ଭୁବନେଶ୍ୱର: ପାଠକୀୟ ସମ୍ବେଦନ ଗୋଟିଏସ୍ତରର ନୁହେଁ। ଏହା ସ୍ଥୂଳଭିତ୍ତିକ ଓ ସାର୍ବଜନୀନ। ସବୁ ସ୍ତରର ଲୋକଙ୍କର ଆକର୍ଷଣ ଏହା ପ୍ରତି ଥାଏ। ଆକର୍ଷଣ ସହ ବିକୃତ ଆକର୍ଷଣ ମଧ୍ୟ ଥାଏ। କିନ୍ତୁ ଯେଉଁ ଲେଖା ମଣିଷର ଚେତନାର ବହୁ ସ୍ତରରେ ଭେଦି ଯିବା ସହ ଆମର ଅନ୍ତରର ଅନ୍ତରତମ ପ୍ରଦେଶକୁ ଛୁଇଁଯାଏ, ସେହି ଉତ୍କଷ୍ଟ ଲେଖାଟି ଚିରଞ୍ଜୀବୀ ହୋଇଯାଏ ବୋଲି କହିଛନ୍ତି ବିଶିଷ୍ଟ ଲେଖକ ପଦ୍ମଶ୍ରୀ ମନୋଜ ଦାସ।

Advertisment

ଆଜି ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ‘ଶିକ୍ଷା ସନ୍ଧାନ’ ପକ୍ଷରୁ ଆୟୋଜିତ ସପ୍ତମ ବସନ୍ତ ଶତପଥୀ ସ୍ମାରକୀ ବକ୍ତତା ସମାରୋହରେ ‘ସାହିତ୍ୟ ଏବଂ ପାଠକୀୟ ସମ୍ବେଦନ’ ଶୀର୍ଷକ ବକ୍ତତା ପ୍ରଦାନ କରି ଶ୍ରୀ ଦାସ କହିଲେ, ସାହିତ୍ୟ ସୃଜନ କାଳରୁ ଭାରତୀୟ ସଭ୍ୟତାକୁ ନେଇ ଯେଉଁ ମହତ ସାହିତ୍ୟ ସୃଷ୍ଟି ହୋଇଛି, ସେଥିରେ ସୃଜନ ସଙ୍ଗେ ସଙ୍ଗେ ମୂଲ୍ୟାୟନ ଏକତ୍ର ରହି ଆସିଛି। ତେବେ କେଉଁ ପ୍ରକାର ସାହିତ୍ୟରେ ପାଠକୀୟ ମୂଲ୍ୟାୟନ ନୀତି ପ୍ରଯୁଜ୍ୟ, ତାହା ନିର୍ଦ୍ଧାରଣ କରିବା ଆବଶ୍ୟକ। ବେଦ କିମ୍ବା ଉପନିଷଦକୁ ଆମେ ମୂଲ୍ୟାୟନ କରିବା ତ ଠିକ୍‌ ହେବ ନାହିଁ। କିନ୍ତୁ ଯାହା ସମାଜ ପାଇଁ ଉନ୍ମୁକ୍ତ ଯଥା ଦୁଇ ମହାକାବ୍ୟ ରାମାୟଣ ଓ ମହାଭାରତକୁ ପାଠକୀୟ ସ୍ୱୀକୃତି ମିଳିଛି। ମହାଭାରତର ପ୍ରଭାବ ଏହାର ସ୍ପଷ୍ଟ ପ୍ରମାଣ। ଦେଶର ସମସ୍ତ ନାଟ୍ୟକଳା, ନାଟ୍ୟଧାରା, ସଂସ୍କୃତି ଆଦି ସହ ମହାଭାରତର ଚରିତ୍ରମାନ ବି ପାଠକଙ୍କୁ ପ୍ରଭାବିତ କରିଛି। ଏଣୁ ପାଠକୀୟ ସମ୍ବେଦନ ଯେଉଁ ଏକ ମହାକାବ୍ୟ ପ୍ରତି ପ୍ରଯୁଜ୍ୟ ସେ ହେଉଛି ମହାଭାରତ। କିନ୍ତୁ ଏହି ପାଠକୀୟ ସମ୍ବେଦନର ସେମିତି କୌଣସି ନୀତି ନ ଥାଏ। ଏହା ମଣିଷରୁ ମଣିଷ ପୃଥକ୍‌, କିନ୍ତୁ ସାର୍ବଜନୀନ ବୋଲି ଶ୍ରୀ ଦାସ କହିଥିଲେ। ଅନନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯତୀନ୍ଦ୍ର କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବସନ୍ତ ଶତପଥୀଙ୍କ ଗଳ୍ପ ‘ତେର ମିନିଟ୍‌’କୁ ଶ୍ରୀ ମହାପାତ୍ର ପଠନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶେଷରେ ଶିକ୍ଷା ସନ୍ଧାନର ସଦସ୍ୟ ସଂପାଦକ ଅନୀଲ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।