ଭୁବନେଶ୍ବର: ଆଜିର ଦିନରେ ସମାଜରୁ ଭଲ ମଣିଷଙ୍କ ସଂଖ୍ୟା କମିକମି ଯାଉଛି, ଯାହା ଆଦୌ ଶୁଭଙ୍କର ନୁହେଁ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଆଜି ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଲକ୍ଷ୍ମଣ ମଲ୍ଲିକଙ୍କୁ ଜଣେ ଭଲ ମଣିଷ ଭାବେ ବର୍ଣ୍ଣନା କରିଥିଲେ। କହିଥିଲେ, ତାଙ୍କ ଭଳି ମଣିଷ ଖୁବ୍ ବିରଳ। ସେ ଜଣେ କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ କିମ୍ବା ପୂର୍ବତନ ସାଂସଦ ଭାବେ ଯେତିକି ଖ୍ୟାତ ଥିଲେ, ତାଠୁ ବେଶି ପରିଚିତ ଥିଲେ ଜଗତସିଂହପୁର ମାଟିର ଜଣେ ଲଢୁଆ ନେତା ଭାବେ। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂଜ୍ୟପୂଜା ପରମ୍ପରାର ପ୍ରତୀକ। ଏଣୁ ଆସନ୍ତା ବର୍ଷଠାରୁ ଲକ୍ଷ୍ମଣ ମଲ୍ଲିକଙ୍କ ଜନ୍ମ ଉତ୍ସବ ‘କଂଗ୍ରେସ ଭବନ’ ପରିସରରେ ପାଳିତ ହେବ ବୋଲି ପିସିସି ସଭାପତି ଘୋଷଣା କରିଥିଲେ। ପୂଜ୍ୟପୂଜା ଟ୍ରଷ୍ଟର ସ୍ଥାୟୀ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ଯୋଗଦେଇ ଲକ୍ଷ୍ମଣ ମଲ୍ଲିକଙ୍କ ଦୀର୍ଘ ରାଜନୈତିକ ଜୀବନର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ‘ସୁବାର୍ତ୍ତା’ର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଛତିଶଗଡ଼ କଳିଙ୍ଗ ବିଶ୍ବବିଦ୍ୟାଳୟର କୁଳାଧିପତି ଡ. ବଦ୍ରି ନାରାୟଣ ପଟ୍ଟନାୟକ, ଆଇନଜୀବୀ ଶିବାନନ୍ଦ ରାୟ, ଇଂ. ପ୍ରଭାକର ସ୍ବାଇଁ ପ୍ରମୁଖ ଯୋଗଦେଇ ଲକ୍ଷ୍ମଣ ବାବୁ ଜଗତସିଂହପୁର ଜିଲ୍ଲାର ଜଣେ ସୁଯୋଗ୍ୟ ସନ୍ତାନ ଥିଲେ ଏବଂ ଜଗତସିଂହପୁର ମାଟି ପାଇଁ ସ୍ବର୍ଗତ ମଲ୍ଲିକଙ୍କ ହୃଦୟ କାନ୍ଦୁଥିଲା ବୋଲି କହିଥିଲେ। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ବିଷ୍ଣୁ ଚରଣ ମିଶ୍ରଙ୍କୁ ‘ଲକ୍ଷ୍ମଣ ମଲ୍ଲିକ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସୀତାବଲ୍ଲଭ ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବୀ ପ୍ରସାଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ଶ୍ରଦ୍ଧାଞ୍ଜଳି ସଭା, ଭଲ ମଣିଷଙ୍କ ସଂଖ୍ୟା କମି ଯାଉଛି: ନିରଞ୍ଜନ
/sambad/media/post_attachments/wp-content/uploads/2018/11/Untitled-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)