ସର୍ବଧର୍ମର ପୂଜାସ୍ଥଳୀ

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍

ଚନ୍ଦ୍ରଶେଖରପୁର: ପ୍ରତିବର୍ଷ ଭଳି ଏଥର ମଧ୍ୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଓନର୍ସ ଆସୋସିଏସନ୍ ପକ୍ଷରୁ ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ରୁ ଆସୋସିଏନ୍ ପକ୍ଷରୁ ମା’ଙ୍କ ପୂଜା କରାଯାଉଛି। ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଓ ମଣ୍ଡପର ପୀଠ ଦେବୀ ପ୍ରତିଦିନ ପୂଜା ପାଆନ୍ତି। ହିନ୍ଦୁ, ମୁସ୍‌ଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମର ଲୋକେ ମିଳିତ ଭାବେ ମଣ୍ଡପରେ ପୂଜା କରନ୍ତି। ଏଥିପାଇଁ ତିନିଧର୍ମର ଧାର୍ମିକ ସଙ୍କେତରେ ତୋରଣ ନିର୍ମାଣ କରାଯାଉଛି। ୧୪ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। କେନ୍ଦ୍ରାପଡ଼ାର ମୂର୍ତ୍ତି କାରିଗର ପ୍ରଫୁଲ୍ଲ କୁମାର ବେହେରା ମୂର୍ତ୍ତି ନିର୍ମାଣ କରୁଛନ୍ତି। ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରାଯିବ ନାହିଁ। କେବଳ ପନିପରିବା ରଙ୍ଗ ବ୍ୟବହାର ହେବ।

ସେହିପରି ପୂଜାମଣ୍ଡପରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯିବ ନାହିଁ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପାଖରେ ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବ। ଷଷ୍ଠୀରେ ବିଲ୍ୱବରଣୀ ପରେ ସପ୍ତମୀରେ ମା’ଙ୍କର ଚକ୍ଷୁଦାନ କରାଯିବ। ଅଷ୍ଟମୀରେ ମା’ଙ୍କ ନିକଟରେ ବିଧି ଅନୁସାରେ ପୂଜା କରାଯିବ। ପ୍ରତିଦିନ ମା’ଙ୍କ ପାଖରେ ଚରୁ ଅନ୍ନ ଭୋଗ ଲାଗି ହେବ। ନବମୀରେ ୨୧ଜଣ କୁମାରୀଙ୍କ ପୂଜା ବିଶେଷ ଆକର୍ଷଣ ସାଜିବ। ଅଷ୍ଟମୀ ଓ ନବମୀରେ ଲଡ଼ୁ ଭୋଗକୁ ଘରେ ଘରେ ବଣ୍ଟାଯିବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପ୍ରଶାସନର ସହଯୋଗ ନିଆଯାଇଛି। ପୂଜା ପାଇଁ କମିଟି ପକ୍ଷରୁ ସେଭଳି କୌଣସି ସ୍ୱତନ୍ତ୍ର ବଜେଟ୍‌ର ବ୍ୟୟବରାଦ କରାଯାଇନାହିଁ। ଆସୋସିଏସନ୍‌ର ସମସ୍ତ ସଭ୍ୟସଭ୍ୟା ତଥା ଶ୍ରଦ୍ଧାଳୁମାନେ ସ୍ୱଇଚ୍ଛାରେ, ସ୍ୱତଃପ୍ରବୃତ୍ତ ଭାବେ ଓ ମୁକ୍ତ ହସ୍ତ​ରେ ଆର୍ଥିକ ଅନୁଦାନରେ ପୂଜା କରାଯିବ।

ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ବେଶି ଗୁରୁତ୍ବ

ପ୍ରତିବର୍ଷ ପରି ଚଳିତବର୍ଷ ସର୍ବଧର୍ମ ସମନ୍ୱୟକୁ ନେଇ ତୋରଣ ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କ ଗାଇଡ଼୍‌ଲାଇନ୍ ଅନୁସାରେ ପୂଜା କରାଯିବାର ବ୍ୟବସ୍ଥା ହୋଇଛି। ଗାଇଡ୍‌ଲାଇନ୍ ଅନୁସାରେ ଉଭୟ ମହିଳା ଓ ପୁରୁଷ ଭକ୍ତଙ୍କ ଦର୍ଶନର ବ୍ୟବସ୍ଥା କରାଯିବ। କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ପ୍ରକାଶ ଚନ୍ଦ୍ର ବିଜୁଳି, ସଭାପତି

ଭକ୍ତଙ୍କଠାରୁ ଚାନ୍ଦା ଆଦାୟ ହେବନି

ପୂଜାମଣ୍ଡପ ଓ ଚତୁଃପାର୍ଶ୍ବରେ ଷଷ୍ଠୀରୁ ଦ‌ଶମୀ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯିବା ସହ ବିଶୋଧନ କରାଯିବ। ବୃକ୍ଷରୋପଣ ପାଇଁ ଆସୋସିଏସନ୍ ପକ୍ଷରୁ କଲୋନିର ପ୍ରତ୍ୟେକ ଘରେ ବିନା ମୂଲ୍ୟରେ ଚାରାବଣ୍ଟନ ହେବ। ୫ଦିନ ପର୍ଯ୍ୟନ୍ତ ପ୍ରତି ଘର ସମ୍ମୁଖରେ ଏକ ପୂର୍ଣ୍ଣ କଳସ ବସାଇବା ସହିତ ଘିଅ ଦୀପ ଜାଳିବା ପାଇଁ ଆସୋସିଏସନ୍ ପକ୍ଷରୁ ସମସ୍ତ ଭକ୍ତଙ୍କୁ ନିବେଦନ କରାଯାଇଛି। ଚଳିତବର୍ଷ ପୂଜା ପାଇଁ କୌଣସି ଚାନ୍ଦା ଆଦାୟ କରାଯିବ ନାହିଁ।
-ସରୋଜକାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ

ରାସାୟନିକ ରଙ୍ଗ ଓ ପ୍ଲାଷ୍ଟିକ୍‌ ବ୍ୟବହାର ହେବନି

ସବୁବର୍ଷ ନିଆରା ଢଙ୍ଗରେ ଏଠାରେ ପୂଜାପାଠ କରାଯାଏ। ଏଥର ମଧ୍ୟ ପୂଜା ମଣ୍ଡପରେ କୌଣସି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର କରାଯିବ ନାହିଁ। ମା’ଙ୍କ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ନିଷେଧ ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ମଣ୍ଡପରେ ମା’ଙ୍କ ସମସ୍ତ ପୂଜା କାର୍ଯ୍ୟ ସଂପନ୍ନ କରାଯିବ।
-ଦାମୋଦର ପ୍ରଧାନୀ, ଉପଦେଷ୍ଟା

ସମ୍ବନ୍ଧିତ ଖବର