ବିଶ୍ବ ସଂଗୀତ ଦିବସ, ନ ଯା’ ଯମୁନା…

ଭୁବନେଶ୍ବର: ଶାସ୍ତ୍ରୀୟ, ପାରମ୍ପରିକ ଓ ଲୋକ ସଂଗୀତର ପରିବେଷଣ ସହ ବିଶ୍ବ ସଂଗୀତ ଦିବସ ପାଳନ କରିଛି ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’। ଓଡ଼ିଶା ସଂଗୀତ ନାଟକ ଏକାଡେମି ଦ୍ବାରା ଆୟୋଜିତ ଏହି ଉତ୍ସବରେ ନିମାକାନ୍ତ ରାଉତରାୟ, ହରପ୍ରିୟା ସ୍ବାଇଁ ଓଡ଼ିଶୀ କଣ୍ଠ ସଂଗୀତରେ ବସି କାନ୍ଦୁଥିବ ମାନିନୀ.. ଏବଂ ନ ଯା ଯମୁନା.. ଭଳି ଗୀତ ପରଷି ଦେଇଥିଲେ। ହିନ୍ଦୁସ୍ଥାନୀ ସଂଗୀତରେ ବି‌ଭୋର୍‌ କରିଥିଲେ କରୁଣାକର ନାୟକ ଓ ବନ୍ଦିତା ରାୟ। ଯନ୍ତ୍ର ସଂଗୀତରେ ସନ୍ଦୀପ କୁମାର ରାଉତ ଓ ସଚ୍ଚିଦାନନ୍ଦ ଦାସ ଶ୍ରୋତାଙ୍କ ମନୋରଂଜନ କରିଥିଲେ। ଏହାପରେ ମହାପ୍ରସାଦ କର, ଅଞ୍ଜଳି ମିଶ୍ର, ଝୁମ୍‌କି ରଥ ଓ କରୁଣାକର ସେଠୀଙ୍କ କଣ୍ଠରେ ସୁଗମ ସଂଗୀତ ବେଶ୍‌ ମନଛୁଆଁ ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଏକ‌ାଡେମିର ସଭାପତି ରାମକୃଷ୍ଣ ସାହୁ ଏବଂ ସଚିବ ବିଜୟ ଜେନା ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର