ଭୁବନେଶ୍ବର: ଶରୀର ସହ ଚେତନାକୁ ଯୋଡ଼ିବା ପ୍ରକ୍ରିୟା ହେଉଛି ଯୋଗ। ଏହା କେବଳ ଏକ ବ୍ୟାୟାମ ନୁହେଁ। ମନ, ଚେତନା, ଶରୀରକୁ ପ୍ରାକୃତିକ ପରିବେଶ ସହ ଯୋଡ଼ିବା ହେଉଛି ଯୋଗ। ବିଶ୍ବକୁ ଭାରତର ଏହି ପ୍ରାଚୀନ ତଥା ଅନବଦ୍ୟ ଉପହାର ଆଜି ସମଗ୍ର ବିଶ୍ବରେ ଲୋକାଦୃତ ହୋଇପାରିଛି। କ୍ୟାନ୍ସର, ମଧୁମେହ ଓ ହୃଦ୍ଘାତ ଭଳି ଭୟଙ୍କର ଅଣସଂକ୍ରାମକ ରୋଗର ପ୍ରତିଷେଧକ ଭାବେ ଯୋଗର ଗୁରୁତ୍ବକୁ ଆଜି ସମଗ୍ର ବିଶ୍ବବାସୀ ଉପଲବ୍ଧି କରିପାରିଛନ୍ତି। ତେଣୁ ୨୦୧୪ ମସିହାରେ ମିଳିତ ଜାତିସଂଘର ସ୍ବୀକୃତି ମିଳିବା ପରେ ୭ ବର୍ଷ ହେଲା ଜୁନ୍ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳିତ ହୋଇ ଆସୁଛି ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଯୋଗର ଉପାଦେୟତା ପ୍ରଚାର ପ୍ରସାର କରି ଆସୁଛି। ବଡ଼ କଥା ହେଉଛି ନିୟମିତ ଯୋଗାଭ୍ୟାସ କରୁଥିବା ବ୍ୟକ୍ତି କରୋନା ମହାମାରୀରେ ଖୁବ୍ କମ୍ ସଂକ୍ରମିତ ହେଉଥିବା ଓ ଶୀଘ୍ର ସଂକ୍ରମଣରୁ ମୁକୁଳି ପାରୁଥିବା ଜଣାପଡ଼ିଛି। ଆଜି ୭ମ ବିଶ୍ବ ଯୋଗ ଦିବସ ଅବସରରେ ରାଜଧାନୀର ବହୁ ସଂସ୍ଥା ପକ୍ଷରୁ ଏହି ଦିବସ ପାଳନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର: ମଣିଷ ଶରୀରର ଗଠନ ଭାସିବା ପାଇଁ, ବୁଡ଼ିବା ପାଇଁ ନୁହେଁ। ମଣିଷ ଏହା ଜାଣି ନଥିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଥାଏ। ଯଦି ବା ଏ କଥା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ୍ୟ। ମଣିଷ ଶରୀର ଭାସିବା ପଛରେ ବିଜ୍ଞାନସମ୍ମତ କାରଣ ରହିଛି। ବିଶ୍ବ ଯୋଗ ଦିବସ ପାଳନ ଅବସରରେ ଜଳଯୋଗ ଗୁରୁ ଅଶୋକ ବରାଳ ଏହା କହିଛନ୍ତି।
ଶ୍ରୀ ବରାଳ କହିଛନ୍ତି ଯେ ବୈଜ୍ଞାନିକ ଆର୍କମେଡିସ୍ଙ୍କ ନିୟମ ଅନୁସାରେ, ପାଣିରେ ପଡ଼ୁଥିବା ବସ୍ତୁର ଓଜନ ଅପସାରିତ ଜଳର ଓଜନଠାରୁ କମ୍ ହେଲେ ବସ୍ତୁଟି ପାଣିରେ ଭାସିଥାଏ। ସେହି ନିୟମାନୁଯାୟୀ ଲୁହାରେ ତିଆରି ପାଣିଜାହାଜ ପାଣିରେ ଭାସିଥାଏ। ମଣିଷ ପାଣିରେ ପଡ଼ିଲେ, ଯେତିକି ଜଳ ଅପସାରଣ କରିଥାଏ, ତାହାର ଓଜନ ମଣିଷର ଓଜନଠାରୁ ଅଧିକ। କେବଳ ମନୁଷ୍ୟ ନୁହେଁ ବିଶ୍ବରେ ଥିବା ସମସ୍ତ ପ୍ରାଣୀଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ। ଏହା ତାଙ୍କର ଉଦ୍ଭାବନ ବୋଲି ଶ୍ରୀ ବରାଳ ଦାବି କରିଛନ୍ତି।
ବିଶ୍ବରେ ପ୍ରତିଦିନ ପ୍ରାୟ ଏକ ହଜାର ଲୋକ ପାଣିରେ ବୁଡ଼ି ପ୍ରାଣ ହରାଉଥିବା ବେଳ ପ୍ରତି ଘଣ୍ଟାରେ ପ୍ରାୟ ୪୦ଜଣ ମରୁଛନ୍ତି। ବର୍ଷକୁ ପ୍ରାୟ ୩ ଲକ୍ଷ ୫୦ହଜାର ଲୋକ ପାଣିରେ ବୁଡ଼ି ମରୁଛନ୍ତି। କେବଳ ଭାରତରେ ପ୍ରତିଦିନ ପ୍ରାୟ ୮୦ଜଣ ବୁଡ଼ି ପ୍ରାଣ ହରାଉଛନ୍ତି। ଏ ସଂପର୍କରେ ଶ୍ରୀ ବରାଳ କହିଛନ୍ତି ଯେ ମଣିଷ ତା’ ଶରୀରର ଭାସମାନ ଗୁଣ ଜାଣି ନ ଥିବାରୁ ଏପରି ହେଉଛି। ‘ମୁଁ ପହଁରା ଶିଖିନାହିଁ, ଗଭୀର ପାଣିରେ ପଡ଼ିଲେ ମରିଯିବି’ ଭାବନା ମନରେ ଭୟ ସୃଷ୍ଟି କରିଥାଏ। ପାଣିରେ ପଡ଼ି ବୁଡ଼ି ଯିବାର ଭୟରେ ହୃଦ୍ଘାତ ପାଇଁ ବହୁ ଲୋକ ମରିଥା’ନ୍ତି।
ମଣିଷ ପାଣିରେ ପଡ଼ି ନାକ ଏବଂ ପାଟି ବାଟେ ପାଣି ପେଟ ମଧ୍ୟକୁ ପ୍ରବେଶ କରୁଥିବାରୁ ବୁଡ଼ି ମରୁଛି। ନାକ ଏବଂ ପାଟି ବାଟେ ଶରୀର ମଧ୍ୟକୁ ଅଧିକ ପାଣି ପ୍ରବେଶ କରୁଥିବାରୁ ଶରୀରର ଓଜନ ସେ ଜଳରେ ଅପସାରିତ କରୁଥିବା ଜଳର ଓଜନଠାରୁ ଅଧିକ ହୋଇଯାଏ। ତେଣୁ ମଣିଷ ବୁଡ଼ିଯାଏ। ଯଦି ଶରୀରକୁ ନାକ ଓ ପାଟି ବାଟେ ପାଣି ପ୍ରବେଶ ନକରେ, ତେବେ ମଣିଷ ପାଣିରେ ସାଧାରଣତଃ ବୁଡ଼ିବ ନାହିଁ ବୋଲି ଶ୍ରୀ ବରାଳ ଦାବି କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଣିରେ ଭାସିବା ପାଇଁ ପହଁରା ଜାଣିବା ନିହାତି ଜରୁରୀ ନୁହେଁ। ମଣିଷ ତା’ କପାଳକୁ ଜଳାଶୟର ଜଳ ସହିତ ସମାନ୍ତରାଳ କରି ରଖିଲେ କିମ୍ବା ଆକାଶକୁ ଚାହିଁ ଆକାଶ ସହିତ ମସ୍ତିଷ୍କକୁ ସମାନ୍ତରାଳ କରି ରଖିଲେ, ଶରୀର ପାଣିରେ ଭାସିବ। ତେବେ ପହଁରା ଜାଣି ନଥିବା ବ୍ୟକ୍ତି ବିନା ପ୍ରଶିକ୍ଷକରେ ପାଣିରେ ଭାସିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଘାତକ ହୋଇପାରେ। କମ୍ ପାଣିରେ ପ୍ରଶିକ୍ଷକଙ୍କ ସହଯୋଗରେ ପାଣିରେ ଭାସିବା ଶିଖିବା ଉଚିତ।