ବିଶ୍ୱ ଡାକ ଦିବସ : କର୍ତବ୍ୟପରାୟଣତା ଓ ସାଧୁତାର ଅନ୍ୟନାମ ଡାକ ସେବା

ଭୁବନେଶ୍ୱର : ଭାରତୀୟ ଜନଜୀବନରେ ଡାକସେବାର ଏକ ଅନନ୍ୟ ଭୂମିକା ରହିଛି। ଏହା କେବଳ ଚିଠି ଦେଣ ନେଣ, ଲଫାପା, ଡାକ ଟିକଟ ବିକ୍ରି କରିନଥାଏ, ସମ୍ପର୍କୀୟଙ୍କୁ ପରସ୍ପର ସହ ଆତ୍ମିକ ଭାବେ ଯୋଡ଼ି ଥାଏ। ଡାକ ବିଭାଗର କର୍ମଚାରୀ ଅନ୍ୟ ସମସ୍ତ ବିଭାଗ କର୍ମଚାରୀଙ୍କଠାରୁ ଭିନ୍ନ। ଅନ୍ୟମାନେ ଶୋଇଥିବା ବେଳେ ଏମାନେ ଚେଇଁଥା’ନ୍ତି। ବାସ୍ତବରେ କର୍ତବ୍ୟ ପରାୟଣତା ଓ ସାଧୁତାର ଅନ୍ୟନାମ ଡାକ ସେବା। ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ସ୍ଥାନୀୟ ଭଞ୍ଜ କଳା ମଣ୍ଡପରେ ବିଶ୍ୱ ଡାକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ. ସୁବ୍ରତ ବାଗ୍‌ଚି ଏ କଥା କହିଛନ୍ତି।

ମହା ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଲା ଉତ୍ସବରେ ଅଧ୍ୟକ୍ଷତା କରି ଅକ୍ଟୋବର ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ଜାତୀୟ ଡାକ ସପ୍ତାହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ଡାକ ବିଭାଗର ଶ୍ରେଷ୍ଠ ବିବେଚିତ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଡାକ ବିଭାଗର କାର୍ଯ୍ୟକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାର୍ପିତ ହୋଇଥିଲା। ଡିପିଏସ୍‌ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବ୍ରହ୍ମପୁର ମହାଡାକପାଳ ଜଳେଶ୍ୱର କୁଅଁର ବକ୍ତବ୍ୟ ରଖିଥିଲେ। ଓଡ଼ିଶା ଡାକ ମଣ୍ଡଳ ଡିଏପି ସ୍ମୃତି ରଞ୍ଜନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର