ଭୁବନେଶ୍ବର: ଟଙ୍କା ରୋଜଗାର ହୁଏତ ସହଜ ହୋଇପାରିଛି। ମାତ୍ର ଶାନ୍ତି ମିଳିବା ଦୂରୁହ ବ୍ୟାପାର ହୋଇଛି। ଅତ୍ୟାଧୁନିକ ଜୀବନଶୈଳୀ ମଣିଷକୁ ରୋଗାକ୍ରାନ୍ତ କରୁଛି। ଭାରତୀୟ ପରମ୍ପରା ଆଧାରିତ ଯୋଗାସନ ଯେ ଏସବୁ ପାଇଁ ମହୋଷୌଧୀ; ଏହାକୁ ବିଜ୍ଞାନ ବି ସ୍ବୀକାର କରିଛି। ମଧୁମେହ, ଉଚ୍ଚ ରକ୍ତଚାପ, ଗ୍ୟାଷ୍ଟ୍ରିକ୍, ମୋଟାପଣ, ହୃଦ୍ରୋଗ ଭଳି ରୋଗକୁ ବୋହି ଚାଲିଥିବା ମଣିଷମାନଙ୍କୁ ରୋଗ ନିୟନ୍ତ୍ରଣର ବାଟ ଦେଖାଇଛି ଯୋଗ। ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଯୋଗକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିବା ଗଣେଶ୍ବର ଗୋଚ୍ଛିକାର ଏପରି ଅନୁଚିନ୍ତା ରଖି କହିଛନ୍ତି, ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ମାନସିକ ବ୍ୟାୟାମ ମଧ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ମୁତାବକ, ଛିଡ଼ା ହୋଇ, ବସି, ଶୋଇ ଓ ଛାତି ମାଡ଼ି ଯୋଗାସନ କରାଯାଇପାରିବ। କେବଳ ସର୍ଜରି ହୋଇଥିବା ବ୍ୟକ୍ତିଙ୍କୁ ଛାଡ଼ି ଦେଲେ ପିଲାଠୁ ବୃଦ୍ଧ; ସବୁ ବର୍ଗର ଲୋକ ଏହା କରିପାରିବେ। ସିଙ୍ଗାପୁର, ଭିଏତନାମ, ଇଣ୍ଡୋନେସିଆରେ ଯୋଗ ଶିକ୍ଷାଦାନର ଉପଲବ୍ଧିକୁ ବର୍ଣ୍ଣନା କରି ସେ କହିଛନ୍ତି, ଯୋଗର ଆଦର ବିଦେଶରେ ବୃଦ୍ଧି ପାଇ ଚାଲିଛି। ସ୍କୋଲେସିସ୍, ଉଚ୍ଚ ରକ୍ତଚାପ, ମଧୁମେହ ରୋଗୀ ଯୋଗାସନରୁ ଲାଭ ପାଉଥିବାରୁ ଏହାକୁ ଆଦରି ନେଉଛନ୍ତି। ସେ ଆହୁରି କହିଛନ୍ତି, ଯୋଗ ମଧ୍ୟରେ ଶ୍ରେଷ୍ଠ ହେଉଛି ଶୀର୍ଷାସନ ଓ ସର୍ବାଙ୍ଗାସନ। ଏହାଦ୍ବାରା ବ୍ୟକ୍ତିଟିଏ ବହୁ ଉପକାର ପାଇଥାଏ। ମୋଟାମୋଟି କହିବାକୁ ଗଲେ, ୮୪ ଲକ୍ଷ ଯୋଗାସନ ଥିଲେ ହେଁ ଏବେ ଆମେ କେବଳ ୮୪ଟି ଯୋଗାସନ କରିପାରୁଛେ। କେବଳ କିଛି ଆସନ କରିପାରିଲେ, ଏହା ଜଣେ ବ୍ୟକ୍ତିକୁ ସୁସ୍ଥ ରଖିବା ସହ ମାନସିକ ସନ୍ତୁଳନ ରଖିବାରେ ଉପାଦେୟ ହୋଇଥାଏ।
ଶ୍ରୀ ଗୋଚ୍ଛିକାରଙ୍କ କହିବା ମୁତାବକ, ମଧୁମେହ ରୋଗର ନିରାକରଣ ପାଇଁ ମଣ୍ଡୁକାସନ ସର୍ବୋତ୍କୃଷ୍ଟ ଆସନ। ନିୟମିତ ଏହା କରିବା ଦ୍ବାରା ଜଣେ ବ୍ୟକ୍ତି ଶରୀରରେ ସର୍କରା ଅଂଶକୁ ନିୟନ୍ତ୍ରଣକୁ ଆଣିବାରେ କ୍ଷମତା ରଖେ। ସେହିଭଳି ଉଚ୍ଚ ରକ୍ତଚାପ ପାଇଁ ଚନ୍ଦ୍ରଭେଦନ ପ୍ରାଣାୟମ ଏବଂ କର୍କଟ ରୋଗ ପ୍ରଥମ ପର୍ଯ୍ୟାୟରେ ଥିଲେ ଅନୁଲୋମ ବିଲୋମ ଉପାଦେୟ ଯୋଗାସନ ବୋଲି ସେ କହିଛନ୍ତି।