‘ସମ୍ବାଦ’ ପ୍ରଭାବ: ରଙ୍ଗ୍‌ରୁଟ୍‌ ଚାଳକଙ୍କୁ ପୁଲିସ୍‌ର ଅନୁକମ୍ପା ପ୍ରସଙ୍ଗ, ତଦନ୍ତ ନିର୍ଦ୍ଦେଶ ଦେଲେ ପରିବହନ ସଚିବ

ଭୁବନେଶ୍ବର: ରଙ୍ଗ୍‌ରୁଟ୍‌ରେ ଯାଉଥିବା ଜଣେ ମଦ୍ୟପ ମହିଳା କାର୍‌ ଚାଳକଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରି ଛାଡ଼ିଦେବା ଘଟଣା କମିସନରେଟ୍‌ ପୁଲିସକୁ ଅଡ଼ୁଆରେ ପକାଇଛି। ଏ ନେଇ ଗତ ୭ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ (ସଡ଼କ ପରିବହନ) ମଧୁସୂଦନ ପାଢ଼ୀ। ମଦ୍ୟପାନ କରି ରଙ୍ଗ୍‌ରୁଟ୍‌ରେ ଗାଡ଼ି ଚଳାଇବା ଧର୍ତ୍ତବ୍ୟ ଅପରାଧ। ଏଥିରେ ଚାଳକଙ୍କର ଲାଇସେନ୍ସ ବାତିଲ ହେବା ସହ ମୋଟର ଯାନ ଆଇନ ଦଫା ୧୮୫ ବଳରେ ଚାଳକଙ୍କୁ କୋର୍ଟ ଚାଲାଣ କରାଯିବା କଥା। ଏହା ବ୍ୟତୀତ ତାଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ହେବା କଥା। ହେଲେ ପୁଲିସ କେଉଁ ପରିସ୍ଥିତି‌ରେ ୫ଶହ ଟଙ୍କାର ଚାଲାଣ କାଟି ଚାଳକକୁ ଛାଡ଼ିଦେଲା ତାହାର ତଦନ୍ତ କରିବାକୁ ସେ ପୁଲିସ କମିସନରଙ୍କୁ ଚିଠି ଲେଖିଛନ୍ତି। ତା’ ସହିତ କୌଣସି ପରିସ୍ଥିତିରେ ମଦ୍ୟପ ଚାଳକଙ୍କୁ ଏଭଳି ନ ଛାଡ଼ିବାକୁ ପ୍ରତ୍ୟେକ ଥାନାକୁ ନିର୍ଦ୍ଦେଶ ଦେବାକୁ କମିସନରଙ୍କୁ ପରାମର୍ଶ ଦେଇଛନ୍ତି।

ପ୍ରମୁଖ ଶାସନ ସଚିବ (ସଡ଼କ ପରିବହନ) ମଧୁସୂଦନ ପାଢ଼ୀଙ୍କ ଏହି ଚିଠି ପହଞ୍ଚିବା ପରେ ତନାଘନା ହୋଇଛି। ମହିଳା କାର୍ ଚାଳକକୁ ପୁଣି ଥରେ ଖୋଜା ପଡ଼ିଛି। ତାଙ୍କୁ ଧରି କୋର୍ଟ ଚାଲାଣ କରିବା ସହ ଗାଡ଼ି ଜବତ କରିବାକୁ ଯୋଜନା ହୋଇଛି। ତନାଘନା ବେଳେ ଜଣାପଡ଼ିଛି କି କ୍ୟାପିଟାଲ ଥାନା ପିସିଆର ଭ୍ୟାନ୍‌ କର୍ମଚାରୀ ଏହି ଉଲ୍ଲଂଘନକାରୀଙ୍କୁ ଧରି କ୍ୟାପିଟାଲ ଥାନାକୁ ହସ୍ତାନ୍ତର କରିଥିଲେ। ତେବେ ଗୋଟିଏ ଦିନ ପରେ କ୍ୟାପିଟାଲ ଥାନା ପୁଲିସ ୫ଶହ ଟଙ୍କାର ଚାଲାଣ କାଟି ଗାଡ଼ି ଛାଡ଼ି ଦେଇଥିଲେ।

ଚିଠିରେ ସଚିବ ଶ୍ରୀ ପାଢ଼ୀ ସ୍ପଷ୍ଟ ଭାବେ ଲେଖିଛନ୍ତି, ସଡ଼କ ନିରାପତ୍ତାକୁ ନେଇ ସୁପ୍ରିମକୋର୍ଟ କମିଟି କଠୋର ହେବା ସହ ସମସ୍ତ ଜରିମାନା ଅର୍ଥକୁ ବହୁଗୁଣିତ କରାଯାଇଛି। ଓଡ଼ିଶାରେ ମଦ୍ୟପ ଚାଳକଙ୍କ ଯୋଗୁଁ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି। ୨୦୧୯ ମସିହାରେ ମଦ୍ୟପ ଚାଳକଙ୍କ ଯୋଗୁ ଓଡ଼ିଶାରେ ୧୦୬୮ ଦୁର୍ଘଟଣା ଘଟିଛି। ଏଣୁ ରାଜ୍ୟରେ ସ୍ବତନ୍ତ୍ର ନଜର ଦେଇ ଏହି ପରିମାଣ କମାଇବାକୁ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଏଣୁ ମୋଟର ଯାନ ଆଇନ ଦଫା ୧୮୫ ବଳରେ ଚାଲାଣ କାଟି ଛାଡ଼ିବାକୁ ପୁଲିସକୁ କ୍ଷମତା ଦିଆଯାଇ ନାହିଁ। ତେଣୁ କମିସନରେଟ୍‌ ପୁଲିସ ୫ଶହ ଟଙ୍କା ଚାଲାଣ କାଟି ଛାଡ଼ି ଦେବା ଗ୍ରହଣୀୟ ନୁହେଁ ବୋଲି ସେ ଲେଖିଛନ୍ତି। ମଦ୍ୟପ ଚାଳକଙ୍କୁ ଧରିବା ପାଇଁ ଯଥେଷ୍ଟ ବ୍ରେଦ୍‌ ଆନାଲାଇଜର ଆରଟିଓ ଓ କମିସନରେଟ୍‌ ପୁଲିସକୁ ଯୋଗାଇ ଦିଆଯାଇଛି। ୨୦୧୯ ସେପ୍ଟେମ୍ବରରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ ରେକର୍ଡ ପରିମାଣର(୧୦ ହଜାର) ମଦ୍ୟପ ଚାଳକ ଗିରଫ ହୋଇଛନ୍ତି। କିନ୍ତୁ କମିସନରେଟ୍‌ ପୁଲିସ‌ରେ ଏଭଳି ଏକ ଘଟଣା ଘଟିବା ଦୁର୍ଭାଗ୍ୟଜନକ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ପୂର୍ବରୁ ଏଭଳି ଅଭିଯୋଗ ଅନେକ ରହିଛି। ମୋଟର ଯାନ ଆଇନରେ ଜରିମାନା ପରିମାଣ ଅଧିକ ଥିବାରୁ ପୁଲିସ ଅନେକ ସମୟରେ ଉଲ୍ଲଂଘନକାରୀଙ୍କୁ ଅନୁକମ୍ପା ଦେଖାଇ ସହରାଞ୍ଚଳ ପୁଲିସ ଆଇନ ବଳରେ ଜରିମାନା କାଟି ଛାଡ଼ି ଦେଉଛି।

ସମ୍ବନ୍ଧିତ ଖବର