ଦୁଷ୍ପ୍ରାପ୍ୟ ହେବ ପାଣି

ଭୁବନେଶ୍ବର: ଜଳ ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ବିଶ୍ବର ୫୦ କୋଟି ଲୋକ ଜଳ କଷ୍ଟ ଭୋଗୁଛନ୍ତି। ଆଗାମୀ ଦିନରେ ଏହି ସମସ୍ୟା ଅଧିକାଂଶ ଲୋକଙ୍କୁ କବଳିତ କରିବ। ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତନ ପରି ଗମ୍ଭୀର ସମସ୍ୟା ଜଳକୁ ଅଧିକ ଦୁଷ୍ପ୍ରାପ୍ୟ କରିବ। ଜଳର ବିଭିନ୍ନ ଉତ୍ସ ଏବେ ପ୍ରଦୂଷିତ ହୋଇ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏମିତିକି ପ୍ରଦୂଷିତ ଜଳ ବ୍ୟବହାର କରି ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ସାଢ଼େ ୪ଲକ୍ଷ ଶିଶୁ ପ୍ରତି ବର୍ଷ ମୃତ୍ୟୁବରଣ କରୁଛନ୍ତି। କୃଷି ଶିଳ୍ପ, ବ୍ୟବସାୟ ଓ ‌ଘରୋଇ କ୍ଷେତ୍ରରେ ବର୍ଧିତ ଜଳ ଆବଶ୍ୟକତାକୁ ନେଇ ରାଜ୍ୟ, ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସ୍ତରରେ ସଂଘର୍ଷର ସୂତ୍ରପାତ ଆରମ୍ଭ ହୋଇଗଲାଣି। ଏଭଳି ଘଡ଼ିସନ୍ଧି ସମୟରେ ଭୂପୃଷ୍ଠ ଓ ଭୂତଳ ଜଳର ସୁରକ୍ଷା, ସୁବିନିଯୋଗ, ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି ଓ କାର୍ଯ୍ୟପନ୍ଥା ଗ୍ରହଣକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ପରିବେଶ ସମିତି ପକ୍ଷରୁ ‘ଭାରତରେ ଜଳ ସମସ୍ୟା: ବର୍ତମାନ ଓ ଭବିଷ୍ୟତ’ ଶୀର୍ଷକ ବିଷୟରେ ଆୟୋଜିତ ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ଏପରି ମତ ରଖିଛନ୍ତି।

ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡ. ପ୍ରମୋଦ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପଯୁକ୍ତ ପରିଚାଳନା ଅଭାବରୁ କିଭଳି ଜଳ କଷ୍ଟ ବୃଦ୍ଧି ପାଉଛି ତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଉପସଭାପତି ଡ. ଲାଲା ଏକେ ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଇଂ ମୁକ୍ତିପଦ ପଣ୍ଡା, ଇଂ ବିନୋଦ ଚନ୍ଦ୍ର ପାଢ଼ୀ, ସୁବାସ ଚନ୍ଦ୍ର ଶତପଥୀ, ଡ. ପ୍ରଦୀପ କୁମାର ରଥ, ପ୍ରକାଶ ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ପରିଡ଼ା, ନଗେନ୍ଦ୍ରନାଥ ମିଶ୍ର, ଏନ୍‌.ସି ପାଣି, ରଘୁନାଥ ପୃଷ୍ଟି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର