ଭର୍ଚୁଆଲ୍‌ରେ ବଡ଼ଦିନ, ଜୁମ୍‌ ଆପ୍‌ରେ ସମୂହ ପ୍ରାର୍ଥନା

ଭୁବନେଶ୍ୱର: ଚଳିତ ବର୍ଷ ନିରାଡ଼ମ୍ବର ସହକାରେ ବଡ଼ଦିନ ପାଳିତ ହେବାକୁ ଯାଉଛି। ତେଣୁ ବିଶେଷ ଆୟୋଜନ ହୋଇନାହିଁ। ସେହିଭଳି ମଦର ମେରିଙ୍କ ଗୁହାଳ ମଧ୍ୟ ସଜ୍ଜିତ ହୋଇନାହିଁ। କରୋନା କଟକଣା ଯୋଗୁଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଚର୍ଚ୍ଚକୁ ଆସିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଣୁ ଚଳିତ ବର୍ଷ ଚର୍ଚ୍ଚ ପରିସରକୁ ସାଧାରଣ ସାଜସଜ୍ଜାରେ ରଖାଯାଇଛି। ତେବେ ବିଭିନ୍ନ ଚର୍ଚ୍ଚରେ ଏହି ପବିତ୍ର ପର୍ବ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି। ଜୁମ୍‌ ଆପ୍‌ରେ ସମୂହ ପ୍ରାର୍ଥନା କରାଯିବ ବୋଲି ଯୋଜନା କରାଯାଇଛି। ସେହିଭଳି ଭର୍ଚୁଆଲ୍‌ରେ ବଡ଼ଦିନର ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରସ୍ତୁତି ଚାଲିଛି।

ଚର୍ଚ୍ଚରେ ଏଭଳି କଟକଣା ଲୁଗୁ ହୋଇଥିଲେ ବି ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଘରେ ଘରେ ଏଥିପାଇଁ ଖୁସିର ମାହୋଲ୍‌ ସୃଷ୍ଟି ହୋଇଛି। ବଡ଼ଦିନରେ ଯୀଶୁଙ୍କ ଦର୍ଶନ ପାଇଁ ଏବଂ ତାଙ୍କ ଜନ୍ମ ଓ ଜୀବନର ଅମୃତବାଣୀ କାନରେ ପକାଇବା ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଛି। ଚର୍ଚ୍ଚ ପରିସର ସାଜସଜ୍ଜାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଭିତରକୁ ସୁନ୍ଦର ଭାବେ ସଜା ଯାଇଛି। ଅନ୍ୟ ପକ୍ଷରେ ବଡ଼ଦିନ ପାଇଁ ଭିନ୍ନ ଭିନ୍ନ ରାସ୍ତାରେ ରାଜଧାନୀ ଉତ୍ସବ ମୁଖର ହୋଇ ଉଠିଲାଣି। ରାଜଧାନୀର ପ୍ରମୁଖ ସପିଂ ମଲ୍‌ଗୁଡ଼ିକ ଆଲୋକମାଳାରେ ସଜେଇ ହେଲେଣି। ପିଲାମାନେ ମଧ୍ୟ ସାନ୍ତାକ୍ଲସ୍‌ର ଆଗମନ ଓ ତାଙ୍କ ଉପହାର ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିବା ପରିଲକ୍ଷିତ ହେଉଛି।

ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚ
ବଡ଼ଦିନର ବହୁ ପୂର୍ବରୁ ସତ୍ୟନଗରସ୍ଥିତ ଭିନ୍‌ସେଣ୍ଟ କ୍ୟାଥଲିକ୍‌ ଚର୍ଚ୍ଚକୁ ବେଶ୍ ସୁନ୍ଦର ଭାବେ ସଜାଇ ଦିଆଯାଏ। କିନ୍ତୁ ଏ ବର୍ଷ ଚର୍ଚ୍ଚ ପରିସରରେ କୌଣସି ସାଜ୍ଜସଜ୍ଜା ହେବ ନାହିଁ। କଟକ-ଭୁବନେଶ୍ୱର ଆର୍ଚ ବିଷପ୍‌ ଜନ୍‌ ବାର୍‌ଓ୍ୱା କହିଛନ୍ତି ଯେ ଡିସେମ୍ବର ପ୍ରଥମ ରବିବାରରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସମୟକୁ ଯୀଶୁଙ୍କ ଆଗମନ କାଳ ବୋଲି ବିଶ୍ୱାସ କରାଯାଏ। ତେଣୁ ଏହି ସମୟରେ କ୍ୟାଥ୍‌ଲିକ୍‌ ମଣ୍ଡଳୀର ଯୁବପିଢ଼ି ଘର ଘର ବୁଲି କାରୋଲ୍‌ ଗୀତ ଗାଇ ଯୀଶୁ ଧରାବତରଣ କରୁଛନ୍ତି ବୋଲି ବାର୍ତା ଦେଇଥାନ୍ତି। କିନ୍ତୁ ମହାମାରୀ କରୋନା କାରଣରୁ ଚଳିତ ବର୍ଷ ଏହା ହୋଇପାରିନାହିଁ। ଏଥର କରୋନା କଟକଣାକୁ ମାନି ସାମାଜିକ ଦୂରତା ରକ୍ଷା କରି ପ୍ରାର୍ଥନା କରାଯିବ। କୌଣସି ପ୍ରକାର ଆଡ଼ମ୍ବର କରି ଭିଡ଼କୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

ୟୁନିୟନ୍‌ ଚର୍ଚ୍ଚ ଭର୍ଚୁଆଲ୍‌ରେ ପାଳିବ ବଡ଼ଦିନ
ଖ୍ରୀଷ୍ଟମାସ ପାଳନ ପାଇଁ ୟୁନିଟ୍‌-୪ ସ୍ଥିତ ୟୁନିୟନ୍‌ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି। କରୋନା କଟକଣା ଯୋଗୁଁ ‌ବଡ଼ଦିନ ଦିନ ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ। ଚର୍ଚ୍ଚ ପରିସରର ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ନାହିଁ। ଚର୍ଚ୍ଚର ପାଳକ ରେଭ୍‌ ଆୟୁବ୍‌ ଛିଞ୍ଚାଣି କହିଛନ୍ତି ଯେ ବଡ଼ଦିନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ସମସ୍ତ କାର୍ଯ୍ୟକ୍ରମ ଭର୍ଚୁଆଲ୍‌ ମିଡିଆରେ ହେବ। ସେ ଦିନ ସକାଳ ୧୦ଟାରେ ଇଂରାଜୀରେ ଓ ଅପରାହ୍ନ ୪ଟାରେ ଓଡ଼ିଆରେ ପ୍ରାର୍ଥନା କରାଯିବା ସହ ହାଇଦ୍ରାବାଦ୍‌ର ଆଚାର୍ଯ୍ୟ ମଧୁସୂଦନ ଦାସଙ୍କ ଈଶ୍ୱରଙ୍କ ବାକ୍ୟର ରେକର୍ଡ ଉଦ୍‌ବୋଧନ ୟୁଟ୍ୟୁବ୍‌ରେ ପ୍ରସାରିତ ହେବ। ଚଳିତ ବର୍ଷ ଚର୍ଚ୍ଚରେ ଅଳ୍ପ କିଛି ଜଣଙ୍କୁ ନେଇ କାରୋଲ ଗାନ କରାଯିବ। କିନ୍ତୁ ପ୍ରତିବର୍ଷ ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ବାଇବେଲ୍‌ ମେମୋରିଭର୍ସ ପ୍ରତିଯୋଗିତା, ଭକ୍ତି ସଙ୍ଗୀତ ଓ ବାଇବେଲ କୁଇଜ୍‌ ଆଦି ପ୍ରତିଯୋଗିତାର ଆୟୋଜନ କରାଯିବ ନାହିଁ। ୨୪ ତାରିଖ ରାତି ୧୧ଟାରେ ହେଉଥିବା ସମ୍ମୁହ ପ୍ରାର୍ଥନା ଜୁମ୍‌ ଆପ୍‌ରେ ହେବ ବୋଲି ରେଭ୍‌ ଛିଞ୍ଚାଣି କହିଛନ୍ତି।

ସମ୍ବନ୍ଧିତ ଖବର