ଆଜି ପ୍ରଥମ ପାଳି ‘ଖୁଦୁରୁକୁଣି ଓଷା’: ଭାଇଙ୍କ ଶୁଭ ମନାସି ମଙ୍ଗଳାଙ୍କୁ ପୂଜିବେ ଭଉଣୀ

ଭୁବନେଶ୍ୱର: ଆସିଛି ଭାଦ୍ରବ ମାସ। ତା’ ସହିତ ବାଜିସାରିଛି ପା‌ର୍ବଣର ବିଗୁଲ। ଆସନ୍ତାକାଲି ପୂରପଲ୍ଲୀରେ ପାଳିତ ହେବ ଖୁଦୁରୁକୁଣି ଓଷାର ପ୍ରଥମ ପାଳି। ଭାଇମାନଙ୍କ ଶୁଭ ମନାସୀ ଭଉଣୀମାନେ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିବେ। ଏହି ଓଷାଟି ଓଡ଼ିଆ ଘରର ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତି ସହ ଜଡ଼ିତ। ଗାଁ ଗହଳିରେ ଜାକଜମକରେ ପାଳନ କରାଯାଉଥିବା ଖୁଦୁରୁକୁଣି ଓଷା ପାଳନରୁ ମଧ୍ୟ ବାଦ୍‌ ପଡ଼ିନାହିଁ ଭୁବନେଶ୍ବର। ଅତ୍ୟାଧୁନିକ ସହରୀ ସଭ୍ୟତା ଭିତରେ ରାଜଧାନୀର ଓଡ଼ିଆ ପରିବାରର ଯୁବତୀମାନେ ଖୁଦୁରୁକୁଣି ଓଷା ପାଳିବାକୁ ଆଦୌ ଭୁଲିନାହାନ୍ତି। ବିଶେଷକରି ବିଭିନ୍ନ ଆବାସିକ କଲୋନି, ହଷ୍ଟେଲ ଓ ମେସ୍‌ରେ ଏହି ପୂଜା ବେଶ୍ ଆନନ୍ଦଉଲ୍ଲାସର ସହ ପାଳନ କରାଯାଉଛି। ପୂଜା ପାଇଁ ଭିନ୍ନ ଭିନ୍ନ ଆକାରର ଖୁଦୁରୁକୁଣିଙ୍କ ମୂର୍ତ୍ତି ଏବେ ବଜାରରେ ମିଳୁଛି। ଆଜି ଶନିବାର ଥିବାରୁ ବର୍ଷା ସତ୍ତ୍ବେ ବେପାର ବେଶ୍‌ ଜମିଥିଲା।

ରାଜଧାନୀର ପ୍ରମୁଖ ଅଞ୍ଚଳରେ ଖୋଲି ଗଲାଣି ମା’ ମଙ୍ଗଳାଙ୍କ ମୂର୍ତ୍ତି ପସରା। ସହରର ପ୍ରମୁଖ ଛକମାନଙ୍କରେ ୧ ଫୁଟରୁ ଆରମ୍ଭ କରି ୧୦ ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ସହରର ଶୋଭାବର୍ଦ୍ଧନ କରୁଛନ୍ତି। ୬୦ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କା ପର୍ଯ୍ୟନ୍ତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବଜାରରେ ଏବେ ମିଳୁଛି। ୧ ନମ୍ବର ହାଟରେ ୧୫ ବର୍ଷ ଧରି ମୂର୍ତ୍ତି ବିକ୍ରି କରୁଥିବା ପ୍ରସନ୍ନ ବେହେରା କୁହନ୍ତି, ମୂର୍ତ୍ତି ବିକ୍ରି ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ରାଜଧାନୀରେ ମୂର୍ତ୍ତି ବେପାରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨ ବର୍ଷ ହେଲା କରୋନା ଯୋଗୁଁ ବେପାର ମାନ୍ଦା ଥିଲା। ଖୁଦୁରୁକୁଣି ଠାରୁ ଆରମ୍ଭ କରି ଗଣେଶ ପୂଜା, ବିଶ୍ବକର୍ମା ପୂଜା, ଦୁର୍ଗ ପୂଜା, କାଳି ପୂଜା ଓ କାର୍ତ୍ତିକେଶ୍ବର ପୂଜା ଯାଏ ମୂର୍ତ୍ତି ବେପାର ଭଲ ଜମେ।

ଚଳିତ ବର୍ଷ ମୂର୍ତ୍ତି ବିକ୍ରି ନେଇ ଆମେ ଖୁବ୍‌ ଆଶାବାଦୀ। ତେବେ ଦରଦାମ୍‌ ବୃଦ୍ଧି ଓ ବିଭିନ୍ନ କଞ୍ଚାମାଲ୍‌ର ଦାମ୍‌ରେ ବୃଦ୍ଧି ଯୋଗୁଁ ମୂର୍ତ୍ତି ଦାମ୍‌ ମଧ୍ୟ ୨୦ରୁ ୩୦ ଟଙ୍କା ଯାଏ ବଢ଼ିଥିବା ସେ କହିଛନ୍ତି। ତେବେ ଯେହେତୁ ଘରେ ଘରେ ଖୁଦୁରୁକୁଣି ପୂଜା ହେଉଛି, ତେଣୁ ଏହି ପୂଜାରେ ଛୋଟ ମୂର୍ତ୍ତି ହିଁ ଅଧିକ ବିକ୍ରି ହେଉଛି ବୋଲି ସେ କହିଥିଲେ। ପୁଣି ମା’ଙ୍କ ମୂର୍ତ୍ତି କେବଳ ପ୍ରଥମ ପାଳି ହିଁ ଯାହା ବିକ୍ରି ହୋଇଥାଏ। ଶେଷ ପାଳିକୁ ହାତ ଗଣତି କିଛି ବିକ୍ରି ହୁଏ ବୋଲି ସେ ପ୍ରକାଶ କରିଛନ୍ତି। ବାଲିପଟଣାରୁ ପ୍ରତିବର୍ଷ ରାଜଧାନୀକୁ ବହୁ ବେପାରୀ ଆସି ଏହି ବେପାର କରି ବେଶ୍‌ ଦୁଇ ପଇସା ଲାଭ ପାଇଥାନ୍ତି।

ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ପୁରୁଣା ଭୁବନେଶ୍ୱର: ଖୁଦୁରୁକୁଣି ପୂଜା ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨ଶହରୁ ଊର୍ଧ୍ୱ ସ୍ଥାନରେ ଏହି ପୂଜା ଅନୁଷ୍ଠିତ ହେବ। ତେବେ ବର୍ଷା ଯୋଗୁଁ ପ୍ରଥମ ପାଳି ପୂଜା ଫିକା ପଡ଼ିପାରେ। କପିଳେଶ୍ବର, ସୁନ୍ଦରପଦା, ପୁରୁଣା ଭୁବନେଶ୍ୱରର ଜମେଶ୍ୱର ପାଟଣା ସାହି, ବଣିଆ ସାହି, ବଡ଼ୁ ସାହି, ପରକରଣ ସାହି, ଦର୍ଜି ସାହି, ବଡ଼ଦାଣ୍ଡ ସାହି, କୁମ୍ଭାର ସାହି, ମଠ ସାହିର ବହୁ ଯୁବତୀମାନେ ଘରେ ଏହି ପୂଜା କରୁଛନ୍ତି। କୁମାରୀମାନଙ୍କ କହିବା ଅନୁଯାୟୀ ବର୍ଷା ଯୋଗୁଁ ପ୍ରଥମ ପାଳି ପୂଜା ନିରାଡ଼ମ୍ବର ଭାବେ କରାଯାଉଛି। ତେ‌ବେ‌ ଶେଷ ପାଳି ପୂଜା ଧୁମ୍‌ଧାମ୍‌ରେ ହେବ ବୋଲି ସେମାନେ କହିଛନ୍ତି।

ବଡ଼ୁ ସାହିରେ ନିଆରା ଢଙ୍ଗରେ ପୂଜା

ବିନ୍ଦୁସାଗର କୂଳ ମାର୍କଣ୍ଡେଶ୍ୱର ନିକଟ ଘାଟରେ ପୂଜା କରିବେ। କୁମାରୀମାନେ କାନ୍ଥରେ ମାଟି ଲେପନ କରି ହଳଦୀ ଓ କଉଡ଼ି ଦ୍ୱାରା ମା’ ମଙ୍ଗଳାଙ୍କ ଆଖି, କାନ, ପାଟି ଆଦି ତିଆରି କରି ପୂଜା କରିବେ। ସେମାନେ ବିନ୍ଦୁସାଗର କୂଳରେ ସକାଳେ ବାଲୁକା ପୂଜା ସହ ମା’ଙ୍କ ମୂର୍ତିକୁ ପୂଜା କରି ମଙ୍ଗଳାଙ୍କ ସ୍ତୁତି ପାଠ କରିବେ।

ସମ୍ବନ୍ଧିତ ଖବର