ଉତ୍କଳୀୟ-ବଙ୍ଗୀୟ ରୀତିନୀତିରେ ମା’ଙ୍କୁ ଆବାହନ

ପୁରୁଣା ଏଜି କଲୋନି ଦୁର୍ଗାପୂଜା କମିଟି

ଭୁବନେଶ୍ବର: ୧୯୫୬ ମସିହାରୁ ଆରମ୍ଭ ହୋଇଥିବା ୟୁନିଟ୍‌-୪ସ୍ଥିତ ପୁରୁଣା ଏଜି କଲୋନି ଦୁର୍ଗାପୂଜା ୬୬ ବର୍ଷରେ ପଦାର୍ପଣ କରିଛି। ପୁରୁଣା ଭୁବନେଶ୍ବର ପରେ ନିଉ କ୍ୟାପିଟାଲରେ ଏହି ପୂଜା ସର୍ବପୁରାତନ ବୋଲି ଧରାଯାଏ। ଏଜି କାର୍ଯ୍ୟାଳୟ ଓ କଲୋନି ପ୍ରତିଷ୍ଠା ହେବା ପରେ ଭୁବନେଶ୍ବରକୁ ବଦଳି ହୋଇ ଆସିଥିବା ବହୁ ବଙ୍ଗୀୟ ଅଫିସରମାନେ ଏହି ପୂଜା ଆରମ୍ଭ କରିଥିଲେ। ତେଣୁ ଏହି ପୂଜାରେ ଉଭୟ ଉତ୍କଳୀୟ ଓ ବଙ୍ଗୀୟ ରୀତିନୀତିର ମିଶ୍ରଣ ଦେଖିବାକୁ ମିଳେ।

ଏଠାରେ ମା’ଙ୍କୁ ୧୦୮ ବେଲପତ୍ର ଆହୁତି ଦିଆଯାଏ। ସେହିଭଳି ବିଜୟା ଦଶମୀ ଦିନ ବରଣ କାର୍ଯ୍ୟକ୍ରମ ବି ରହିଛି। ବଙ୍ଗୀୟ ବିଧି ଅନୁସାରେ ଏଠାରେ ବ୍ରତୀମାନେ ମା’ଙ୍କୁ ମିଠା ଖୁଆଇବା ସହ ମା’ଙ୍କ ପାଦରେ ଅଳତା ଲଗାଇଥାଆନ୍ତି। ତେଣୁ ଭୁବନେଶ୍ବରର ଏହି ନିଆରା ପୂଜା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଗତ କିଛି ବର୍ଷ ହେଲା ଏଠାରେ ମା’ଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭା ପାଉଛି। ମହିଷାସୁର ମୁଣ୍ଡରେ ମଧ୍ୟ ରୁପା ମୁକୁଟ ଲଗାଯାଉଥିବା ବେଳେ ପାର୍ଶ୍ବ ଦେବଦେବୀଙ୍କୁ ମଧ୍ୟ ରୁପା ଅଳଙ୍କାରରେ ଭୂଷିତ କରାଯାଉଛି।

କୁହାଯାଏ ରାଜଧାନୀରେ ଏହି ପୂଜାରେ ପ୍ରଥମେ ଶଙ୍କୁଡ଼ି ଭୋଗଲାଗି ବିଧି ଅନୁସରିତ ହୋଇଥିଲା। ଏଥର ପ୍ରତିଦିନ ଖେଚୁଡ଼ି ଓ ଡାଲମା ଭୋଗଲାଗି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିଦିନ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ରହିଛି। ପ୍ରାୟ ୪ ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବ। ସପ୍ତମୀ, ଅଷ୍ଟମୀ ଓ ଦଶମୀ ଦିନ କଲୋନିର କଳାକାରଙ୍କ ସହିତ ଅନ୍ୟ କଳାକାରମାନେ ଭଜନ ପରିବେଷଣ କରିବେ। ନବମୀ ଦିନ କଲୋନିର କୁନିକୁନି ପିଲାମାନେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିବେ।

ମା’ଙ୍କ ପୂଜାକୁ ଅଧିକ ଗୁରୁତ୍ବ

ପ୍ରତିବର୍ଷ ବର୍ଷ ଏଠାରେ ସାଜସଜାଠାରୁ ପୂଜା ବିଧିକୁ ଅଧିକ ଗୁରୁତ୍ବ ଦିଆଯାଏ। ଏଥର ମଧ୍ୟ ଅନୁରୂପ ଭାବେ ପୂଜା ବିଧି ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପ୍ରସାଦ ସେବନ ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦିଆଯିବ। ପରମ୍ପରା ଅନୁସାରେ ବଙ୍ଗୀୟ ରୀତିନୀତି ସହ ଉତ୍କଳୀୟ ବିଧିରେ ମା’ଙ୍କୁ ଆବାହନ କରାଯିବ।
-ଯୁଧିଷ୍ଠିର ମହାନ୍ତି, ସଭାପତି

ଶୃଙ୍ଖଳିତ ପୂଜା ପାଇଁ ଆମର ନାଁ ଅଛି, ରହିବ

ଶୃଙ୍ଖଳିତ ପୂଜା ପାଇଁ ୧୯୮୪ ମସିହାରେ ରାଜ୍ୟ ସରକାରଙ୍କଠାରୁ ଆମ କମିଟି ପୁରସ୍କାର ପାଇଥିଲା। ତେଣୁ ଏହି ପରମ୍ପରାକୁ ଆମେ ବଜାୟ ରଖିବାକୁ ସବୁବର୍ଷ ଉଦ୍ୟମ କରିଆସୁଛୁ। ମା’ଙ୍କ ଆଶୀର୍ବାଦରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟତିକ୍ରମ ହୋଇନାହିଁ। ଏଥର ମଧ୍ୟ ଶ୍ରଦ୍ଧାଳୁମା‌ନେ ମା’ଙ୍କ ଆଶୀର୍ବାଦ ଲାଭ କରିବାରେ କୌଣସି ବାଧାବିଘ୍ନ ହେବ ନାହିଁ ବୋଲି ଆଶା କରୁଛୁ।
-ଯଯାତି କିଶୋର ମାଝୀ, ସଂପାଦକ

ସମ୍ବନ୍ଧିତ ଖବର