ଭୁବନେଶ୍ୱର: ରେଡ୍କ୍ରସ୍ର ପ୍ରତିଷ୍ଠାତା ହେନରି ଡୁନାଣ୍ଟଙ୍କ ଜୟନ୍ତୀ ଅବସରରେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ଶାଖା ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ରେଡ୍କ୍ରସ୍ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ତଥା ଅନୁଷ୍ଠାନର ଓଡ଼ିଶା ଶାଖାର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଡ. ପ୍ରଦୀପ ମହାରଣା ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ପ୍ରାଥମିକ ସେବା ସଚେତନତା କାର୍ଯ୍ୟକ୍ରମ ଲିଲାପୂର୍ଣ୍ଣତୀର୍ଥ ସ୍ୱାଇଁ ଓ କୁବେର ଚନ୍ଦ୍ର ପାତ୍ରଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା।
ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର କୃତୀ ସ୍ୱେଚ୍ଛାସେବୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସଂଯୁକ୍ତା ପ୍ରିୟଦର୍ଶନୀ ବାରିକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ୱ ଯୁବ ରେଡକ୍ରସ୍ ଏବଂ କନିଷ୍ଠ ରେଡକ୍ରସ୍ ସ୍ୱେଚ୍ଛାସେବୀ, ଆଜୀବନ ସଦସ୍ୟ/ସଦସ୍ୟା, ୟୁଥ ରେଡକ୍ରସ୍ ପରାମର୍ଶଦାତା ଓ ଓଡ଼ିଶା ରାଜ୍ୟ ଶାଖା କର୍ମକର୍ତ୍ତା ଯୋଗ ଦେଇଥିଲେ।
ସକାଳେ ଅନୁଷ୍ଠାନ ପକ୍ଷରୁ ରେଡକ୍ରସ୍ ଭବନ ସମ୍ମୁଖରେ ଏକ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ରେଡକ୍ରସ୍ ସ୍ୱେଚ୍ଛାସେବୀମାନେ ହାତରେ ରେଡକ୍ରସ ଉପରେ ଆଧାରିତ ସଚେତନତ ପ୍ଲା’ କାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ। କଟକ ଓ ଭୁବନେଶ୍ୱରର ବିଭିନ୍ନ ବୃଦ୍ଧାଶ୍ରମ ଓ ବାଳାଶ୍ରମରେ ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ କେଦାର ପ୍ରସାଦ ମହାପାତ୍ର, ଜଗନ୍ନାଥ ତ୍ରିପାଠୀ, ଅକ୍ଷୟ କୁମାର ଦାସ, ମଦନ ମୋହନ ଦାସ, ସୁଶୀଲ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।