ଚନ୍ଦ୍ରଶେଖରପୁର: ଦଶହରାକୁ ଦୃଷ୍ଟିରେ ରଖି ରାଜଧାନୀ ଶାନ୍ତି କମିଟିର ପ୍ରଥମ ବୈଠକ ଆଜି ଚନ୍ଦ୍ରଶେଖରପୁରସ୍ଥିତ ଗ୍ରାଣ୍ଡ ଲୁମ୍ବିନି କନ୍ଭେନ୍ସନ୍ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ସରକାରଙ୍କ କୋଭିଡ୍-୧୯ କଟକଣାକୁ ପାଳନ କରି ମଣ୍ଡପ ଭିତରେ ବିନା ଭକ୍ତରେ ଶଙ୍ଖ, ହୁଳହୁଳି, ଘଣ୍ଟ ଓ ତେଲିଙ୍ଗ ବାଜା ବଜାଇ ପୂଜା କରିବାକୁ ପୂଜା ମଣ୍ଡପ କର୍ମକର୍ତ୍ତାକୁ ଶାନ୍ତି କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ମା’ଙ୍କ ମୂର୍ତ୍ତି ତିଆରିରେ ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ବି ପରାମର୍ଶ ଦିଆଯାଇଛି। ଚଳିତବର୍ଷ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍, ମଣ୍ଡପରେ ବିନା ସାଉଣ୍ଡ ଓ ଭକ୍ତରେ ପୂଜା କରିବା ପାଇଁ ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ କୁହାଯାଇଥିଲା। ତେବେ ମୂର୍ତ୍ତିର ଉଚ୍ଚତା ଆଉ ଟିକେ ବଡ଼ କରିବାକୁ ଅନୁମତି ଦେବାକୁ କମିଟି ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।
ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଜାରି କରାଯାଇଥିବାରୁ ପୂଜା ମଣ୍ଡପରେ ସାଉଣ୍ଡ ବଜାଇବାକୁ ଅନୁମତି ଦେବାକୁ ନିବେଦନ କରାଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ଘରେ ରହି ମା’ଙ୍କ ଚଣ୍ଡୀପାଠ ଶୁଣିପାରିବେ। ଏଥିସହ ଶ୍ରଦ୍ଧାଳୁ ପୂଜା ମଣ୍ଡପକୁ ନ ଯାଇ ରାସ୍ତାରେ ଯାଉଥିବା ବେଳେ ଦେଖିବା ଲାଗି ଅନୁମତି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା। ଏବର୍ଷ ପୂଜା ମଣ୍ଡପରେ ଖର୍ଚ୍ଚ କମ୍ ରହୁଥିବାରୁ ସେହି ଅର୍ଥରେ ବୃକ୍ଷରୋପଣ, ସାମାଜିକ କାର୍ଯ୍ୟ ଓ ମଣ୍ଡପରେ କରୋନା ସଚେତନ କରିବାକୁ ନିଷ୍ପତ୍ତି ହୋଇଛି। ରାଜଧାନୀ ଶାନ୍ତି କମିଟି ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ସେସୁର ଅବସରପ୍ରାପ୍ତ ସିଇଓ ସୁଦର୍ଶନ ନାୟକ, ଶାନ୍ତି କମିଟିର ଉପସଭାପତି ସୁବାସ ପାତ୍ର, ଆଇନଜୀବୀ ସୁର ରାଉତରାୟ, ପବିତ୍ର କୁମାର ବେହେରା, ଅଶ୍ବିନୀ ସୁନ୍ଦରାୟ, କୃଷ୍ଣଚନ୍ଦ୍ର ସେଠୀ, ଶଶଧର ହାଫିନ୍, ହାସନ ଖାଁ, ନାରାୟଣ ମହାପାତ୍ର, ଜୋନ୍-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଯୁବରାଜ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। କମିଟିର ସମ୍ପାଦକ ନବ କିଶୋର ବେହେରା ବିବରଣୀ ପାଠ କରିଥିବା ବେଳେ ଆଶାଲତା ରାଉତରାୟ ଗୀତାପାଠ କରିଥିଲେ। ବୈଠକକୁ ଦିଲ୍ଲୀପ କୁମାର ସାହୁ ଓ ବିଜୟ ପାତ୍ର ପରିଚାଳନା କରିଥିଲେ। ଆଇନଜୀବୀ ସମରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ ଦେଇଥିଲେ।