ବଡ଼ଦିନ ପୂର୍ବରୁ ରେକର୍ଡ ଟିକେଟ ବିକ୍ରି

ନନ୍ଦନକାନନ ବୁଲିଲେ ୪୪ ହଜାରରୁ ଊର୍ଧ୍ୱ ପର୍ଯ୍ୟଟକ

ବାରଙ୍ଗ: ବଡ଼ଦିନ ଅବ୍ୟବହିତ ପୂର୍ବରୁ ଆଜି ରବିବାରରେ ୪୪ହଜାରରୁ ଅଧିକ ପର୍ଯ୍ୟଟକ ନନ୍ଦନକାନନନ ପରିଦର୍ଶନ କରିଛନ୍ତି। ଅର୍ଥାତ ନନ୍ଦନକାନନର ବିଗତ ୨୪ ବର୍ଷର ରେକର୍ଡ ଭଙ୍ଗ କରି ଆଜି ଡିସେମ୍ବର ୨୪ ତାରିଖ ନୂଆ ରେକର୍ଡ ସୃଷ୍ଟି କରିଛି। ସମ୍ଭବତଃ ବଡ଼ଦିନ ସୋମବାରରେ ପଡ଼ିଥିବାରୁ ଦିନକ ପୂର୍ବରୁ ନନ୍ଦନକାନନରେ ବଡ଼ଦିନର ମଜା ନେବାକୁ ଏତେ ଅଧିକ ପର୍ଯ୍ୟଟକଙ୍କ ସମାଗମ ଘଟିଛି। ଆଜି କେବଳ ନନ୍ଦନକାନନରେ ୩୯୬୩୫ ଟିକେଟ୍‌ ବିକ୍ରି ହୋଇଥିବାବେଳେ ରାଜ୍ୟ ଊଦ୍ଭିଦ ଉଦ୍ୟାନରେ ୪୬୯୬ ଖଣ୍ଡ ଟିକେଟ୍‌ ବିକ୍ରି ହୋଇଛି। ଅର୍ଥାତ ମୋଟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ମିଶି ମୋଟ ୪୪୩୩୧ ପର୍ଯ୍ୟଟକ ବୁଲିଛନ୍ତି। ଯାହା ବିଗତ ବର୍ଷର ଡିସେମ୍ବର ୨୪ ଓ ୨୫ ତାରିଖର ସମସ୍ତ ରେକର୍ଡକୁ ପଛରେ ପକାଇ ସର୍ବକାଳୀନ ନୂତନ ରେକର୍ଡ ସୃଷ୍ଟି କରିଛି।

୨୦୧୫ ମସିହା ବଡ଼ଦିନରେ ୩୪ ହଜାର ୧୮୧ ଖଣ୍ଡ ଏବଂ ୨୦୧୬ ମସିହା ବଡ଼ଦିନରେ ୪୦ ହଜାର ୭୮ ଖଣ୍ଡ ଟିକେଟ ବିକ୍ରି ହୋଇଥିଲା। ଆଜି କିନ୍ତୁ ଏହି ସଂଖ୍ୟା ୪୪ ହଜାରକୁ ବି ଟପି ଯାଇଛି। ଚଳିତ ଆର୍ଥିକ ବର୍ଷରେ ନନ୍ଦନକାନନର ପର୍ଯ୍ୟଟକ ଆଗମନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ହୋଇଛି। ୨୦୧୭ ଅପ୍ରେଲ ମାସରୁ ଚଳିତ ଡିସେମ୍ବର ମାସ ମଧ୍ୟରେ ନନ୍ଦନକାନନକୁ ୧୯ ଲକ୍ଷ ୪୧ ହଜାର ୩୩୪ ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ଟିକେଟ ବିକ୍ରିରୁ ଜଣାପଡ଼ିଛି। ଆଗକୁ ଆହୁରି ୩ ମାସ ବାକି ରହିଛି ଓ ପର୍ଯ୍ୟଟନ ଋତୁ ଆଗାମୀ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଥିବାରୁ ଚଳିତ ଆର୍ଥିକ ବର୍ଷରେ ଗତ ଆର୍ଥିକ ବର୍ଷର ସର୍ବକାଳୀନ ରେକର୍ଡ ୨୦ଲକ୍ଷ ୮ ହଜାର ୬୫୭କୁ ଅତିକ୍ରମ କରିବ ବୋଲି ନନ୍ଦନକାନନ କର୍ତୃପକ୍ଷ ଆଶା ରଖିଛନ୍ତି।

ଏଥର ବଡ଼ଦିନ ଏବଂ ଆଗାମୀ ନୂଆବର୍ଷ ସୋମବାରରେ ପଡ଼ୁଛି। ତେବେ ନନ୍ଦନକାନନ ପାଇଁ ସୋମବାର ଛୁଟି ଦିବସ ହୋଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନକୁ ଆଖିରେ ରଖି କର୍ତୃପକ୍ଷ ଉଭୟ ସୋମବାର ସ୍ୱତନ୍ତ୍ର ଭାବେ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ଖୋଲା ରଖିବାକୁ ଘୋଷଣା କରିଛନ୍ତି। ଏହା ବଦଳରେ ଡିସେମ୍ବର ୨୬ ତାରିଖ ଓ ଜାନୁଆରି ୨ ତାରିଖ ଉଭୟ ମଙ୍ଗଳବାରରେ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ବୋଲି ଉପନିର୍ଦ୍ଦେଶକ ଜୟନ୍ତ ଦାସ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର