ଖଣ୍ଡଗିରି: ସ୍ୱାସ୍ଥ୍ୟ କଥା ଚିନ୍ତା କଲାବେଳେ ଫାର୍ମାସିଷ୍ଟମାନଙ୍କ କଥା ଚିନ୍ତା କରିବାକୁ ପଡ଼ିବ। କାରଣ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଠିକ୍ ଅନୁପାତର ଔଷଧ ହିଁ ରୋଗ ଉପଶମ କରିବାରେ ସହାୟକ ହୋଇଥାଏ। ଏଭଳି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତି ଦାସ। ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫାର୍ମାସୀ ବିଭାଗ ପକ୍ଷରୁ ଗୁରୁବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟ ଦିବସ ‘ଏଲିକ୍ଜିର -୨୦୨୫’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ଦାସ କହିଥିଲେ ଯେ ଚିକିତ୍ସା ପଦ୍ଧତିରେ ଡାକ୍ତରମାନଙ୍କ ଦ୍ୱାରା ଲିଖିତ ପ୍ରେସ୍କ୍ରିପ୍ସନ୍ ଅନୁସାରେ ଔଷଧ ପ୍ରଦାନ ଓ ସେଗୁଡ଼ିକ ସେବନ କରିବାର ବିଧି ଫାର୍ମାସିଷ୍ଟମାନେ ହିଁ ବତାଇଥାନ୍ତି।
ନିଷ୍ଠାର ସହ ଏହି କାର୍ଯ୍ୟକୁ ସେମାନେ ତୁଲାଇବା ଦ୍ୱାରା ରୋଗୀ ସୁସ୍ଥ ହୁଏ। କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ମାମିନା ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ ଫାର୍ମାସିଷ୍ଟମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ପ୍ରମୁଖ ଦାୟିତ୍ୱ ବହନ କରିଥାନ୍ତି ବୋଲି କହିଥିଲେ। ସୋଆ ଫାର୍ମାସୀ ବିଭାଗର ମୁଖ୍ୟ ଜସ୍ମିନ୍ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ଅଧୀକ୍ଷକପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ମେଡିକାଲ୍ ଅଧୀକ୍ଷକ ପ୍ରଫେସର ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।