କିଟ୍‌ରେ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର : କିଟ୍‌ ଓ କିସ୍‍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ମହିଳା ସଶକ୍ତୀକରଣ ପାଇଁ ଆମକୁ ସମାଜର ନିରାଶ୍ରୟ, ଅସହାୟ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଓ ସହାନୁଭୂତି ଯୋଗାଇବା ଉଚିତ। ଯେଉଁ ଘରେ, ସମାଜ ଓ ଦେଶରେ ନାରୀଙ୍କ ପ୍ରତି ସମ୍ମାନ ନାହିଁ, ସେଠାରେ ଉନ୍ନତି ସମ୍ଭବ ନୁହେଁ।

ମହିଳାଙ୍କ ସଶକ୍ତୀକରଣ ଓ ସେମାନଙ୍କୁ ସେମାନଙ୍କ ଦକ୍ଷତା ନେଇ ସଚେତନ କରାଇବା ଦିଗରେ କିଟ୍‍ ଓ କିସ୍‍ ପକ୍ଷରୁ କନ୍ୟାକିରଣ, କଳିଙ୍ଗ ଫେଲୋସିପ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସସ୍ମିତାରାଣୀ ସାମନ୍ତ କହିଲେ, ମହିଳାମାନେ ଶକ୍ତିର ଉତ୍ସ।

ବିନା କୌଣସି ସାହାଯ୍ୟ ସହଯୋଗରେ ଜଣେ ମହିଳା ବହୁତ କିଛି କାର୍ଯ୍ୟ ସାଧିତ କରିପାରେ। ମହିଳାମାନେ ଶିକ୍ଷିତ ହେଲେ ସେମାନଙ୍କ ସାମର୍ଥ୍ୟଠାରୁ ଅଧିକ କାର୍ଯ୍ୟ ତୁଲାଇ ପାରିବେ। କାର୍ଯ୍ୟକ୍ରମରେ କିମ୍‌ସର ଉପକୁଳପତି ଡା. ସିବିକେ ମହାନ୍ତି ଯୋଗଦେଇ କହିଲେ, ମହିଳାମାନେ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରାଇବା ଉଚିତ। କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର୍‌ ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଫେସର୍‌ ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କିଟ୍‍ ଓ କିସ୍‍ ମହିଳା କର୍ମଚାରୀଙ୍କୁ ନେଇ ଏକ ମହିଳା ଫୋରମ୍‌ର ଶୁଭାରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର