ଏକ୍ସ-ରେ’ ହେଲା ଅଜଗର ଅଣ୍ଡା: ସବୁ ଅଣ୍ଡା ସୁରକ୍ଷିତ ଅଛି, ଫୁଟିବାକୁ ଆହୁରି ମାସେ ଲାଗିପାରେ

ଭୁବନେଶ୍ବର/ମେଣ୍ଢାଶାଳ: ଖୋର୍ଦ୍ଧା ଗଡ଼ନିଆଳ ଗାଁରୁ ଉଦ୍ଧାର ଅଜଗର ଅଣ୍ଡାକୁ ଆଜି ଏକ ଘରୋଇ ଡାଏଗ୍ନୋଷ୍ଟିକ୍ କେନ୍ଦ୍ରରେ ଏକ୍ସ-ରେ’ କରାଯାଇଛି। ଅଣ୍ଡା ଭିତରେ ଥିବା ସାପର ଛୁଆ କେତେ ମାସର ତଥା ଅଣ୍ଡାରୁ ଛୁଆ ପଦାକୁ ବାହାରିବା ପାଇଁ ଆଉ କେତେ ଦିନ ସମୟ ଲାଗିବ, ତା’ର ପରୀକ୍ଷା ପାଇଁ ଏକ୍ସ-ରେ କରାଯାଇଥିବା ଜଣାପଡ଼ିଛି।

ଅଜଗର ଦେଇଥିବା ପ୍ରାୟ ୩୦ଟି ଅଣ୍ଡା ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଦୁଇଟି ଅଣ୍ଡାକୁ ପିମ୍ପୁଡ଼ି ନଷ୍ଟ କରିଥିବା ପ୍ରାଥମିକ ପରୀକ୍ଷାରୁ କୁହାଯାଉଛି। ପ୍ରତିଟି ଅଣ୍ଡାର ଲମ୍ବ ୧୦ସେମି ଥିବା ବେଳେ ଓସାର ୬.୭ସେମି ରହିଛି। ଯେଉଁଥିରୁ ଜଣାପଡ଼ିଛି ଯେ ପ୍ରାୟ ସମସ୍ତ ଅଣ୍ଡା ସୁରକ୍ଷିତ ରହିଛି। ଅପରପକ୍ଷରେ ଅଣ୍ଡାଗୁଡ଼ିକ ଏବେ ହଳଦିଆ ରେଞ୍ଜରେ ରହିଛି। ହଳଦିଆ ରେଞ୍ଜର କର୍ମଚାରୀ ମଧ୍ୟ ଅଣ୍ଡାର ରକ୍ଷଣାବେକ୍ଷଣ କରୁଥିବା ସୂଚନା ମିଳିଛି। ଏକ ଟପ୍‌ରେ ବାଲି, ଲକ୍ଷ୍ମଣରେଖା ଗୁଣ୍ଡ ଓ କେମିକାଲ୍ ସିଞ୍ଚନ କରାଯାଇ ଅଣ୍ଡାକୁ ସୁରକ୍ଷିତ ରଖାଯାଇଛି। ଅଣ୍ଡା ପାଖରେ ପିମ୍ପୁଡ଼ି ନ ପହଞ୍ଚିବା ପାଇଁ ଦେଶୀ ଉପାୟରେ ରସୁଣକୁ ଛେଚି ଟପ୍ ମଧ୍ୟରେ ପକାଯାଉଛି।

ଏ ନେଇ ସ୍ନେକ୍ ହେଲ୍ପ ଲାଇନ୍‌ର ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ୨୦୧୬ରେ ସମ୍ବଲପୁର ରେଢ଼ାଖୋଲ ଗସ୍ତ କରି ସେ ୨୮ଟି ଅଜଗର ଅଣ୍ଡାରୁ ୨୨ଟି ଅଣ୍ଡା କୃତ୍ରିମ ପ୍ରଣାଳୀରେ ଛୁଆ ଫୁଟାଇଥିଲେ। ସେତେବେଳେ ମଧ୍ୟ ଅଣ୍ଡା କେତେ ଦିନର ଜାଣିବା ଲାଗି ଏହି ଭଳି ପ୍ରଣାଳୀ ଆପଣାଯାଇଥିଲା। ବର୍ତ୍ତମାନ ମଧ୍ୟ ଉଦ୍ଧାର ଅଣ୍ଡା କେତେ ଦିନର ଏବଂ କେବେ ଅଣ୍ଡାରୁ ଛୁଆ ଫୁଟାଯିବ ତା’ର ପ୍ରକୃଷ୍ଟ ସମୟ ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର