ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଯାଇଛି ‘ବିଶ୍ୱ ବଜ୍ରକାପ୍ତା ଦିବସ’। ସଭ୍ୟତାର ବିକାଶ ସହିତ ଦିନକୁ ଦିନ କିଛି ପ୍ରାଣୀଙ୍କ ବଂଶ ଲୋପ ପାଇବାକୁ ବସିଛି। ଏପରି ଏକ ତାଲିକାରେ ସାମିଲ ହୋଇଛି ବଜ୍ରକାପ୍ତା। ବିଲୁପ୍ତପ୍ରାୟ ବଜ୍ରକାପ୍ତାଙ୍କ ସୁରକ୍ଷା ଓ ବଂଶ ରକ୍ଷା ପାଇଁ ସଚେତନତା ଲୋଡ଼ା। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ବର୍ଷଠାରୁ ଫେବ୍ରୁଆରି ମାସ ୧୭ ତାରିଖକୁ ‘ବିଶ୍ୱ ବଜ୍ରକାପ୍ତା ଦିବସ’ ପାଳନ କରାଯାଉଛି। ଆଜି ଦ୍ୱିତୀୟ ବାର୍ଷିକ ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଓ୍ଵର୍ଲଡ୍ ଓ୍ଵାଇଲ୍ଡଲାଇଫ୍ ଫଣ୍ଡ୍ର (ଡବ୍ଲ୍ୟୁଡବ୍ଲ୍ୟୁଏଫ୍)ର ଓଡ଼ିଶା ସଂଯୋଜକ ମାଇକେଲ ପିଟର, ବରିଷ୍ଠ ପ୍ରାଣୀ ଚିକିତ୍ସକ ବଳରାମ ସାହୁ ଓ ନନ୍ଦନକାନନର ପଦାଧିକାରୀମାନେ ବଜ୍ରକାପ୍ତା ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଛଅଟି ବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ‘ବଜ୍ରକାପ୍ତା ସୁରକ୍ଷା’ ସଂପର୍କିତ ଚିତ୍ର ଆଙ୍କିଥିଲେ। ସେମାନଙ୍କ ମଧ୍ୟରୁ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ଗତ ୨୦୦୮ରୁ ନନ୍ଦନକାନନ କର୍ତୃପକ୍ଷ ଲୋପ ପାଇବାକୁ ବସିଥିବା ବଜ୍ରକାପ୍ତାଙ୍କ ପ୍ରଜନନ ଯୋଜନା ହାତକୁ ନେଇଥିଲେ। ଯୋଜନା ମୁତାବକ ବଜ୍ରକାପ୍ତାଙ୍କ ଲାଗି ପ୍ରକୃତିକ ବାସସ୍ଥଳୀ ଭଳି ସ୍ୱତନ୍ତ୍ର ଭୂତଳ ଖୁଆଡ଼ ନିର୍ମାଣ କରାଯାଇଥିଲା। ସେଥିରେ ସିସି କ୍ୟାମେରା ଲାଗାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ୨୦୧୦ରେ ସେଠାରେ ପ୍ରଥମ ପ୍ରଜନନ ସଫଳତାର ସହିତ ହୋଇଥିଲା।
ନନ୍ଦନକାନନରେ ‘ବିଶ୍ୱ ବଜ୍ରକାପ୍ତା ଦିବସ’
/sambad/media/post_attachments/wp-content/uploads/2018/02/barang-nandankanan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)