ଚନ୍ଦ୍ରଶେଖରପୁର: ଲେଖକମାନେ ନିଜର ଆତ୍ମଜୀବନୀ ରଚନା କରନ୍ତୁ। ଏହାଦ୍ବାରା ସେମାନେ ନିଜ ସମ୍ପର୍କରେ ଭବିଷ୍ୟତ ପିଢ଼ିଙ୍କ ଜାଣିବା ପାଇଁ କିଛି ତଥ୍ୟ ସାଇତି ରଖିପାରିବେ। ବିଶିଷ୍ଟ ସାହିତ୍ୟିକ ଗୋପୀନାଥ ମହାନ୍ତି ଆତ୍ମଜୀବନୀ ରଚନା କରିବେ ବୋଲି କହି ଶେଷ ମୁହୂର୍ତ୍ତରେ ଲେଖିବା ଆରମ୍ଭ କରିଥିଲେ। ମାତ୍ର ତାହା ପୂରଣ ହୋଇପାରିଲା ନାହିଁ। ତାଙ୍କ ବିଷୟରେ ଅନେକ ଅକୁହା କଥା ଅଧାରେ ରହିଗଲା। ତେଣୁ କବି କୃପାସାଗର ସାହୁ ଏବେଠାରୁ ନିଜର ଆତ୍ମଜୀବନୀ ଲେଖିବା ଆରମ୍ଭ କରନ୍ତୁ ବୋଲି ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କହିଛନ୍ତି। ରେଳପଥ ସାହିତ୍ୟ ପରିଷଦ ଓ କୁସୁମିତା ପବ୍ଲିକେସନର ମିଳିତ ସହଯୋଗରେ ରେଳକୁଞ୍ଜ ଅଫିସର୍ସ କ୍ଲବରେ ଅନୁଷ୍ଠିତ ‘ସ୍ବନାମଧନ୍ୟ କବି, କଥାକାର ଓ ଔପନ୍ୟାସିକ କୃପାସାଗର ସାହୁଙ୍କ ସାମଗ୍ରିକ ସୃଷ୍ଟି: ଏକ ଅବଲୋକନ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଏହା କହିଛନ୍ତି। କବି ଓ ସ୍ତମ୍ଭକାର ହରପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଯେେକୗଣସି କ୍ଷେତ୍ରରେ ୨୦ରୁ ୩୦ ବର୍ଷ ଧରି କାମ କରିବା ପରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ଅବଲୋକନ କରାଯିବାର ଆବଶ୍ୟକତା ରହିଛି। ଔପନ୍ୟାସିକ ତଥା ସ୍ତମ୍ଭକାର ବିଭୂତି ପଟ୍ଟନାୟକ କୃପାସାଗର ସାହୁଙ୍କ ରଚନା ଓ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଔପନ୍ୟାସିକ ଶ୍ରୀ ସାହୁଙ୍କ ଗଳ୍ପ ସଙ୍କଳନ ‘ପକ୍ଷୀ ଜନ୍ମରୁ ପାରିକର’ ଉନ୍ମୋଚିତ େହାଇଥିଲା।
ପ୍ରଥମ ଅଧିବେଶନରେ ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି ‘କବିର ଗାଁ-ଗାଁର କବି’ ଉପରେ ଆଲୋଚନା କରିଥିବା ବେଳେ ପ୍ରାବନ୍ଧିକ ବେଣୁଧର ପାଢ଼ୀ ‘କୃପାସାଗରଙ୍କ ଉପନ୍ୟାସ’, ଅଧ୍ୟାପିକା ମାନିନୀ ଜେନା ‘କୃପାସାଗରଙ୍କ ପଶୁ ଓ ପକ୍ଷୀ ଗଳ୍ପ’, ଅଧ୍ୟାପକ କିଶୋର ମିଶ୍ର ‘କୃପାସାଗରଙ୍କ ରେଳଗଳ୍ପ’ ଉପରେ ଆଲୋଚନା କରିଥିଲେ। ଅଧ୍ୟାପିକା ଝାନ୍ସୀ ସିଂହ ଅଧିବେଶନକୁ ସଂଯୋଜନା କରିଥିଲେ। ଦ୍ବିତୀୟ ଅଧିବେଶନରେ ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ସଭାପତିତ୍ବରେ କଥାକାର ଶ୍ରୀ ସାହୁଙ୍କ ସହ ପ୍ରେଶ୍ନାତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାଳ୍ପିକ ବାସନ୍ତୀ ମହାନ୍ତି ଅଧିବେଶନକୁ ସଂଯୋଜନା କରିଥିବା ବେଳେ କବି ନୃସିଂହ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/madhu-1.jpg)