କାଦମ୍ବିନୀ ପକ୍ଷରୁ ବିଶ୍ବ ମହିଳା ଦିବସ: ‘କ୍ଷମତାର ସୁବିନିଯୋଗ କଲେ ବିକାଶ ସମ୍ଭବ’

ଚନ୍ଦ୍ରଶେଖରପୁର: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ସୁଲତା ଦେଓ, ପୂର୍ବତନ ସରପଞ୍ଚ ଆରତୀ ଦେବୀ, ବିଶିଷ୍ଟ ସାହିତ୍ୟିକା ଜୟନ୍ତୀ ରଥ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କାଦମ୍ବିନୀ ଓ କୁନିକଥା ସଂପାଦିକା ଡ. ଇତି ସାମନ୍ତ ପ୍ରମୁଖ ଯୋଗଦେଇ ସାହିତ୍ୟ ଜରିଆରେ ‘ତୃଣମୂଳସ୍ତରରେ ମହିଳାଙ୍କ ନେତୃତ୍ବ ଓ ପ୍ରଗତି’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ମହିଳା ସଶକ୍ତୀକରଣ ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମହିଳା ସରପଞ୍ଚମାନେ ନିଜ ପଞ୍ଚାୟତରେ ମହିଳାଙ୍କୁ ସଶକ୍ତ କରିପାରିଲେ ସେହି ଅଞ୍ଚଳ ଅଧିକ ବିକଶିତ ହୋଇପାରିବ। ସରପଞ୍ଚଙ୍କ ନିକଟରେ ଥିବା କ୍ଷମତାର ସୁବିନିଯୋଗ କରିପାରିଲେ ପଞ୍ଚାୟତ, ଜିଲ୍ଲା, ରାଜ୍ୟ ଓ ଦେଶର ବିକାଶ ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ମତ ଦେଇଥିଲେ। ବିଶ୍ବ ମହିଳା ଦିବସ ଅବସରରେ କାଦମ୍ବିନୀ ପକ୍ଷରୁ ପ୍ରଥମ ଥର ଲାଗି ତୃଣମୂଳସ୍ତରର ମହିଳା ରାଜନୀତିଜ୍ଞଙ୍କୁ ନେଇ ‌ଏଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କ‌ରାଯାଇଥି‌ଲା।

ଜୟନ୍ତୀ ରଥ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଓ ଡ. ଇତି ସାମନ୍ତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କାଦମ୍ବିନୀର ନୂତନ ସଂସ୍କରଣ ପ୍ରଚ୍ଛଦ ପୃଷ୍ଠା ମଣ୍ଡନ କରିଥିବା ୪ବିଶିଷ୍ଟ ମହିଳା ରିଞ୍ଜ ଜାକାସିକା, ପଦ୍ମାଳୟା ଧଳ, ଶୁଭଦର୍ଶିନୀ ପରିଡ଼ା ଓ ମନସ୍ବିନୀ ମିଶ୍ର ଡେଙ୍ଗଙ୍କୁ କାଦମ୍ବିନୀ ଓ କୁନିକଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର