ସମାଜ ଗଠନରେ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ

ବିଶ୍ୱ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଏହିଅବସରରେ ଉପସ୍ଥିତ ଅତିଥିମାନେ ସମାଜ ଗଠନରେ ବିଜ୍ଞାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କର ମହାକାଶ ବିଜ୍ଞାନ ପ୍ରତି ଅନୁସନ୍ଧିତ୍ସା ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଏହି ସମାରୋହରେ ରାଜ୍ୟର ବହୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର କୃତୀ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ବିଜ୍ଞାନର ଉପକାରିତା ନେଇ ‘କିସ୍‌’ ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ପ୍ରଫେସର ଦେବାଶିଷ ମହାପାତ୍ର, ସସ୍ମିତା ସାମନ୍ତ, ଏ ପ୍ରସାଦ ରାଓ, ଡ. ସଞ୍ଜୟ ସୁଆର, ଅଜିତ କୁମାର ଶାହ ପ୍ରମୁଖ ଉଦ୍‌ଯାପନୀ ସମାରୋହରେ ଅତିଥିଭାବରେ ଯୋଗଦେଇଥିଲେ।

କିଟ୍‌ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ ଅନ୍ତରୀକ୍ଷ କେନ୍ଦ୍ରର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ମହାକାଶ ଗବେଷଣା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଛାତ୍ରଛାତ୍ରୀମାନେ ବୁଲି ଦେଖିଥିଲେ। ଗତକାଲି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର