ସଙ୍ଗୀତର ମୂର୍ଚ୍ଛନାରେ ‘ବିଶ୍ୱ ସଙ୍ଗୀତ ଦିବସ’

ଭୁବନେଶ୍ୱର: ସଂସ୍କୃତି ବିଭାଗ ପକ୍ଷରୁ ‘ବିଶ୍ୱ ସଙ୍ଗୀତ ଦିବସ’ ଉପଲକ୍ଷେ ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ଓ ‘ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର’ର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଏହି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଚ୍ୟୁତ ମହାରଣା ଓ ଯାଜ୍ଞସେନୀ ବିଶ୍ୱାଳଙ୍କ ଦ୍ୱାରା ଓଡ଼ିଶୀ କଣ୍ଠ ସଙ୍ଗୀତ, ଅରୋଶିଷ ପାଣି ଓ ସଙ୍ଗୀତା ପଣ୍ଡାଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ, ଜବାହାର ମିଶ୍ର ଓ କେ. ଭୁବନେଶ୍ୱରୀଙ୍କ ଯନ୍ତ୍ର ସଙ୍ଗୀତ, ସିଦ୍ଧାର୍ଥ ମିଶ୍ର ଓ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁଗମ ସଙ୍ଗୀତ, ବିନ୍ଦୁଲତା ଓ କ୍ରିଷ୍ଣା ପଟେଲଙ୍କ ଦ୍ୱାରା ଲୋକ ସଙ୍ଗୀତ ଏବଂ ଶୈଳଭାମା ମହାପାତ୍ରଙ୍କ ଦ୍ୱାରା ଦେଶିଆ ସଙ୍ଗୀତ ପରିବେଷଣ କରାଯାଇଥିଲା। ବାଦ୍ୟଯନ୍ତ୍ର ଅଜୟ ଦାଶ, ଦିବାକର ପରିଡ଼ା, ଅଭିରାମ ନନ୍ଦ, ସୀତାଂଶୁ ଶେଖର ରାଉତ, ବାସୁଦେବ ସ୍ୱାଇଁ ଓ ପ୍ରେମଶଙ୍କର ଦାଶ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଗୁଡ୍ଡି। ଆଜି ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁରୁ ରାମହରି ଦାସ ଓ ସଙ୍ଗୀତ ଗବେଷକ ସୁନୀଲ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିବିଧ ଶାସ୍ତ୍ରୀୟ ପାରମ୍ପରିକ ଓ ଲୋକସଙ୍ଗୀତର ପ୍ରଦର୍ଶନ ମାଧ୍ୟମରେ ନିଜର ସୃଜନ ଚିନ୍ତାଧାରାକୁ ପ୍ରକାଶ କରିବା ସହିତ ପରସ୍ପର ମଧ୍ୟରେ ମୈତ୍ରୀ ଭାବକୁ ଏକସୂତ୍ରରେ ବାନ୍ଧି ରଖିବା। ସଙ୍ଗୀତର ଭାଷା ପୃଥିବୀର କୋଣ ଅନୁକୋଣରେ ତାଳ ଓ ବାଦ୍ୟ ଅନୁସାରେ ଭାବାବେଗକୁ ଆପଣେଇ ନେବା ପାଇଁ ଏକ ସହଜ ମାଧ୍ୟମ ବୋଲି ଅତିଥିମାନେ ଏଥିରେ ମତବ୍ୟକ୍ତ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ କୁମାର ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର