ଭୁବନେଶ୍ବର: ଦେବରାଜ ଇନ୍ଦ୍ର ରଥ-ପଥ ଧୋଇ ସାରିଲେଣି। ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ। ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ମଧ୍ୟ ପ୍ରସ୍ତୁତ। ଓଡ଼ିଆ ଜାତିର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ରଥରେ ବିଜେ କରିବାକୁ ଚାହି ରହିଛି ପୂରା ବିଶ୍ବ। ପୁରୀରେ ଶ୍ରୀମନ୍ଦିର ସମେତ ବିଶ୍ବର କୋଣଅନୁକୋଣରେ ଉତ୍ସାହିତ ଅଗଣିତ ଭକ୍ତଗଣ। ରାଜଧାନୀ ଭୁବନେଶ୍ବରେ ମଧ୍ୟ ରଥଯାତ୍ରାକୁ ନେଇ ନାହିଁ ନଥିବା ଉତ୍ସାହ। ଇସ୍କନଠାରୁ ଆରମ୍ଭ କରି ଆର୍‌ସିଏମ୍‌, କିସ୍‌, ୟୁନିଟ୍‌-୮, ଜାଗମରା ଭଳି ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଚାଲିଛି ଦିଅଁଙ୍କ ସେବାପୂଜା। ରଥ ଗଢ଼ା ସରିଛି। କେବଳ ଅପେକ୍ଷା ବଡ଼ଠାକୁରଙ୍କୁ। ଅନ୍ୟପଟେ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ କମିସନରେଟ ପୁଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି।

Advertisment

୩୬ ବର୍ଷରେ ଇସ୍କନ୍‌ ରଥଯାତ୍ରା
ରଥଯାତ୍ରା ପାଇଁ ଇସ୍କନ ମନ୍ଦିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନୋଟି ରଥରେ ବିଜେ କରିବେ ତିନି ଠାକୁର। ଗୁରୁବାର ସକାଳ ସାଢ଼େ ୭ଟାରେ ନେତ୍ରୋତ୍ସବ ହେବ। ସ୍ୱତନ୍ତ୍ର ଭାବେ ସଜା ଯାଇଥିବା ତିନି ରଥକୁ ଶୁକ୍ରବାର ସକାଳ ୮ଟାରେ ପ୍ରତିଷ୍ଠା କରାଯିବ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପହଣ୍ଡି ଓ ଛେରା ପହଁରା ଅନୁଷ୍ଠିତ ହେବ। ଗୋପୀନାଥ ସ୍ବାମୀ ମହାରାଜ ରଥରେ ଛେରା ପହଁରା କରିବେ। ଶ୍ରୀଜିଉଙ୍କ ରଥ ସିଆରପି ଓ ୟୁନିଟ୍ ୮ ଡିଏଭି ସ୍କୁଲ୍ ଦେଇ ଗୁଣ୍ଡିଚା ମନ୍ଦିରକୁ ଯିବ। ଚଳିତ ବର୍ଷ ରଥଯାତ୍ରାକୁ ୩୬ ବର୍ଷ ପୂରୁଛି।   

ସବୁଠୁ ପୁରୁଣା ଓ ପ୍ରଥମ ରଥଯାତ୍ରା
୧୯୭୨ ନବକଳେବର କଥା। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ଗଢ଼ାଯିବା ପରେ ବଳି ପଡ଼ିଥିଲା କିଛି କାଠ। ଆଉ ସେହି କାଠରେ ଗଢ଼ା ଯାଇଥିଲା ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତ୍ତି। ଏହାକୁ ନିଜ ବାସଭବନକୁ ନେଇ ଆସିଥିଲେ ତତ୍କାଳୀନ ଓୟୁଏଟି ପ୍ରଫେସର ସୁପ୍ରସନ୍ନ ମହାନ୍ତି। ପବିତ୍ର ଅକ୍ଷୟ ତୃତୀୟା ଦିନ ପୁରୀ ଗଜପତି ମହାରାଜା ବୀରକିଶୋର ଦେବ ଏହି ବିଗ୍ରହ ପ୍ରତିଷ୍ଠା କରିଥିଲେ। ୧୯୭୩ ମସିହାରୁ ଦାରୁ ବିଗ୍ରହଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ଚଳିତ ବର୍ଷ ରଥଯାତ୍ରା ୫୨ ବର୍ଷରେ ପହଞ୍ଚିଛି। ଏହି ରଥଯାତ୍ରା ରାଜଧାନୀର ସବୁଠୁ ପୁରୁଣା ଓ ପ୍ରଥମ ରଥଯାତ୍ରା। ତେବେ ୨୬ ତାରିଖ‌ ସକାଳ ସାଢ଼େ ୮ଟାରେ ଠାକୁର ନବଯୌବନ ଦର୍ଶନ ଦେବେ। ଶୁକ୍ରବାର ମଧ୍ୟାହ୍ନ ଗୋଟାଏରେ ପହଣ୍ଡି ପରେ ୩ଟା‌ରେ ବାୟାବାବା ମଠ ମହନ୍ତ ସ୍ବାମୀ ଚିନ୍ମୟ‌ାନନ୍ଦ ରଥରେ ଛେରାପହଁରା କରିବେ। ଅପରାହ୍ନ ୪ଟାରେ ରଥଟଣା ହେବ ବୋଲି ପରିଚାଳନା କମିଟିର ମ୍ୟାନେଜିଂ ଟ୍ରଷ୍ଟି ଅଜିତ୍ କର କହିଛନ୍ତି। ଠାକୁର ଗୋଟିଏ ରଥରେ ବସି ବେସିକ୍‌ ସାଇନ୍ସ ଝାଡ଼େଶ୍ବରୀ ମନ୍ଦିରକୁ ଯିବେ। 

ମହିଳା ଟାଣିବେ ସୁଭଦ୍ରା ରଥ 
ଇସ୍କନ, ଆର‌୍‌ସିଏମ୍‌, କିସ୍‌, ତମାଣ୍ତୋର ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥା’ନ୍ତି। ରଥଯାତ୍ରା ପାଇଁ ତମାଣ୍ଡୋ ଜଗନ୍ନାଥ ମନ୍ଦିରରେ ସବୁ ପ୍ରସ୍ତୁତି ପ୍ରାୟ ସରିଛି। ଶୁକ୍ରବାର ଦିନ ୨ଟାରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ତିନୋଟି ରଥରେ ବିରାଜିବେ। ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ ହେବ। ରଥ ମେଳଣ ପଡ଼ିଆସ୍ଥିତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଯିବ। ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ଗ୍ରାମବାସୀମାନେ ଟାଣୁଥିବା ବେଳେ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବେ। ବାହୁଡ଼ା ଦଶମୀ ଓ ନୀଳାଦ୍ରିବିଜେ ଦିନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ପୂର୍ବତନ ସରପଞ୍ଚ ଜଗମୋହନ ପ୍ରଧାନ ସୂଚନା ଦେଇଛନ୍ତି।

ବଡ଼ ବିଗ୍ରହ, ମାଳିକା ସିଦ୍ଧାନ୍ତ ରଥଯାତ୍ରା
ରାଜଧାନୀର ସବୁଠାରୁ ଉଚ୍ଚ ବିଗ୍ରହ ହେଉଛନ୍ତି ଖଣ୍ତଗିରି କୋଳଥିଆ ନିକଟ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତି। ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ଦାରୁ ବିଗ୍ରହ ୩ ଫୁଟ ୧୧ ଇଞ୍ଚ ହୋଇଥିବା ବେଳେ ମା’ ସୁଭଦ୍ରାଙ୍କ ବିଗ୍ରହ ୩ ଫୁଟ ୬ ଇଞ୍ଚ। ଖଣ୍ତଗିରିର ଦକ୍ଷିଣରେ ରଥଯାତ୍ରା ଅନୁଷ୍ଠିତ ହେବା ବିଷୟ ମାଳିକାରେ ଉଲ୍ଲେଖ ରହିଛି। ଶ୍ରୀକ୍ଷେତ୍ର ରୀତିନୀତି ଅନୁସାରେ ଏଠାରୁ ପ୍ରଭୁ ଉତ୍ତର ମୁଖା ହୋଇ ରଥରେ ଯାଆନ୍ତି ଏବ˚ ଦକ୍ଷିଣ ମୁଖା ହୋଇ ଫେରନ୍ତି। ଏହି ବିଗ୍ରହ ଫିଲାଡେଲ୍‌ଫେଲିଆ ଯିବା ପାଇଁ ଗଢ଼ା ହୋଇଥିଲେ। କିନ୍ତୁ ବୃହତ୍ତାକାର ଯୋଗୁ ଠାକୁରଙ୍କୁ ସେଠାକୁ ନେବା ସମ୍ଭବ ହୋଇନଥିଲା। ୧୯୯୮ରେ ଏହି ବିଗ୍ରହଙ୍କୁ ଦିବ୍ୟ ଜୀବନ ସ˚ଘ ଏକ ସମ୍ମିଳନୀକୁ ଆଣି ପୁରୀରେ ଛାଡ଼ି ଯାଇଥିଲେ। ସେହି ସମୟରେ ବିଗ୍ରହଙ୍କୁ ଖଣ୍ଡଗିରି ନିକଟ‌ରେ ପ୍ରତିଷ୍ଠା ପାଇଁ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀଙ୍କୁ ସ୍ବପ୍ନ ହୋଇଥିଲା। ୨୦୦୧ରେ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୨ରୁ ରଥଯାତ୍ରା ଅନୁଷ୍ଠିତ ହେଉଛି। ଜଗନ୍ନାଥ ମନ୍ଦିରରୁ ରଥ ବାହାରି ଖଣ୍ଡଗିରି ପାହାଡ଼ ନିକଟ ସୁଧର୍ମା ମହାସଂଘ ମାଉସୀ ମା’ ମନ୍ଦିରକୁ ଯାଆନ୍ତି। ଗୁରୁବାର ସକାଳ ୫ଟାରେ ଠାକୁରଙ୍କ ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଅବକାଶ, ଗରୁଡ଼ ସ୍ନାନ ସହ ଠାକୁରଙ୍କ ଅନ୍ୟ ନୀତି ହେବ। ସକାଳ ୬ଟା ୩୦ରେ ନେତ୍ର ଉତ୍ସବ ଏବଂ ସକାଳ ୯ଟାରେ ନବଯୌବନ ଦର୍ଶନ ହେବ। ଶୁକ୍ରବାର ରଥ ପ୍ରତିଷ୍ଠା ପରେ ସେନାପଟା ଲାଗି ହେବ। ଦିନ ୧୨ଟାରେ ଠାକୁରଙ୍କ ପହଣ୍ଡି ଓ ସାଢ଼େ ୩ରୁ ରଥଟଣା ଆରମ୍ଭ ହେବ। ସଭାପତି ସତ୍ୟବ୍ରତ ଦାସ ଛେରାପହଁରା କରିବେ ବୋଲି ମନ୍ଦିରର ଯୁଗ୍ମ ସମ୍ପାଦକ ସୁନୀଲ ରଥ ସୂଚନା ଦେଇଛନ୍ତି। ପରମ୍ପରା ଅନୁସାରେ ସୁଭଦ୍ରାଙ୍କ ରଥ କେବଳ ମହିଳା ମାନେ ଟାଣିବେ।

୧୫ ବର୍ଷରେ ଜାଗମରା ଓ ଧର୍ମବିହାରରେ ରଥଯାତ୍ରା
୧୫ ବର୍ଷ ହେଲା ଜାଗମରା, ଧର୍ମବିହାର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ରଥ ଜାଗମରା, ଧର୍ମବିହାର ଜଗନ୍ନାଥ ମନ୍ଦିରରୁ ବାହାରି ଗଣ୍ଡମୁଣ୍ଡା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଯିବ। ଚଳିତ ବର୍ଷ ଗୁଣ୍ଡିଚା ଦିନ ସକାଳୁ ଦ୍ବାରଫିଟା, ଅବକାଶ, ହୋମ ହେବା ପରେ ୮ଟା ୩୦‌ରେ ରଥ ପ୍ରତିଷ୍ଠା ଓ ସକାଳ ୧୦ରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟାରେ ଛେରାପହଁରା ପରେ ଅପରାହ୍ନ ୩ ଟାରେ ରଥଟଣା ଆରମ୍ଭ ହେବ। ଚଳିତ ବର୍ଷ ଯାତ୍ରାପାଇଁ ୫ଟି ସଂକୀର୍ତନ ମଣ୍ଡଳୀ ସାଙ୍ଗକୁ ମଙ୍ଗଳପୁରରୁ ୪ ହଳ ଘୋଡ଼ା, ନାଗା, ଠାକୁରଣୀ ମେଢ଼, ବୁଢ଼ାବୁଢ଼ୀ ଓ ବଗବଗୁଲି ନୃତ୍ୟ ହେବ। ୨୭ ତାରିଖରେ ଭୁବନେଶ୍ବର- ସାଉଥ୍‌ ୱେଲଫେୟାର ସଂଘ ଓ ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାର୍ଷିକ ମୁଖପତ୍ର ‘ଆମ ଦାରୁଦିଅଁ’ ଲୋକାର୍ପିତ ହେବ। ଏହାସହ ସଂଧ୍ୟା ୭ଟାରେ ରାମ ନାଟକ ମଞ୍ଚସ୍ଥ ହେବ।