ଡେନିମ୍ ଆଣ୍ଡ ବ୍ଲୁଜ୍ ପକ୍ଷରୁ ବିଶ୍ବ ମୁକ୍ତ ସାମ୍ବାଦିକତା ଦିବସ

ଭୁବନେଶ୍ବର: ଡେନିମ୍ ଆଣ୍ଡ ବ୍ଲୁଜ୍ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ପରିସରରେ ବିଶ୍ବ ମୁକ୍ତ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଳା, ସାହିତ୍ୟ, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଗଣେଶ ନାୟକ ଯୋଗଦେଇ କହିଛନ୍ତି, ଲୋକଙ୍କୁ ନ୍ୟାୟ ଦେବା ପାଇଁ ଜଣେ ସାମ୍ବାଦିକକୁ ନିଜ ଜୀବନ ସହ ବାଜି ଲଗାଇବାକୁ ପଡ଼େ। ନିଜ ପ୍ରତିଦ୍ବନ୍ଦ୍ବୀଙ୍କ ନିକଟରେ କେବେ ଅପ୍ରିୟ ସତ୍ୟ କହି ବାସନ୍ଦ ହେବାକୁ ପଡ଼େ ତ ଆଉ କେତେବେଳେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥା ଆଗରେ ମଥା ନୁଆଁଇବାକୁ ପଡ଼ିଥାଏ। ଆଜିର ଯୁଗରେ ସାମ୍ବାଦିକତା ମୁକ୍ତ ଭାବେ କରି ଦେଖାଇବା ଜଣେ ସାମ୍ବାଦିକ ପାଖେ ସମ୍ଭବ ନୁହେଁ ବୋଲି ଶ୍ରୀ ନାୟକ କହିଥିଲେ।

ଅନ୍ୟତମ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିଲେ। ସାମ୍ବାଦିକ ଲୋକନାଥ ଦାଶ, ଓଡ଼ିଆ ଚଳଚ୍ଚିତ୍ର ସଂଳାପକାର ରଜନୀ ରଂଜନ, ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ସାମ୍ବାଦିକ ତାରକ ମହାନ୍ତି ଯୋଗଦେଇ ସାମ୍ବାଦିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ବସନ୍ତ କୁମାର ସାହୁ, ଅନୁରାଧା ବାରିକ, ପ୍ରିୟବ୍ରତ ବାରିକ, ବାଳକୃଷ୍ଣ ରାଉତ, ସମାଜସେବୀ ସୁଶାନ୍ତ ସାହୁ, ବିବେକାନନ୍ଦ ବାରିକ, ରସରାଜ ଦୁଆରୀ ଗାୟକ କାର୍ତ୍ତିକେଶ୍ବର ମାଝୀ, କର୍ପୋରେଟର ଗୀତାଞ୍ଜଳି ସାହୁ, କୋରିଓଗ୍ରାଫର ଡ୍ୟାନିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସତ୍ୟ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରିୟାଂଶୁ ପ୍ରିୟଦେବ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର