ଚିନ୍ତାରେ ପକାଇଛି ଭିନ୍ନ କୋଭିଡ୍‌ ରିପୋର୍ଟ; ସରକାରୀ ପଜିଟିଭ୍‌ , ବେସରକାରୀ ନେଗେଟିଭ୍‌

ବାଲିପାଟଣା : ଦୁଇ ଭିନ୍ନ କୋଭିଡ୍‌ ରିପୋର୍ଟକୁ ନେଇ ସ୍ଥାନୀୟ ଏକ ପରିବାର ଚିନ୍ତାରେ ପଡ଼ିଛି। ସରକାରୀ ରିପୋର୍ଟ ପଜିଟିଭ୍‌ ବୋଲି ଦର୍ଶାଇଥିବା ବେଳେ ବେସରକାରୀ ରିପୋର୍ଟରେ ନେଗେଟିଭ୍‌ ଥିବା ଜଣାପଡ଼ିଛି। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଏବଂ ବିଏମ୍‌ସି ତରଫରୁ ପଜିଟିଭ ରିପୋର୍ଟ ନେଇ ବାରମ୍ବାର ମେସେଜ୍‌ ଆସୁଥିବାରୁ ପରିବାରଲୋକେ କେଉଁ ରିପୋର୍ଟକୁ ଭରସା କରିବେ ବୋଲି ଭାବି ପାରୁନାହାନ୍ତି।

ସୂଚନା ଅନୁସାରେ, ବାଲିପାଟଣା ପିରିଖାପାଟଣା ଗ୍ରାମର ଲୋକନାଥ ବେହେରାଙ୍କ ପୁଅ ମହେଶ ବେହେରା ଗତ ୧୮ ତାରିଖରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆର୍‌ଟି-ପିସିଆର ପରୀକ୍ଷା କରାଇଥିଲେ। ୨ ଦିନ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ତାଙ୍କୁ କରୋନା ପଜିଟିଭ୍‌ ବୋଲି ସୂଚନା ଦିଆଯାଇଥିଲା ଏବଂ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଗୃହ ସଙ୍ଗରୋଧରେ ଥାଇ ସେ ଆଜି ପୁଣି ଏକ ଘରୋଇ ଲାବ୍‌ରେ ପରୀକ୍ଷା କରାଇଥିଲେ ଏବଂ ସେଠାରୁ ତାଙ୍କୁ ନେଗେଟିଭ୍‌ ରିପୋର୍ଟ ମିଳିଛି।

ସେହିପରି ଇନ୍ଦୋଳକୁସିଆରୀ ଗ୍ରାମର ୱାର୍ଡ ମେମ୍ବର ସୁଶାନ୍ତ ବିଶ୍ୱାଳଙ୍କୁ ପିଜିଟିଭ୍‌ ବୋଲି ସୂଚନା ମିଳିବା ପରେ ସେ ଗୃହ ସଙ୍ଗରୋଧରେ ଥିଲେ। କିନ୍ତୁ ତାଙ୍କୁ ପଜିଟିଭ୍‌ ରିପୋର୍ଟ ମିଳି ନଥିଲା। ତେଣୁ ସେ ଏବେ ଦ୍ବନ୍ଦ୍ବ‌ରେ ପଡ଼ିଥିବା କହିଛନ୍ତି। ତେବେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ସୂଚନା ଅନୁସାରେ, ସ୍ବାବ୍ ନମୁନା ସଂଗ୍ରହ ବେଳେ ଉକ୍ତ ସ୍ଥାନରେ ଭୁତାଣୁ ଥିଲେ ପଜିଟିଭ୍‌ ରିପୋର୍ଟ ଆସିବ। ଯଦି ଉକ୍ତ ସ୍ଥାନରେ ଭୁତାଣୁ ନଥାଏ ତେବେ ନେଗେଟିଭ୍‌ ରିପୋର୍ଟ ଆସିବ। ତେଣୁ ଗୃହ ସଙ୍ଗରୋଧରେ ରହିବା ବିଧେୟ।

ସମ୍ବନ୍ଧିତ ଖବର