କରୋନା ମୃତ୍ୟୁ ନେଇ ଭୁଲ୍‌ ଖବର, କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି?

ବାଲିପାଟଣା : ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଛି କରୋନା ବାବଦରେ ଭୁଲ୍‌ ଖବର। ଲୋକଙ୍କୁ ଆତଙ୍କିତ କରାଯାଉଛି। ଅଥଚ କାର୍ଯ୍ୟାନୁଷ୍ଠାନ ଶୂନ। ଖୋଦ୍ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଭିଡିଓ ବାର୍ତ୍ତା ଜରିଆରେ ଭୁଲ୍‌ ଖବରକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଉଛନ୍ତି, ଅଥଚ ଜାତୀୟ ମହାବିପତ୍ତି ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେଣୁ କରୋନାକୁ ନେଇ ବୁଲୁଥିବା ଖବର ଗୁଜବ କି ସତ, ତାହାକୁ ନେଇ ଲୋକେ ଦୋଛକିରେ ପଡ଼ୁଥିବା ଅଭିଯୋଗ କରୁଛନ୍ତି। ତେଣୁ ପ୍ରକୃତ ସତକୁ ସମ୍ମୁଖକୁ ଆଣିବା ପାଇଁ ମିଥ୍ୟା ଖବର ପ୍ରସାର କରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରାଯାଉଛି।

ଗତକାଲି କୁରଞ୍ଜିପୁର ପଞ୍ଚାୟତ ଇନ୍ଦୋଳ କୁସିଆ ଗାଁରେ ଏଭଳି ଏକ ଖବରକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏହି ଗାଁର ପବିତ୍ର ବିଶ୍ବାଳଙ୍କ ସ୍ତ୍ରୀ କବିତା ବିଶ୍ବାଳ(୪୧)ଙ୍କ ମୃତ୍ୟୁକୁ ନେଇ ଏହି ସ୍ଥିତି ଉପୁଜିଥିଲା। ସୂଚନାନୁସାରେ କବିତା ଉଚ୍ଚରକ୍ତ ଚାପ ଓ ମଧୁମେହ ଜନିତ ରୋଗର ପୀଡ଼ିତ ଥିଲେ। ଗତ ଗୁରୁବାର ଦିନ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କଠାରୁ ସ୍ବାବ୍‌ ଟେଷ୍ଟ ପାଇଁ ନମୁନା ନିଆଯାଇଥିଲା। ଚାରିଦିନ ପରେ ରିପୋର୍ଟ ମିଳିବା ପରେ ଚିକିତ୍ସା କରାଯିବ ବୋଲି ଡାକ୍ତର ତାଙ୍କୁ ଫେରାଇ ଦେଇଥିଲେ। ମାତ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଶୁକ୍ରବାର ଦିନ ତାଙ୍କୁ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ୨୨ଶହ ଟଙ୍କା ଡିପୋଜିଟ କରିବା ପରେ ତାଙ୍କର କେରୋନା ପରୀକ୍ଷା କରାଯାଇଥିଲା। ୬ ଘଣ୍ଟା ପରେ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ଉକ୍ତ ଘରୋଇ ମେଡିକାଲରେ ଚିକିତ୍ସା କରାଯାଇଥିଲା। ମାତ୍ର ଶନିବାର ସକାଳ ୮.୩୦ ସମୟରେ ସେହି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହକୁ ଗାଁକୁ ଆଣି ସମ୍ପର୍କୀୟଙ୍କ ସହଯୋଗରେ ସତ୍କାର କରାଯାଇଥିଲା। ତେବେ ସୋମବାର ରାତିରେ ଅର୍ଥାତ୍ କବିତାଙ୍କ ମୃତ୍ୟୁର ଦୁଇ ଦିନ ପରେ ଭୁବେନେଶ୍ବର ସରକାରୀ ମେଡିକାଲର ସ୍ବାବ୍‌ ଟେଷ୍ଟ ପରୀକ୍ଷା କେନ୍ଦ୍ରରୁ ତାଙ୍କ ସ୍ବାମୀ ପବିତ୍ରଙ୍କ ପାଖକୁ ଏକ ଫୋନ କଲ୍‌ ଆସିଥିଲା। ତାଙ୍କୁ ସତର୍କ ରହିବା ପାଇଁ ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ। କବିତାଙ୍କ ମୃତ୍ୟୁ ହୋଇ ସାରିଛି ବୋଲି ଜାଣିବା ପରେ ଫୋନ୍ କରିଥିବା ଲୋକ ଫୋନ୍‌ କାଟି ଦେଇଥିଲେ। ସେ ପ୍ରକୃତରେ ସ୍ବାବ ପରୀକ୍ଷା କେନ୍ଦ୍ରରୁ ଫୋନ୍‌ କରିଥିଲେ କି ନା, ତାହା ସ୍ପଷ୍ଟ ହୋଇନଥିଲା। ପରଦିନ ସ୍ଥାନୀୟ ଆଶାକର୍ମୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ କହିଥିଲେ। ତେଣୁ କବିତାଙ୍କ ମୃତ୍ୟୁକୁ ନେଇ ଗାଁରେ ସନ୍ଦେହ ସୃଷ୍ଟି ହେବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିଲେ।

ତେବେ ଆଜି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ମନୋରଞ୍ଜନ ହାତୀ ଏକ ଭିଡିଓ ଜାରି କରିଛନ୍ତି ଓ ଲୋକେ ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି। ପୂର୍ବରୁ ମଝିହରା ପଞ୍ଚାୟତକୁ ଏମିତି ଏକ ଫୋନ୍‌ କଲ୍ ଆସିଥିଲା ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି। ସେହିଭଳି ଭାରପ୍ରାପ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ମଧ୍ୟ ସ୍ବର୍ଗତ କବିତାଙ୍କ ବାବଦରେ କୌଣସି ସରକାରୀ ରିପୋର୍ଟ ଆସିନାହିଁ ବୋଲି କହିଛନ୍ତି। ତେଣୁ ଏବେ ଇନ୍ଦୋଳ କୁସିଆ ଗାଁ ଲୋକେ ଆଶ୍ବସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର