ବିଶ୍ବ ପର୍ଯ୍ୟଟନ ଦିବସ: ଗ୍ରାମ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ହେବ

ଗ୍ରାମ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ହେବ

ଧଉଳି: ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପଡ଼ିଥିବା ଗ୍ରାମ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ କରାଯିବ। ଏହାଦ୍ବାରା ଗ୍ରାମ୍ୟ ଅର୍ଥନୀତିର ବିକାଶ ହେବ। ବିଶ୍ବ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଏହା ହେଉଛି ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରମୁଖ ବାର୍ତ୍ତା। ଏହି ଜନସଚେତନତା ବାର୍ତ୍ତା ନେଇ ଆଜି ସକାଳେ ଏକ ବାଇକ୍‌ ଶୋଭାଯାତ୍ରା ପଟିଆ ଇନ୍‌ଫୋସିଟି ଅଞ୍ଚଳରୁ ବାହାରି ଧଉଳି ଶାନ୍ତସ୍ତୂପରେ ପହଞ୍ଚିଥିଲା। ସେଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୋଭାଯାତ୍ରାକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପାଣିଗ୍ରାହୀ ପର୍ଯ୍ୟଟନସ୍ଥଳୀ ପ୍ରତି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ‘ବଣଭୋଜି’ ଓ ‘ନିମନ୍ତ୍ରଣ’ ନାମରେ ଦୁଇଟି ପର୍ଯ୍ୟଟନ ପ୍ୟାକେଜ୍‌ର ଶୁଭାରମ୍ଭ କରିଥିଲେ। ଏହି ଦୁଇ ପ୍ୟାକେଜ୍‌ ମାଧ୍ୟମରେ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକମାନଙ୍କୁ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକାର ସୁବିଧା ସୁଯୋଗ ମିଳିପାରିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। ଓଡ଼ିଶା ସଡ଼କ ପଥ ପର୍ଯ୍ୟଟନର ବିକାଶ ଦିଗରେ ପୁନଃ ଜାଗରଣ ଆଣିବ ବୋଲି ମନ୍ତ୍ରୀ ଷ୍ପଷ୍ଟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ, ସଚିବ ଏବଂ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର