର୍‌ ରେସିଡେଣ୍ଟ୍‌ ଡା. ହୃଦେଶ୍ୱର ବେହେରା, ଡାଏଟିସିଆନ୍‌ ଡା. ସୌମ୍ୟାସୁଚରିତା ପୃଷ୍ଟି ପ୍ରମୁଖ ଏହି ରୋଗର ପ୍ରକାର ଭେଦ, ନିରାକରଣ, ଜୀବନଶୈଳୀରେ ପରିବର୍ତ୍ତନ, ସୁଷମ ଖାଦ୍ୟ ଗ୍ରହଣ ଆଦି ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଲୋକ ଯୋଗ ଦେଇଥିଲେ। ସମସ୍ତଙ୍କର ମାଗଣା ଅସ୍ଥି ମିନେରାଲ୍ ସାନ୍ଧ୍ରତା ଯାଞ୍ଚ କରାଯାଇଥିଲା। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଏପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିବାରୁ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର