ଜଟଣୀ: ଶିଶୁ ଖାଉଛନ୍ତ ନିମ୍ନମାନର ଖାଦ୍ୟ। ଅଭାବରେ ପଡ଼ି ନୁହେଁ, ବରଂ ସରକାର ଯୋଗାଉଛନ୍ତି ଏଭଳି ଖାଦ୍ୟ। ମଧ୍ୟାହ୍ନ ଭୋଜନରୁ ବାହାରୁଛି ପୋକ, କଳା ଭାତ। ଏଭଳି ଅଭିଯୋଗ ଜଟଣୀ ବିକାଶନଗର ସ୍ଥିତ କେଦାରନାଥ ରାୟ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସୁଛି। ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଡ୍ରପ୍ ଆଉଟ୍ ହାର କମାଇବା ପାଇଁ ଏଭଳି ଏକ ବ୍ୟବସ୍ଥା କରାଯାଇଥିବା ବେଳେ, ଏଥିରେ ଏଭଳି ସାଂଘାତିକ ଅଭିଯୋଗ କେବଳ ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିନାହିଁ, ବରଂ ପୁଣି ଥରେ ଡ୍ରପ୍ ଆଉଟ୍ ହାର ବଢ଼ାଇବା ପାଇଁ ବାଟ ଖୋଲିଛି। ୧୯୭୯ ମସିହାରେ ବିକାଶନଗରଠାରେ ଏହି ବିଦ୍ୟାଳୟ ନିର୍ମାଣ କରାଯାଇଥିଲା। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୧ ପିଲା ପାଠ ପଢ଼ୁଛନ୍ତି। ଏଥିପାଇଁ ପ୍ରଧାନଶିକ୍ଷକଙ୍କ ସମେତ ୪ ଜଣ ଶିକ୍ଷକଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ହେଲେ ବିଦ୍ୟାଳୟଟି ଯାବତୀୟ ସମସ୍ୟା ଦେଇ ଗତି କରୁଛି। ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ବେଳେ ଅନେକ ସମୟରେ ରନ୍ଧା ଖାଦ୍ୟରୁ ପୋକ ବାହାରୁଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଶସ୍ତାରେ ଚାଉଳ ଆଣି ରନ୍ଧା ଯାଉଥିବାରୁ ଖାଦ୍ୟର ମାନ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ମଧ୍ୟାହ୍ନ ଭୋଜନ ସ୍କୁଲ୍ରେ ହିଁ ରନ୍ଧା ହେଉଛି। ତରକାରି ମଧ୍ୟ ସମ୍ପୂର୍ଣ୍ଣ ପାଣିଆ ବୋଲି ଅଭିଯୋଗ ହୋଇଛି।
ସମସ୍ୟା ଘେରରେ କେଦାରନାଥ ରାୟ ସରକାରୀ ପ୍ରାଥମିକ ବିଦ୍ୟାଳୟ
ସ୍କୁଲ ପଛପଟେ ପାଚେରି ନଥିବାରୁ ଅସାମାଜିକ ବ୍ୟକ୍ତି ଏହା ଭିତରକୁ ଅବାଧ ପ୍ରବେଶ କରୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ମଦ୍ୟପାନର ଆସର ଜମୁଛି। ଫାଟକ ମଧ୍ୟ ଖୋଲା ରହୁଥିବାରୁ ବୁଲା କୁକୁର, ବୁଲା ଗୋରୁ, ପଶି ବିଦ୍ୟାଳୟ ପରିବେଶ ନଷ୍ଟ କରୁଛନ୍ତି। ଝାଡ଼ାପରିସ୍ରା କରୁଥିବାରୁ ସେଠାରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ବର୍ଷା ଦିନେ ସ୍କୁଲ ଛାତରୁ ପାଣି ଗଳୁଛି। ଫଟା ଆଜ୍ବେଷ୍ଟସ୍ଦେଇ ପାଣି ବୋହି ଆସି ଘରେ ଭାସୁଛି। ବସିବା ପାଇଁ ପିଲା ଜାଗା ଖୋଜୁଛନ୍ତି। ଆଉ ଗୋଟିଏ ବଡ଼ ଅଭିଯୋଗ ହେଉଛି ଅଧିକାଂଶ ସମୟରେ ଶୌଚାଳୟ ତାଲା ପଡ଼ି ରହୁଛି। ଫଳରେ ପିଲାମାନେ ଏହାକୁ ବ୍ୟବହାର କରିବାକୁ ସକ୍ଷମ ହେଉନାହାନ୍ତି। ପରିମଳକୁ ସରକାରୀ ସ୍ତରରେ ଗୁରୁତ୍ବର ସହ ନିଆଯାଉଥିବା ବେଳେ ଶୌଚାଳୟ ତାଲା ପକାଇ ରଖିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁରାତନ ଛାତ୍ର ତପନ ସାହୁ କହିଛନ୍ତି, ‘ଆମେ ଏହି ବିଦ୍ୟାଳୟରେ ପାଠ ପଢ଼ି ବଡ଼ ହେଇଛୁ। କିନ୍ତୁ ଆଜି ପିଲାମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରିଷ୍କାର ବାରଣ୍ଡାରେ ବସି ନିମ୍ନମାନର ମଧ୍ୟାହ୍ନଭୋଜନ ଖାଉଛନ୍ତି। ପ୍ରଶାସନ ଏଥିପ୍ରତି ତୁରନ୍ତ ନଜର ଦେଉ। ସରକାର ଏବେ ମଧ୍ୟାହ୍ନ ଭୋଜନର ଖର୍ଚ୍ଚକୁ ଆଖି ଆଗରେ ରଖି ବଜେଟ୍ ବଢ଼ାଇଛନ୍ତି। କିନ୍ତୁ ଏଭଳି ଅଭିଯୋଗ ସମଗ୍ର ବ୍ୟବସ୍ଥାକୁ ବିବାଦକୁ ଟାଣୁଛି। ଏଭଳି ଏକ ଗୁରୁତର ଅଭିଯୋଗକୁ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମଞ୍ଜରୀ ସାହୁ କହିଛନ୍ତି, ‘ମଧ୍ୟାହ୍ନଭୋଜନ ପାଇଁ ଯେତିକି ଟଙ୍କା ଆସୁଛି ସେତିକିରେ ରୋଷେଇ ହେଉଛି। ମଧ୍ୟାହ୍ନଭୋଜନ ଦାୟିତ୍ୱ କୌଣସି ଗୋଷ୍ଠୀ କିମ୍ବା ଅନ୍ୟ କାହାକୁ ଦେବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଆମେ ଅବଗତ କରାଇଛୁ। କିନ୍ତୁ କୌଣସି ବ୍ୟବସ୍ଥା ହୋଇନାହିଁ। ମଧ୍ୟାହ୍ନ ଭୋଜନ ସ୍କୁଲ୍ରେ ରନ୍ଧା ଯାଉଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/20/1BxLqyc0bnl9BUTQ0l1i.jpg)