ଚନ୍ଦ୍ରଶେଖରପୁର: ଆଦିମ ୱରା ଜାରପା ଅନୁଷ୍ଠାନ ପକ୍ଷରୁ ନୀଳାଦ୍ରିବିହାର ପଣ୍ଡାପାର୍କ ଆଦିବାସୀ ବସ୍ତି ଜାହିରାସସ୍ଥ ଆରାଧ୍ୟ ଦେବତା ମାରାଙ୍ଗବୁରୁଙ୍କ ପୀଠରେ ବାହାବଙ୍ଗା ପରବ ପାଳନ କରା ଯାଇଛି। ଏହି ପର୍ବରେ ରାଜଧାନୀ ତଥା ରାଜଧାନୀ ଆଖପାଖରୁ ୨ ହଜାରରୁ ଅଧିକ ଆଦିବାସୀ ପରିବାର ଏକାଠି ହୋଇଥିଲେ। ସେମାନେ ପାରମ୍ପରିକ ଆଦିବାସୀ ପୋଷାକ ପିନ୍ଧି ସେଥିରେ ଅଂଶଗ୍ରହଣ କରିଥିଲେ। ଫଳରେ ସ୍ଥାନଟି ଏକ ଭିନ୍ନ ରୂପ ଧାରଣ କରିଥିଲା। ଏହି ଅବସରରେ ଜାହିରା ପଡ଼ିଆର ମଧ୍ୟଭାଗରେ ଥିବା ମାରାଙ୍ଗବୁରୁଙ୍କ ପୀଠରେ ପୂଜା ଅନୁଷ୍ଠିତ ହୋଇଥିଲା। ଶାଳଗଛର ଫୁଲକୁ ପୂଜା କରାଯିବା ପରେ ତାହାକୁ ମହିଳାମାନେ ନିଜ ଖୋସା ଓ ପୁରୁଷମାନେ କାନରେ ଖୋସିଥିଲେ।
ଏହାପରେ ପାରମ୍ପରିକ ଢ଼ୋଲ, ମାଦଳ, ତାସା, ମହୁରୀ, ତାମସା, ଚଡ଼ଚଡ଼ି, ତୁମ୍ଭା, ଘଣ୍ଟ ଓ ସିଙ୍ଘା ବଜାଇ ହାତରେ ହାତ ଛନ୍ଦି ନୃତ୍ୟ ପରିବେଷଣ କରିଥିଲେ। ସେମାନେ ମାରାଙ୍ଗବୁରୁଙ୍କ ଚାରିପଟେ ପରିକ୍ରମା କରି ନୃତ୍ୟ କରିବାର ଦୃଶ୍ୟ ଅତ୍ୟନ୍ତ ମନମୋହକ ଥିଲା। ସମସ୍ତେ ପାରଂପରିକ ସାନ୍ତାଳୀ ପୋଷାକ ପିନ୍ଧିଥିଲେ ହେଁ ରାଜଧାନୀରେ ରହୁଥିବା କେତେକ ଆଦିବାସୀ ଯୁବକଯୁବତୀ ଆଧୁନିକ ପୋଷାକ ପିନ୍ଧି ଯୋଗଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ସେହି ମଞ୍ଚରୁ ନୃତ୍ୟ ସମ୍ପର୍କିତ ବିଭିନ୍ନ ପ୍ରକାର ସୂଚନା ଦିଆଯାଉଥିଲା।
ସୂଚନା ଅନୁଯାୟୀ, ଏହି ବାହାବଙ୍ଗା ପର୍ବ ଫଗୁଣ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ଏହି ପର୍ବ ପାଳନ କରି ଆଦିବାସୀମାନେ ଜଙ୍ଗଲକୁ ଯାଇ ବୃକ୍ଷଦେବତାଙ୍କ ପୂଜା କରିବା ସହ ବିଭିନ୍ନ ପ୍ରକାର ଫଳ ଓ ଅନ୍ୟ ଖାଦ୍ୟ ସଂଗ୍ରହ କରିଥାନ୍ତି। ସେମାନେ ବିଶ୍ବାସ କରନ୍ତି ଯେ ମାରାଙ୍ଗବୁରୁଙ୍କୁ ପୂଜାକଲେ ବର୍ଷସାରା ସବୁ ପ୍ରକାର ସୁଖ ମିଳିଥାଏ। ଅଭାବ ରହେ ନାହିଁ। ଆଜି ମଞ୍ଚେଶ୍ବର ଲାଇନସାହିରେ ରହୁଥିବା ସାନ୍ତାଳମାନେ ମଧ୍ୟ ନିଜ ଅଞ୍ଚଳର ଯାତ୍ରାପଡ଼ିଆରେ ମାରାଙ୍ଗବୁରୁଙ୍କୁ ପୂଜା କରିଥିଲେ। ସେଥିରେ ସାନ୍ତାଳ ଯୁବକଯୁବତୀ ପାରମ୍ପରିକ ବାଦ୍ୟଯନ୍ତ୍ର ସହିତ ନୃତ୍ୟରେ ଝୁମିଥିଲେ।