ଜନତାଙ୍କ ସେବାରେ ଉତ୍ସର୍ଗ ହେଲା ବିଶ୍ୱ ରେଡ୍‌କ୍ରସ ଦିବସ

ଭୁବନେଶ୍ୱର : ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ସାର୍‌ ଜେନ୍‌ ହେନେରୀ ଡୁନାଣ୍ଟଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ରେଡ୍‌କ୍ରସ୍‌ ରାଜ୍ୟ ଶାଖା ତରଫରୁ ବୁଧବାର ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି। ବାତ୍ୟା ‘ଫନି’ ଦ୍ୱାରା ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନ‌ରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେଣୁ ଏଭଳି ଅଭାବନୀୟ ପରିସ୍ଥିତିରେ ରେଡ୍‌କ୍ରସର ସଭାପତି ତଥା ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ପରାମର୍ଶକ୍ରମେ ଏବର୍ଷ ଏହି ଦିବସକୁ ନିରାଡ଼ମ୍ବର ଭାବେ ରାଜଭବନଠାରେ ପାଳନ କରାଯାଇଛି। ଏ ବର୍ଷର ଅନୁଚିନ୍ତା ହେଉଛି ‘‘ରେଡ୍‌କ୍ରସ୍‌ ସମ୍ବନ୍ଧରେ ତୁମକୁ କ’ଣ ଭଲ ଲାଗେ।’’ ଏଥିରେ ‘ସ୍ୱାଭିମାନ’ର ଅଧ୍ୟକ୍ଷ ଡ. ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାତ୍ୟା ବିପନ୍ନଙ୍କ ସହାୟତାରେ ନିୟୋଜିତ ରେଡ୍‌କ୍ରସର ସଦସ୍ୟଙ୍କୁ ପ୍ରଶଂସା କରିଥିଲେ। ଓଡ଼ିଶା ରେଡ୍‌କ୍ରସ୍‌ ରାଜ୍ୟ ଶାଖା ସଚିବ ମେଜର୍‌ ଡ. କଳ୍ପନା ଦାସ ଆଜିର ଦିବସକୁ ସାଧାରଣ ଜନତାଙ୍କ ସେବାରେ ଉତ୍ସର୍ଗ କରିଥିଲେ। ଏହାସହ ସେ ରେଡ୍‌କ୍ରସର ସମସ୍ତ କର୍ମଚାରୀ, ଆଜୀବନ ସଦସ୍ୟ ଓ ସ୍ବେଚ୍ଛାସେବୀମାନଙ୍କୁ ବିପନ୍ନଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଲାଲ ଦିବ୍ୟାଙ୍ଗ (ଦୃଷ୍ଟିବାଧିତ)ଙ୍କ ପାଇଁ ପ୍ରାଥମିକ ଚିକିତ୍ସା ପୁସ୍ତିକା ଉନ୍ମୋଚନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟପାଳ ଶ୍ରୀ ଲାଲ ଗତକାଲି ବାଲିଅନ୍ତା ଅଞ୍ଚଳର ପୂରଣ ଓ ଏରକଣ୍ଟା ପ୍ରଭୃତି ଗ୍ରାମରେ ରେଡ୍‌କ୍ରସ୍‌ ସଦସ୍ୟଙ୍କ ସହ ବୁଲି ବୁଲି ରିଲିଫ ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର