୨୪ରୁ ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏକ୍ସ-ପୋ’

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଆୟୋଜନ କରିବାକୁ ଯାଉଛି ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏକ୍ସ-ପୋ’। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହଯୋଗରେ ଆସନ୍ତା ୨୪ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଏହି ଏକ୍ସ-ପୋ’ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ପରିସରରେ କରାଯିବାକୁ ସ୍ଥିର ହୋଇଛି।
ଏଥିପାଇଁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ଦକ୍ଷତା ବୃଦ୍ଧି ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହେବାକୁ ନିଷ୍ପତ୍ତି ହୋଇଛି। ସକାଳ ୯ଟାରୁ ଅପରାହ୍‌ଣ ୪ଟା ଯାଏଁ ଏହି ଏକ୍ସ-ପୋ’ ଖୋଲା ରହିବ। ଏଥିରେ ୨୦ଟି ଷ୍ଟଲ୍‌ରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌ ଓ ମ୍ୟାଟେରିଆଲ ରିକଭରି ଫାସିଲିଟି ସେଣ୍ଟର୍‌ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯନ୍ତ୍ରପାତି ସ୍ଥାନ ପାଇବ। ଏହାର ଆବଶ୍ୟକତା ଓ ବ୍ୟବହାର ନେଇ ସୂଚନା ଉପଲବ୍ଧ ହେବ। ଅଣ-ଓସାରିଆ ରାସ୍ତାରେ ପଶି ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଭଳି ବ୍ୟାଟେରିଚାଳିତ ଗାଡ଼ି ସହ ନାପ୍‌କିନ୍‌ ଇନ୍‌ସିନେଟର୍‌, ୨୦-୨୫ କିଲୋଗ୍ରାମ୍‌ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ୍‌ ବର୍ଜ୍ୟ ନିମନ୍ତେ ବେଲ୍ଟିଂ ୟୁନିଟ୍‌ ମଧ୍ୟ ଏଥିରେ ସ୍ଥାନ ପାଇବ। ରାଜ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ଆହ୍ବାନ ହୋଇଥିବାରୁ ଏହି ଏକ୍ସ-ପୋ’ ଉପାଦେୟ ହେବ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର