ରଜ କଥା କହିଲେ ରାଜ୍ୟପାଳ

ଅନ୍ତର୍ଜାତୀୟ ମହିଳା ଦିବସ ‘ଅଭିପ୍ସା-୨୦୨୨’

ଭୁବନେଶ୍ୱର: ବସୁଧାକୁ ମା’ ବୋଲି ସବୁଆଡ଼େ କୁହାଯାଏ। କିନ୍ତୁ ସାରା ବିଶ୍ବରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପୃଥିବୀକୁ ମା’ ଭାବେ ସମ୍ମାନ ଦେଇ ଏକ ପର୍ବ ପାଳନ କରାଯାଏ। ଏହି ମହାନ ପର୍ବ ହେଉଛି ରଜ। ଏଭଳି ମହାନ ପରମ୍ପରା ପାଇଁ ଓଡ଼ିଶା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚିତି ହାସଲ କରିଛି। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ‘ଆମ ଗାଁ ଆମ ମା’, ଆମ ମୀରାମ୍ବିକା’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଅଭିପ୍ସା-୨୦୨୨’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

ଗୌତମନଗର ଫର୍‌ଚ୍ୟୁନ୍‌ ପାର୍କ ସିସ୍‌ମୋ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶା ମାଟି ଅନେକ ମହିୟସୀ ମହିଳାଙ୍କୁ ଜନ୍ମ ଦେଇଛି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ କେହି ଭୁଲିପାରିବେନାହିଁ।
ଏହି ଅବସରରେ ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ରାଜଶ୍ରୀ ମଲ୍ଲିକ, ସୁକୀର୍ତି ପଟ୍ଟନାୟକ, ଅନୁଷ୍ଠାନର ପ୍ରତିଷ୍ଠାତା ଜୀବନଜ୍ୟୋତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ମହିଳାମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି ବୋଲି ସୂଚନା ଦିଆଯାଇଥିଲା।

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୧୨ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ନୀଳାଞ୍ଜନା ମୁଖାର୍ଜୀ, ଏସ୍‌ ସୁଶ୍ରୀ, ଇପ୍ସିତା ଦାସ, ରତ୍ନମାଳା ସ୍ବାଇଁ, ହନିତ୍‌ କୌର, ପୁନମ ମିଶ୍ର, ପ୍ରଫେସର ଡା. ସବିତା ଆଚାର୍ଯ୍ୟ, ସୁଜାତା ମହାପାତ୍ର, ବୃନ୍ଦା ଡି., ଡା. ରାଜଶ୍ରୀ ମଲ୍ଲିକ, ଅନୁରାଧା ବିଶ୍ୱାଳ ଏବଂ ସରୋଜା ଚୌଧୁରୀ ।

ସମ୍ବନ୍ଧିତ ଖବର