ଟ୍ୟାପ୍‌ ପାଣିରୁ ବାହାରୁଛି ପୋକ, ସାଲିଆସାହି‌ରେ ସଫା ହେଉନି ପାଣି ଟାଙ୍କି

ଚନ୍ଦ୍ରଶେଖରପୁର: ସହରବାସୀଙ୍କୁ ସ୍ବଚ୍ଛ ଓ ନିର୍ମଳ ଜଳ ଯୋଗାଇଦେବା ପାଇଁ ପାଣି ଟାଙ୍କି ହୋଇଛି। ଲୋକେ କିଭଳି ସୁବିଧା ଓ ସହଜରେ ପାନୀୟ ଜଳ ପାଇପାରିବେ ସେଥିପାଇଁ ଘର ନିକଟରେ ଟ୍ୟାପ୍‌ ବି ଲାଗିଛି। ଯାହାଦ୍ବାରା ସ୍ବଚ୍ଛ ପାନୀୟ ଜଳ ପାଇବା ଲାଗି ଲୋକେ ଅଧିକ ବାଟ ଯିବେନି କି ପାଣି ମୁନ୍ଦାଏ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ତେବେ ଲୋକଙ୍କୁ କିଭଳି ସ୍ବଚ୍ଛ ପାନୀୟ ଜଳ ମିଳୁଛି ତାହା ଏବେ ନଜରକୁ ଆସିଛି। ଲୋକେ ଘର ପାଖ ଟ୍ୟାପ୍‌ରୁ ପାଣି ଆଣୁଛନ୍ତି ସତ। ‌ହେଲେ ତାହା ସ୍ବଚ୍ଛ ନୁହେଁ। ବରଂ ପାଣିରେ ଭାସୁଛନ୍ତି ପୋକ। ଏଭଳି ଘଟଣା ଖୋଦ୍‌ ରାଜଧାନୀର ସାଲିଆସାହିରେ ଦେଖିବାକୁ ମିଳିଛି। ଟ୍ୟାପ୍‌ ପାଣିରୁ ପୋକ ବାହାରୁଥିଲେ ମଧ୍ୟ ମଙ୍ଗଳା ନଗରର ଲୋକେ ପ୍ରତିଦିନ ସେହି ପାଣି ପିଉଥିବା କହିଛନ୍ତି।

ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଏଠାରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା ସଫା ହୋଇ ନାହିଁ। ୨୦୧୮ ମସିହାରେ ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଏନେଇ ଧାରଣା, ଆନ୍ଦୋଳନ ଚେତାବନୀ ଦିଆଯିବା ପରେ ପାଣି ଟାଙ୍କି ସଫା ହୋଇଥିଲା। ସେବେଠାରୁ ଆଉ କାହାର ବି ଦେଖା ନାହିଁ। ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ସରକାରୀ ବାବୁଙ୍କୁ ଭେଟିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ୱାର୍ଡରେ କର୍ପୋରେଟର ନ ଥିବାରୁ ବିଏମ୍‌ସି ୱାର୍ଡ ଅଫିସରେ ଅଭିଯୋଗ କରିଥିଲୁ। ତେବେ ଶୁଣିଲେ ନାହିଁ। ବରଂ ଆଜିକାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଟାଙ୍କି ସଫା ହୋଇ ନାହିଁ କି ବ୍ଲିଚିଂ ପାଉଡର ପଡ଼ି ନାହିଁ। ଯେଉଁଥିପାଇଁ ଟାଙ୍କିରେ ଜିଆ, ଲାଙ୍ଗୁଡ଼ା ପୋକ ଆଦି ଭାସୁଛନ୍ତି। ପ୍ରତିଦିନ ପୋକ ବାହାରୁଥିଲେ ମଧ୍ୟ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ସେହି ପାଣି ପିଉଛୁ। ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କରିବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର