ଅପ୍ରାସଙ୍ଗିକ ହେବନି ତ ଷ୍ଟାଣ୍ଡିଂ କମିଟି?

ଭୁବନେଶ୍ବର: ଗତ ୨୩ ତାରିଖରେ ବିଏମ୍‌ସିର ୯ଟି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଆଗକୁ ଏମାନଙ୍କର କଣ କାର୍ଯ୍ୟପନ୍ଥା ହେବ? କିଭଳି ଜନସ୍ବାର୍ଥକୁ ଆଖି ଆଗରେ ରଖି ବିଏମ୍‌ସିକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରସ୍ତାବ ଦେବେ ସେ ନେଇ ଏହି କମିଟିମାନଙ୍କର ବୈଠକ ବସିବ। ଆସନ୍ତା ୧ ତାରିଖ ଠାରୁ ଏହି କମିଟିମାନଙ୍କର ବୈଠକ ବସିବ। ୯ଟି ଯାକ କମିଟିର ବୈଠକ ସରିବା ପରେ ୧୦ ତାରିଖ ଦିନ ବିଏମ୍‌ସିର ପ୍ରଥମ ‌କର୍ପୋରେସନ ବୈଠକ ବସିବ। ଏଥିରେ ଷ୍ଟାଣ୍ଡିଂ କମିଟି ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ଆଧାର କରି ଆଗାମୀ ଦିନର କାର୍ଯ୍ୟପନ୍ଥା ବାବଦରେ ନିଷ୍ପତ୍ତି ନିଆଯିବ। ତେବେ ପୂର୍ବ ବର୍ଷଗୁଡ଼ିକ ପରି ଷ୍ଟାଣ୍ଡିଂ କମିଟି ଅପ୍ରାସଙ୍ଗିକ ହୋଇ ରହିବ ନା କମିଟିକୁ ଶକ୍ତିଶାଳୀ କରାଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବିଏମ୍‌ସିର ଇତିହାସକୁ ବିଚାରକୁ ନେଲେ କେବେ ବି ଷ୍ଟାଣ୍ଡିଂ କମିଟି ଓ ତାହାର ଅଧ୍ୟକ୍ଷମାନଙ୍କୁ ଗୁରୁତ୍ବ ଦିଆଯାଇ ନାହିଁ। ଅଧ୍ୟକ୍ଷମାନେ କେବଳ ରବର ଷ୍ଟାମ୍ପ୍ ପରି ରୁହନ୍ତି। ଅନେକ ସମୟରେ ଦେଖାଯାଇଛି ଜନସ୍ବାର୍ଥ ଆଧାରରେ କମିଟି ପ୍ରସ୍ତାବ ଦେଇ ନାହିଁ। ଆଉ କେତେକ ଜାଗାରେ କମିଟିର ପ୍ରସ୍ତାବକୁ ବିଏମ୍‌ସି ଅଳିଆଗଦାରେ ପକାଇ ଦେଇଛି। ସର୍ବାଧିକ ସମୟରେ ଯେଉଁ ଦଳର ମେୟର ଓ ଡେପୁଟି ମେୟର ଥାଆନ୍ତି ସେହି ଦଳର କର୍ପୋରେଟରମାନେ ହିଁ ବିଭିନ୍ନ କମିଟିର ଅଧ୍ୟକ୍ଷ ହୋଇଥାନ୍ତି। ଏଣୁ ପ୍ରକଳ୍ପ ଜନସ୍ବାର୍ଥ ସପକ୍ଷରେ ହେଉ ବା ଜନସ୍ବାର୍ଥ ବିରୋଧୀ ହେଉ କର୍ପୋରେସନ ନେଉଥିବା ନିଷ୍ପତ୍ତିକୁ ଏହି ଅଧ୍ୟକ୍ଷମାନେ ଆଖିବୁଜି ସମର୍ଥନ କରିବାକୁ ବାଧ୍ୟ ହୋଇଥାନ୍ତି। ଅନ୍ୟପଟେ ସରକାରୀ ଦଳର ହୋଇଥିବାରୁ ସେମାନେ ମୁହଁ ଖୋଲିବେ ନାହିଁ ବୋଲି ଚିନ୍ତା କରି ଅଧିକାରୀମାନେ ମନଇଚ୍ଛା ନିଷ୍ପତ୍ତି ନେଇଥାନ୍ତି ଓ ସଫଳ ହୋଇଥାନ୍ତି। ଗତ ୨୩ ତାରିଖରୁ ଏହି ଅଧ୍ୟକ୍ଷମାନେ କ୍ଷମତାରେ ଥିଲେ ମଧ୍ୟ ଏହି ୭ ଦିନ ମଧ୍ୟରେ ବିଭିନ୍ନ ପ୍ରକଳ୍ପକୁ ବିଏମ୍‌ସି ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ଏମାନଙ୍କୁ ସୂଚନା ଦିଆଯାଇ ନାହିଁ। ଯଦିଓ କେହି ମୁହଁ ଖୋଲିବାକୁ ଚାହୁନାହାନ୍ତି, କମିଟିରେ କିନ୍ତୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଅବଧି ଭିତରେ ୧୫ରୁ ଊର୍ଦ୍ଧ୍ବ ରାସ୍ତାରେ ପେଭର ବ୍ଲକ ବିଛାଇବା ପାଇଁ ଯୋଜନା ହୋଇଛି। ଗୋଟିଏ ପ୍ରକଳ୍ପରେ ୧୦ରୁ ୧୫ ଲକ୍ଷ ଖର୍ଚ୍ଚ ହେଉଛି। ଭଲ ରାସ୍ତାକୁ ତାଡ଼ି ସେଥିରେ ଏଭଳି ପେଭର ବ୍ଲକ ପକାଇବାକୁ ଯୋଜନା କରିଛନ୍ତି। ୮୦ ପ୍ରତିଶତ ପ୍ରକଳ୍ପ ଆବଶ୍ୟକତା ନ ଥାଇ କରାଯାଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ୟୁନିଟ୍‌ ୪ ମଧୁସୂଦନ ନଗରରେ ରହିଛି। ପ୍ରଥମେ ପ୍ରାୟ ୧୩ ଲକ୍ଷ ଟଙ୍କାରେ ପେଭର ବ୍ଲକ୍‌ ପକାଇବା ପାଇଁ ବିଏମ୍‌ସି ଟେଣ୍ଡର କରିଦେଲା। ଭିତ୍ତିପ୍ରସ୍ତରରେ ବିଧାୟକ(ମଧ୍ୟ ଭୁବନେଶ୍ବର)ଙ୍କ ନାମ ସହିତ ମେୟରଙ୍କ ନାମ ରହିଥିଲେ ମଧ୍ୟ କେବଳ ବିଧାୟକ ଶୁଭ ଦେଲେ। ମେୟର ଆସିଲେ ନାହିଁ କିମ୍ବା ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ଏ ବାବଦରେ ସୁରାକ ଦିଆଗଲା ନାହିଁ। ଶେଷ‌ରେ ପରିସ୍ଥିତି ଏଭଳି ହେଲା ଯେ ବିଏମ୍‌ସି ପ୍ରକଳ୍ପ ବାତିଲ କରିବାକୁ ବାଧ୍ୟ ହେଲା। କାହା ସ୍ବାର୍ଥରେ ବିଏମ୍‌ସି ଇଞ୍ଜିନିୟରମାନେ ଏଭଳି ଏକ ପ୍ରସ୍ତାବ ଦେଇଥିଲେ? କାହିଁକି ଷ୍ଟାଣ୍ଡି କମିଟିକୁ ଅବଗତ କରାଇ ନଥିଲେ? ଏଥିରେ କାହାର ସ୍ବାର୍ଥ ରହିଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ଅଧିକାରୀମାନଙ୍କର ଭୂମିକାକୁ ବିବାଦୀୟ କରିଛି। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଏକାଧିକ ପେଭର ବ୍ଲକ ପ୍ରକଳ୍ପ ଷ୍ଟାଣ୍ଡିଂ କମିଟି ଅଗୋଚରରେ କରାଯାଇଥିବା ଅଭିଯୋଗ ହୋଇଛି।

ସେହିଭଳି ସହରର କେତେକ ନଳା ପୁନରୁଦ୍ଧାର ହେଉଥିବା‌ ବେଳେ କେତେକ ନୂଆ ତିଆରି ହେଉଛି। କେତେକ ଜାଗାରେ ସ୍ଲାବ୍‌ ଭାଙ୍ଗି ଯାଇଥିବାରୁ ସେଠାରେ ନୂଆ ସ୍ଲାବ୍‌ ପଡ଼ୁଛି। ଜୁନ୍‌ସୁଦ୍ଧା ନଳାକୁ ପ୍ରସ୍ତୁତ କରିବାକୁ କଡ଼ା ନିର୍ଦ୍ଦେଶ ଥିବାରୁ ସବୁଆଡ଼େ କାମ ଚାଲିଛି। ହେଲେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ସାମିଲ କରାଯାଇ ନାହିଁ। ଅନେକ ଜାଗାରେ ଜବରଦଖଲ ନ ହଟାଇ ନାଳକୁ ବଙ୍କେଇ ଦିଆଯାଉଛି। କେଉଁଠି ନଳା ଉପରେ ଯେଉଁ ମାପର ସ୍ଲାବ୍‌ ପଡ଼ିବା କଥା ତାହା ପଡ଼ୁ ନାହିଁ। ଯେନତେନ ପ୍ରକାରେଣ ପ୍ରକଳ୍ପ ତୁରନ୍ତ ସାରିବାକୁ ଠିକାଦାର ଲାଗିପଡ଼ିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଠିକାଦାରଙ୍କ ଜରିଆରେ ହରିଲୁଟ୍‌ ଚାଲିଛି।

ଆଜିଠାରୁ କମିଟି ବୈଠକ ଆରମ୍ଭ

ପୂର୍ବ ବର୍ଷଗୁଡ଼ିକରେ କମିଟି ଗୁରୁତ୍ବହୀନ ଥିଲା

ଏଥର ବି ଆରମ୍ଭରୁ ବିବାଦ

ଭିକାରୀ ଓ ନିରାଶ୍ରୟଙ୍କ ରହଣୀ ପାଇଁ ବିଏମ୍‌ସି ସ୍ବତନ୍ତ୍ର ବ୍ୟବସ୍ଥା କରିଛି। ଖରା, ବର୍ଷା ଓ ଶୀତରେ ଯେଭଳି ନିରାଶ୍ରୟ ରାସ୍ତା କଡ଼ରେ ପଡ଼ିବେ ନାହିଁ ସେଥିପାଇଁ ବିଏମ୍‌ସି ରହିବା ଘର ସହ ଖାଇବା ବ୍ୟବସ୍ଥା କରିଛି। ରାଜଧାନୀକୁ ଭିକାରୀମୁକ୍ତ ସହର କରିବା ପାଇଁ ବିଏମ୍‌ସି ମିସନ୍‌ ମୋଡ୍‌ରେ କାମ କରୁଛି। ଏମାନଙ୍କ ପାଇଁ ମଧ୍ୟ ରହିବା ଓ ଖାଇବା ବ୍ୟବସ୍ଥା ହୋଇଛି। ରହିବା ପାଇଁ ହୋଇଥିବା ଘର ପ୍ୟାକ୍‌ ରହୁଛି। ଖାଇବା ଖର୍ଚ୍ଚ ମଧ୍ୟ ସେହି ଅନୁପାତରେ ବିଏମ୍‌ସି ପୈଠ କରିଚାଲିଛି। ଏଣେ ଭିକାରୀ ବୁଲୁଛନ୍ତି, ନିରାଶ୍ରୟ ବି ରାସ୍ତା କଡ଼ରେ କମ୍‌ ନାହାନ୍ତି। ଆଶ୍ରୟସ୍ଥଳରେ ଖାଇବା ପାଇଁ ଆହାର କେନ୍ଦ୍ରରୁ ଖାଦ୍ୟ ଆସୁଛି। ଏଣେ ଖାଦ୍ୟ ବାବଦରେ ବିଏମ୍‌ସିରୁ ମୋଟା ଅଙ୍କର ବିଲ୍‌ ହେଉଥିବା ଅଭିଯୋଗ ହୋଇଛି। ବର୍ଷ ବର୍ଷ ଧରି ନିଜ ଘର ଭଳି ଏଥିରେ ଏକାଧିକ ସାଧାରଣ ଲୋକ ରହୁଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ବ୍ୟବସ୍ଥାରେ ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟିକୁ ଅଦ୍ୟାବଧି ସାମିଲ କରାଯାଇ ନାହିଁ। ଏଠା‌ରେ ମଧ୍ୟ ଅଧିକାରୀମାନଙ୍କର ମନମାନି ଚାଲିଛି।

ଏହା ତ’ ଦୁଇ ତିନିଟି ଷ୍ଟାଣ୍ଡିଂ କମିଟି କଥା। ୯ଟି ଯାକ ଷ୍ଟାଣ୍ଡିଂ କମିଟିର ସମାନ ଅବସ୍ଥା। ଅଧିକାରୀମାନେ କୌଣସି ଅଧ୍ୟକ୍ଷଙ୍କୁ ସାମିଲ କରିବାକୁ ଆଗ୍ରହ ରଖୁନାହାନ୍ତି। ଜଣେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କହିଛନ୍ତି, କମିଟି ଗୋଚରରେ ସମସ୍ତ କାମ ହେବା କଥା। କାମ ଟେଣ୍ଡର ହୋଇ ବାତିଲ ହେବା ପୂର୍ବରୁ କମିଟି ଜାଣିଲେ ଟେଣ୍ଡର ପର୍ଯ୍ୟନ୍ତ ଯାଆନ୍ତା ନାହିଁ। ବରଂ ଆଉ କେଉଁଠି ଆବଶ୍ୟକତା ଅଛି ସେଠାରେ କାମ ହୁଅନ୍ତା। ତେବେ ୧ ତାରିଖରୁ ଷ୍ଟାଣ୍ଡିଂ କମିଟିମାନଙ୍କର ବୈଠକ ବସିବ। ଆମେ ଆଶା‌ କରୁଛୁ ଆଗକୁ ଷ୍ଟାଣ୍ଡିଂ କମିଟିର ଗୁରୁତ୍ବ ରହିବ ଓ ଜନସ୍ବାର୍ଥରେ କାମ ହେବ।

ସମ୍ବନ୍ଧିତ ଖବର