ବୁଲାବୁଲି ଓ ବଣଭୋଜିରେ ବିତିଲା ବଡ଼ଦିନ

ଏକାମ୍ର କ୍ଷେତ୍ରରେ ୩୦ହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର: ବଡ଼ ଜାକଜମକରେ କଟିଛି ବଡ଼ଦିନ। ପବିତ୍ର ଖ୍ରୀଷ୍ଟ୍‍ମାସରେ ପ୍ରଭୁ ଯୀଶୁଙ୍କୁ ଦର୍ଶନ ସାଙ୍ଗକୁ ଜନ୍ମ ବୃତ୍ତାନ୍ତ ପ୍ରତ୍ୟକ୍ଷ କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ତେବେ ସବୁଠୁ ବଳି ଯାଇଥିଲା ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଏବଂ ପର୍ଯ୍ୟଟନସ୍ଥଳୀର ଚିତ୍ର। ଛୁଟି ସାଙ୍ଗକୁ ଅନୁକୂଳ ପାଗ ଯୋଗୁଁ ବୁଲାବୁଲି ଓ ବଣଭୋଜି ଖୁବ୍‌ ଜମିଥିଲା। ମନ୍ଦିର, ପାର୍କ, ପର୍ଯ୍ୟଟନସ୍ଥଳୀରେ ଯେମିତି ମେଳା ଲାଗିଥିଲା। ଏକାମ୍ର କ୍ଷେତ୍ର ଖୁବ୍‌ ଚଳଚଞ୍ଚଳ ଥିଲା। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ୩୦ ହଜାରରୁ ଊର୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସକାଳ ସାଢ଼େ ୮ଟାରୁ ମହାପ୍ରସାଦ ଉପଲବ୍ଧ ହୋଇଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଏବଂ ବାସୁଦେବ ମନ୍ଦିରରେ ଅବଢ଼ା ଖାଇବା ଓ ନେବା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା। ରବି ଟକିଜ୍‌, ମାଉସୀମା ଛକ, ଲିଙ୍ଗରାଜ ମନ୍ଦିର ନିକଟରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ସେହିପରି ଆଇଜି ପାର୍କଠୁ ନେଇ ଜୟଦେବବାଟିକା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ପାର୍କରେ ଲୋକେ ଭିଡ଼ ଜମାଇଥିଲେ। ସେହିଭଳି ଖଣ୍ଡଗିରି ଓ ଉଦୟଗିରିକୁ ୫ହଜାରରୁ ଊର୍ଧ୍ୱ ପର୍ଯ୍ୟଟକ ଆସିଥିବା ବେଳେ ଜୟଦେବ ବାଟିକା ଉଦ୍ୟାନରେ ୨୧୪୯ ଜଣ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଧଉଳିରେ ମଧ୍ୟ ୫ହଜାରରୁ ଊର୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ଶିଖରଚଣ୍ଡୀ, ବଟାନିକାଲ୍‌ ଗାର୍ଡେନ୍‌ରେ ବଣଭୋଜି ପାଇଁ ଭିଡ଼ ଜମେଇଥିଲେ। ତେବେ ଅପରାହ୍‌ଣରେ ରାଜଧାନୀର ବିଭିନ୍ନ ପାର୍କରେ ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ବଡ଼ଦିନ ପର୍ବ ଛୁଟି ସାଙ୍ଗକୁ ପାର୍କରେ ସାଙ୍ଗସାଥୀଙ୍କ ସହ ବୁଲାବୁଲିରେ ସମୟ କାଟିଥିଲେ ବହୁ ଯୁବବର୍ଗ।

ନିରାଶ କଲା ପ୍ଲାନେଟାରିୟମ, ସଂଗ୍ରହାଳୟ
ସୋମବାରରେ ନନ୍ଦନକାନନ ବନ୍ଦ ରହୁଥିଲେ ହେଁ ବଡ଼ଦିନ ଓ ନୂୂଆବର୍ଷ ସୋମବାର ପଡ଼ୁଥିବାରୁ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଏହାକୁ ଖୋଲା ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ରାଜ୍ୟର ଅନ୍ୟ ଦୁଇଟି ଆକର୍ଷଣୀୟ ସ୍ଥାନ ରାଜ୍ୟ ସଂଗ୍ରହାଳୟ ଏବଂ ପଠାଣି ସାମନ୍ତ ପ୍ଲାନେଟାରିୟମ ବିଭାଗୀୟ କର୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ସୋମବାର ଖୋଲିପାରିନାହିଁ। ବିଡ଼ମ୍ବନା ଏହି ଯେ, ଗତ ୩୦ ବର୍ଷ ଭିତରେ ଯେବେ ବି ବଡ଼ଦିନ କି ନୂଆବର୍ଷର ପ୍ରଥମଦିନ ସୋମବାର ପଡ଼େ ସେଦିନ ପ୍ଲାନେଟାରିୟମ ଖୋଲା ରହେ। ସଂପୃକ୍ତ ଦିନ ମଧ୍ୟ ସବୁଠୁ ଅଧିକ ୧୫ଟି ସୋ’ ହେଉଥିବା ବେଳେ ୨ହଜାରରୁ ଊର୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହୁଏ। ମାତ୍ର ଚଳିତ ବର୍ଷ ପ୍ଲାନେଟାରିୟମ ବନ୍ଦ ଥିବାରୁ ବହୁ ପର୍ଯ୍ୟଟକ ସୋ’ ଦେଖିବାକୁ ଆସି ନିରାଶ ହୋଇଥିଲେ। ସେହିଭଳି ଆର୍‌ଏମ୍‌ଏନ୍‌ଏଚ୍‌ ମଧ୍ୟ ବନ୍ଦ ରହିଥିଲା।

ପ୍ରେମୀଯୁଗଳଙ୍କୁ ଅସାମାଜିକ ଯୁବକଙ୍କ କମେଣ୍ଟ୍‌ ଓ ମାଡ଼

ଖଣ୍ଡଗିରି: ବଡ଼ଦିନରେ ବୁଲିବାକୁ ଆସିଥିବା ପ୍ରେମୀଯୁଗଳ ଆଜି ଖଣ୍ଡଗିରିରେ ସ୍ଥାନୀୟ ଅସାମାଜିକ ଯୁବକମାନଙ୍କ ନିର୍ଯାତନାର ଶିକାର ହୋଇଛନ୍ତି। କମେଣ୍ଟ ପରେ ସେମାନଙ୍କୁ ମାଡ଼ ମରାଯାଇଛି। ପରେ ପୁଲିସ ଏହି ବଦ୍‌ମାସମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଧରି ଥାନାରେ ବସାଇଥିଲେ ମଧ୍ୟ ପରେ ମାମଲାର ଆପୋସ ସମାଧାନ ହୋଇଥିବା ସୂଚନା ମିଳିଛି। ସୂଚନାନୁସାରେ ଦୁଇ ଜଣ ଯୁବକ ସେମାନଙ୍କ ବାନ୍ଧବୀଦ୍ୱୟଙ୍କୁ ଧରି ଖଣ୍ଡଗିରି ବୁଲି ଆସିଥିଲେ। ସେମାନେ ଏକ ନିଛାଟିଆ ସ୍ଥାନରେ ବସିଥିବାବେଳେ ସ୍ଥାନୀୟ ୪/୫ଜଣ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ। ତେଣୁ ଯୁବକ ଦ୍ୱୟ ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ମାଡ଼ ମାରିଥିଲେ। ଏମିତିକି ଯୁବତୀ ଦ୍ୱୟ ପ୍ରତିରୋଧ କରିବାରୁ ସ୍ଥାନୀୟ ଯୁବକମାନେ ସେମାନଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣଙ୍କୁ ଧରି ଥାନାକୁ ଆଣିଥିଲା। କିନ୍ତୁ ପରେ ମାଡ଼ ଖାଇଥିବା ଯୁବକ କିମ୍ବା ଯୁବତୀମାନେ ଅଭିଯୋଗ ନ କରି ମାମଲାର ଆପୋସ ସମାଧାନ କରିଥିଲେ।

 

ସମ୍ବନ୍ଧିତ ଖବର