ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସର ପ୍ରାକୃତିକ କାଞ୍ଜିଆ ହ୍ରଦ କୂଳରେ ବିଶ୍ବ ଆର୍ଦ୍ରଭୂମି ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦ୍ଦେଶକ ସୁଦର୍ଶନ ମହାରଣା ଓ ସମ୍ମାନିତ ଅତିଥି ଭାବେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ମୁଖ୍ୟ ପ୍ରଫେସର ଡ. ଶିବ ପ୍ରସାଦ ପରିଡା, ଡବ୍ଲୁଡବ୍ଲୁଏଫ୍ ନିର୍ଦ୍ଦେଶକ ମାଇକେଲ ପିଟର, ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଆଲୋକ କୁମାର ଦାସ ଯୋଗ ଦେଇଥିଲେ। ସେମାନେ କହିଥିଲେ ସମଗ୍ର ବିଶ୍ବର ମୋଟ ୧୧୫ଟି ରାମସର ମାନ୍ୟତା ପ୍ରାପ୍ତ ପ୍ରାକୃତିକ ହ୍ରଦ ମଧ୍ୟରେ ଭାରତର ୩୭ଟି ରହିଛି। ବିଶ୍ବରେ ଥିବା ୬ ପ୍ରତିଶତ ପ୍ରାକୃତିକ ହ୍ରଦରେ ୪୦ ପ୍ରତିଶତ ଜୀବ ବସବାସ କରନ୍ତି। ଓଡ଼ିଶାର ଜାତୀୟ ମାନ୍ୟତା ପ୍ରାପ୍ତ ହ୍ରଦ ମଧ୍ୟରେ ଚିଲିକା, ଭିତରକନିକା, କାଞ୍ଜିଆ ଓ ଦହ ରହିଛି। ନନ୍ଦନକାନନର କାଞ୍ଜିଆ ହ୍ରଦକୁ ୨୦୦୬ ମସିହାରେ ଜାତୀୟ ମାନ୍ୟତା ମିଳିଥିଲା। କେବଳ କାଞ୍ଜିଆ ନୁହେଁ ବିଶ୍ବର ପ୍ରତ୍ୟେକ ହ୍ରଦ ଓ ଜଳାଶୟର ସୁରକ୍ଷା ପ୍ରତ୍ୟେକ ମଣିଷର ଦାୟିତ୍ବ। ଏଗୁଡିକ ପରିବେଶରେ ସନ୍ତୁଳନ ରକ୍ଷାକାରୀ ଜଳାଶୟ। ଏହି ସବୁ ପ୍ରାକୃତିକ ହ୍ରଦ ବିନା ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ଏଗୁଡ଼ିକ ଲୋପ ପାଇଲେ ବିଶ୍ବରେ ଜଳ ସଙ୍କଟ ଘନେଇବ ଓ ବିଶ୍ବରୁ ଜୀବସତ୍ତା ଲୋପ ପାଇଯିବ। ମାନବକୃତ ଅବହେଳା କାରଣରୁ ଏସବୁ ଜଳଭଣ୍ଡାର ସଙ୍କୁଚିତ ହୋଇ ଲୋପ ପାଇବାକୁ ବସିଛି। ଏହାର ପରିସରରେ ଅବର୍ଜନା ପକାଇ ସଙ୍କୁଚିତ ନକରିବା ଓ ଆଖପାଖ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ବନ୍ଦକରିବା ଲାଗି ପ୍ରତେକ ଜନସାଧାରଣ ସଚେତନ ହୋଇ କାର୍ଯ୍ୟକରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କର ଆର୍ଦ୍ରଭୂମି ସୁରକ୍ଷା ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା କରାଯାଇ ପୁରଷ୍କାର ପ୍ରଦାନ କରାଯାଇଥିଲା। ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp