ପୂର୍ବତନ ମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ‘ମୋ ଜୀବନ ସଂଗ୍ରାମ’ ଜୀବନ ବୃତ୍ତାନ୍ତ ଲୋକାର୍ପିତ

ରାଜନୈତିକ ବ୍ୟକ୍ତି ଆତ୍ମଜୀବନୀ ଲେଖିବା କଷ୍ଟକର

ଭୁବନେଶ୍ବର: ବରିଷ୍ଠ ରାଜନେତା, ପୂର୍ବତନ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କାଙ୍କ ଜୀବନ ବୃତ୍ତାନ୍ତ ‘ମୋ ଜୀବନ ସଂଗ୍ରାମ’ ଆଜି ଇଡକଲ ଅଡିଟୋରିୟମ୍‌ରେ ଲୋକାର୍ପିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଶେଖ ମତଲୁବ ଅଲ୍ଲୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, ରାଜନୈତିକ ବ୍ୟକ୍ତି ଆତ୍ମଜୀବନୀ ଲେଖିବା କଷ୍ଟକର। ଆଜିର ସମୟରେ ଅନେକ ବ୍ୟକ୍ତି କଣ୍ଟ୍ରାକ୍ଟ ଦେଇ ନିଜର ଆତ୍ମଜୀବନୀ ଲେଖୁଛନ୍ତି। ମାତ୍ର କାହ୍ନୁ ବାବୁଙ୍କ ଆତ୍ମଜୀବନୀ ‌ନିଜେ ଲେଖିଥିବା ଅନୁଭବ ହୁଏ। ଯାହାକି ପାଠକମାନଙ୍କୁ ଆନ୍ଦୋଳିତ କରିବ। ବାଲ୍ୟ ଜୀବନଠାରୁ ଆରମ୍ଭ କରି ରାଜନୈତିକ, ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରସଙ୍ଗରେ ଗଭୀର ଆଲୋକପାତ କରିଛନ୍ତି। ସ୍କୁଲରେ ପଢ଼ିବା ସମୟରେ ଡ୍ରାମା ଦଳର ନେତୃତ୍ବ ନେଉଥିଲେ, ଯାହାକି ପରବର୍ତୀ ସମୟରେ ଜଣେ ରାଜନୈତିକ ବ୍ୟକ୍ତି ହେବାର ଆଭାସ ଦେଇଥିଲା। ଏହାସହ ସେ ମଧ୍ୟ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି। ୧୩ଟି ପୁସ୍ତକ ‌ରଚନା କରିଛନ୍ତି, ଯାହାକି ପାଠକମାନଙ୍କ ପାଇଁ ଉପାଦେୟ ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ଆତ୍ମଜୀବନୀ ହେଉ ବା ସ୍ମୃତି ଅନୁଭୂତି ଏଥିରେ ଜଣେ ବ୍ୟକ୍ତିର କେବଳ ବାହାର ନୁହେଁ ଭିତର ଚେହେରା ଦେଖାଯାଇଥାଏ। ନେଲସନ ମାଣ୍ଡେଲାଙ୍କ ଆତ୍ମଜୀବନୀକୁ ଯେପରି ବାଇଓପିକ୍ କରାଯାଇଛି ସେହିପରି ଶ୍ରୀ ଲେଙ୍କାଙ୍କ ବାଇଓପିକ୍ ପ୍ରସ୍ତୁତ କରାଗଲେ ତାହାର ଉତ୍ତରପିଢ଼ି ପାଇଁ ଉପାଦେୟ ହୋଇପାରନ୍ତା। ଆତ୍ମ ବୃତ୍ତାନ୍ତରେ ସେ ନିଜକୁ ନିଃସଙ୍ଗ ହୋଇଯାଇଥିବା ଉଲ୍ଲେଖ କରିଛନ୍ତି। ତାଙ୍କର ଯେଉଁ ଆଦର୍ଶ ଓ ଦର୍ଶନରେ ବିଶ୍ବାସ କରନ୍ତି ‌ଏବେ ସେହିଭଳି ଲୋକ ନାହାନ୍ତି। ତେଣୁ ତାଙ୍କ ଆଦର୍ଶ ଓ ଦର୍ଶନକୁ ପାଥେୟ କରି ଯଦି ଏକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାନ୍ତା ତେବେ ଆଗାମୀ ଓଡ଼ିଶାର ଗଠନ ଦିଗରେ ଏହା ସହାୟକ ହୋଇପାରନ୍ତା ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି କହିଲେ, ଆତ୍ମଜୀବନୀ ଲେଖିବା କଷ୍ଟକର। ଗାନ୍ଧୀଜୀ ଓ ଏଲ କେ ଆଡଭାନୀଙ୍କ ଆତ୍ମଜୀବନୀକୁ ଠିକ୍ ବୋଲି ବିଚାର କରି ଆସିଛି। ସେ ସାଧାରଣ ଲୋକଙ୍କ ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ବେଳେ ଆଜିକାଲି ପାର୍ଟିତନ୍ତ୍ରର ଶାସନ ଚାଲୁଛି‌ ବୋଲି ସେ କହିଥିଲେ। ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ କହିଲେ, ଶ୍ରୀ ଲେଙ୍କା ରେଲୱେ ମନ୍ତ୍ରୀ ଥିବା ସମୟରେ ବେଶ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଯାହାକି ଆଜି ମଧ୍ୟ ଲୋକମାନେ ମନେ ପକାଉଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ, କାହ୍ନୁବାବୁ ୫୦ବର୍ଷର ରାଜନୈତିକ ଜୀବନ ଯାପନ କରିଥିବା ବ୍ୟକ୍ତି। ବିଧାୟକ, ମନ୍ତ୍ରୀଭାବେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଭୂମିକା ନିର୍ବାହ କରିଛନ୍ତି। ନିଜ ହାତରେ ସେ ନିଜକୁ ଗଢ଼ିଛନ୍ତି। ସିପିଆଇଏମ୍ ନେତା ଜନାର୍ଦ୍ଦନ ପତି କହିଲେ, ବହିରେ ବ୍ୟକ୍ତିଗତ ଜୀବନ ଅପେକ୍ଷା ରାଜନୈତିକ ଜୀବନ ସଂପର୍କରେ ଉଲ୍ଲେଖ କରିଛନ୍ତି। ଗାନ୍ଧୀଜୀଙ୍କ ଆତ୍ମଜୀବନୀ ଦେଶର ସର୍ବାଧିକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥିଲା। କାହ୍ନୁବାବୁଙ୍କ କାର୍ଯ୍ୟକଳାପ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିବ ବୋଲି ସେ କହିଥିଲେ। ପୁସ୍ତକ ସଂପର୍କରେ ଶ୍ରୀ ଲେଙ୍କା କହିଥିଲେ, ଜୀବନରେ ଯାହା ଶୁଣିଛି, ଅନୁଭବ ଓ ଅଙ୍ଗେ ନିଭେଇଛି ତାହାକୁ ସମ୍ବଳ କରି ଏହି ପୁସ୍ତକ ଲେଖିଛି। ଏଥିରେ ଆତ୍ମବଡ଼ିମାର କଥା ନାହିଁ। ପୁସ୍ତକରେ ଥିବା କିଛି ନିର୍ଦ୍ଦିଷ୍ଟ ଲେଖାକୁ ନେଇ କିଛି ବ୍ୟକ୍ତି କ୍ଷୁବ୍ଧ ହେବାର ଆଶଙ୍କା ରହିଛି। ମାତ୍ର ସେମାନଙ୍କ ପାଇଁ ମନରେ କିଛି ଅସୂୟା ଭାବ ନାହିଁ। ଅନ୍ୟାୟ ସହିତ ସାଲିସ ନ କରି ନିଜ ଉପରକୁ ବିପଦକୁ ଆଣି ଅନ୍ୟକୁ ସାହାଯ୍ୟ କରିଛି। ଆଗକୁ ଏହି ଧାରା ମଧ୍ୟ ବଜାୟ ରହିବ। ବହୁତ ଲୋକ ତୀବ୍ର ସମାଲୋଚନା କରିଛନ୍ତି ଓ ଅହଂକାରୀଭାବେ ବିବେଚନା କରିଛନ୍ତି। କିନ୍ତୁ ଜୀବନରେ କାହାର କିଛି କ୍ଷତି କରି ନ ଥିବା ଶ୍ରୀ ଲେଙ୍କା କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ନେତା ନାରାୟଣ ରେଡ୍ଡି ଓ ଆଇନଜୀବୀ ଶକ୍ତିଧର ଦାସ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅଧ୍ୟାପକ ବିଶ୍ବରଂଜନ ଓ ପଣ୍ଡିତ ପ୍ରବୋଧ କୁମାର ମିଶ୍ର ପୁସ୍ତକର ସମୀକ୍ଷା କରିଥିଲେ। ରଜନୀକାନ୍ତ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର