ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକଙ୍କ ଜୟନ୍ତୀ: ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରୁଛି ଅସହିଷ୍ଣୁତା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ପ୍ରହଲ୍ଲାଦ ମଲ୍ଲିକଙ୍କ ୯୦ତମ ଜୟନ୍ତୀ ପାଳିତ ହୋଇଛି। ପ୍ରହ୍ଲାଦ ମଲ୍ଲିକ ସ୍ମୃତି ପରିଷଦ ପକ୍ଷରୁ ଜୟଦେବ ଭବନ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍‌ ପ୍ରଫେସର ବିଜୟ ବହିଦାର ଯୋଗଦେଇ ‘ଅସହିଷ୍ଣୁତା ଓ ଗଣତନ୍ତ୍ର: ସାମ୍ପ୍ରତିକ ଧାରା’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଅସହିଷ୍ଣୁତା ଗଣତନ୍ତ୍ର ପ୍ରଧାନ ଶତ୍ରୁ। ଭାରତୀୟ ସଂସ୍କୃତି ପ୍ରତି ଏହା ବିପଦ। ଏହା ରହିଲେ ଗଣତନ୍ତ୍ର ଧ୍ବଂସ ପାଇବ। ଏହା ସାମ୍ପ୍ରତିକ ଅବସ୍ଥାରେ ଦେଶରେ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ପରିଷଦର ସମ୍ପାଦକ ଡ. ବସନ୍ତ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମାନବ ଅଧିକାର ଉଲ୍ଲଂଘନ କ୍ଷେତ୍ରରେ ନ୍ୟାୟ ପ୍ରଦାନ ପାଇଁ ସଂଗ୍ରାମ ଜାରି ରଖିଥିବା ଆଇନଜୀବୀ ପ୍ରବୀର ଦାସଙ୍କୁ ପ୍ରହ୍ଲାଦ ମଲ୍ଲିକ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ସାମ୍ବାଦିକ ଦିଲ୍ଲୀପ ବିଶୋଇ, ରାଜ୍ୟ ଖାଦ୍ୟ କମିସନ ସଦସ୍ୟା ଡ. ସିପ୍ରା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ପଦ୍ମଚରଣ ନାୟକ, ମନୀନ୍ଦ୍ର ସାମଲ, ଗିରୀଶ ପାତ୍ର, ଅମିୟ ମହାନ୍ତି, ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅଲେଖ ପଢ଼ିଆରୀ, ବୃନ୍ଦାବନ ମିଶ୍ର, ବିଷ୍ଣୁଚରଣ ମଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରୀ ମଲ୍ଲିକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଓଡ଼ିଆ ଗବେଷଣା ଓ ଅଧ୍ୟୟନ ସଂସ୍ଥା ସଦସ୍ୟ ସଚିବ ଡ. ସୁବ୍ରତ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର