ବିଶ୍ବ ବ୍ୟାଘ୍ର ଦିବସ ଆଜି: ନନ୍ଦନକାନନରେ ବଢ଼ିଛି ବାଘ ସଂଖ୍ୟା, ୬ ଜନ୍ମ ନେଇଛନ୍ତି, ୨ ମରିଛନ୍ତି

୪ ସ୍ଥାନାନ୍ତର ପରେ ୨୭ ଅଛନ୍ତି

ବାରଙ୍ଗ/ତ୍ରିଶୁଳିଆ: ଜୁଲାଇ ୨୯ ତାରିଖରେ ପାଳିତ ହେବ ବିଶ୍ବ ବ୍ୟାଘ୍ର ଦିବସ। ବିଶ୍ବରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ସେମାନଙ୍କ ବଂଶବୃଦ୍ଧି ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ଏ ଦିଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ନନ୍ଦନକାନନର ଭୂମିକା ଉଲ୍ଲେଖନୀୟ ରହିଛି। ବଡ଼ କଥା ହେଉଛି; କରୋନା ସଂକଟ ବେଳେ ନନ୍ଦନକାନନରେ ବାଘ ସଂଖା ବଢ଼ିଛି। ଜନ୍ମ ନେଇଛନ୍ତି ୬ଟି ବାଘ ଶାବକ। ଗତ ମାର୍ଚ୍ଚ ୨୮ରେ ଧଳା ବାଘୁଣୀ ବିଜୟା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ମହାବଳ ସେଫ୍‌ ଓ ବାଘୁଣୀ ବିଜୟାର ମିଳନରୁ ଏହି ୩ ଶାବକ ଜନ୍ମ ନେଇଥିଲେ। ଗତ ଏପ୍ରିଲ ୧୪ରେ ମହାବଳ ବାଘ ନନ୍ଦନ ଔରସରୁ ଯୁବା ବାଘୁଣୀ ମେଘା ୩ ଶାବକ ଜନ୍ମ ଦେଇଥିଲା। ତେବେ ଜାନୁଆରି ୫ରେ ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଧାରଣ ନାଲି ରଙ୍ଗର ସୁନ୍ଦରୀ ଆନିନୀ ଆଖି ବୁଜି ଦେଇଥିଲା।

ପରେ ପରେ ଏପ୍ରିଲ ୨୧ରେ ବାଘୁଣୀ ରେଣୁକାର ବି ମୃତ୍ୟୁ ହୋଇଥିଲା। ଅନ୍ୟ ପକ୍ଷରେ ଗତ ମାର୍ଚ୍ଚ ୧୭ରେ ଧଳା ରଙ୍ଗର ମହାବଳ ବାଘ ଚିନୁ ଓ ସାଧାରଣ ନାଲି ରଙ୍ଗର ବାଘୁଣୀ ରାଣୀକୁ ରାଜସ୍ଥାନ ଜୟପୁର ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଏପ୍ରିଲ ୨୦ରେ ବିରଳ କଳା ରଙ୍ଗର ବାଘ ଭିକି ଓ ଧଳା ବାଘୁଣୀ ରାଗିଣୀକୁ ଅଦଳବଦଳ ପ୍ରକ୍ରିୟାରେ ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଇଛି। ଏବେ ନନ୍ଦନକାନନରେ ସାଧାରଣ ରଙ୍ଗ ପ୍ରଜାତିର ୧୨ ମହାବଳ ଓ ୬ ବାଘୁଣୀଙ୍କୁ ମିଶାଇ ମୋଟ ୧୮ ବାଘ ଅଛନ୍ତି। ସେହିଭଳି ଧଳା ରଙ୍ଗର ୨ ମହାବଳ ଓ ୪ ବାଘୁଣୀ ଥିବା ବେଳେ ବିରଳ କଳା ରଙ୍ଗର ୩ଟି ମହାବଳ ବାଘ ଅଛନ୍ତି। ତେଣୁ ଏଠାରେ ଏବେ ମୋଟ ବାଘ ସଂଖ୍ୟା ୨୭ ରହିଛି।

ସୂଚନାଯୋଗ୍ୟ ୨୦୧୦ ମସିହା ଜୁଲାଇ ୨୯ରେ ରୁଷ୍‌ ସେଣ୍ଟପିଟର୍ସବର୍ଗ ସମ୍ମିଳନୀରେ ନିଆଯାଇଥିବା ପ୍ରସ୍ତାବ ଅନୁସାରେ ଏହି ଦିନକୁ ବ୍ୟାଘ୍ର ସୁରକ୍ଷା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ ନନ୍ଦନକାନନରେ ଏହି ଦିସବକୁ ଅନ୍‌ଲାଇନ୍‌ରେ ମାଧ୍ୟମରେ ପାଳନ କରାଯିବ। ଅପରାହ୍ନ ୪ଟାରେ କେନ୍ଦ୍ରୀୟ ଚିଡ଼ିଆଖାନାର ଅବସରପ୍ରାପ୍ତ ବ୍ୟାଘ୍ର ପ୍ରକଳ୍ପ ଏଡିଜି ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ମେମ୍ବର ସେକ୍ରେଟାରି ଡ. ଅନୁପ କୁମାର ନାୟକ ସୂଚନା ପ୍ରଦାନ କରିବେ। ସେହିଭଳି ଅନଲାଇନ୍ ମାଧ୍ୟମରେ କରାଯିବାକୁ ଥିବା କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବା ଲାଗି ବନ୍ୟପ୍ରାଣୀପ୍ରେମୀ ଓ ଛାତ୍ରଛାତ୍ରୀଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ଆମନ୍ତ୍ରଣ କରିଛନ୍ତି। ନନ୍ଦନକାନନର ବାଘମାନଙ୍କ ଉପରେ ସବିଶେଷ ବିବରଣୀ ଗଣମାଧ୍ୟମ ଜରିଆରେ ପ୍ରକାଶ କରିବାକୁ ଉପନିର୍ଦ୍ଦେଶକ ସଂଜିତ୍ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର