ଭୁବନେଶ୍ବର: ପଥପ୍ରାନ୍ତକୁ ଓହ୍ଲାଇ ଆସିଥିଲେ ଯମ ଓ ଚିତ୍ରଗୁପ୍ତ। କରୋନାରେ ହାହାକାର ସ୍ଥିତି ଦେଖି ଭାବ ବିହ୍ବଳ ହୋଇପଡ଼ୁଥିଲେ ମହାରାଜ। ରବୀନ୍ଦ୍ର ମଣ୍ଡପଠାରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ଏପରି କିଛି ନିଆରା ଚିତ୍ର ଓ ଚରିତ୍ର। ସତ ସତିକା ନୁହେଁ, ବରଂ ପଥପ୍ରାନ୍ତରେ ନାଟକୀୟ ଚରିତ୍ର ମାଧ୍ୟମରେ ପଥଚାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଦୁଃଖ ବଖାଣିଥିଲେ ପଥପ୍ରାନ୍ତ ନାଟୁଆମାନେ। ପଥପ୍ରାନ୍ତରେ ସାଧାରଣ ଲୋକଙ୍କୁ ସଚେତନ କରାଉଥିବା ନାଟ୍ୟକର୍ମୀମାନେ ୮ମାସ ହେଲା କାମ ନପାଇ ଦୟନୀୟ ଜୀବନ ଜିଉଁଥିବାରୁ ରାଜରାସ୍ତାକୁ ଓହ୍ଲାଇଥିଲେ। ପଥପ୍ରାନ୍ତ ନାଟକ ପରିବେଷଣ ନିମନ୍ତେ ଅନୁମତି ଦେବାକୁ ଏଭଳି ନିଆରା ଢଙ୍ଗରେ ନିରବ ନିବେଦନ କରିଥିଲା ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ।
ମହାସଂଘର ସମ୍ପାଦକ ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କ କହିବା ମୁତାବକ, ରାଜ୍ୟରେ ୧୦୦ରୁ ଅଧିକ ପଥପ୍ରାନ୍ତ ନାଟ୍ୟ ଦଳ ଥିଲେ ହେଁ ସେମାନଙ୍କ ମଧ୍ୟରୁ ପାଖାପାଖି ୭୦ଟି ଦଳ ସକ୍ରିୟ ଅଛନ୍ତି। ୨୫-୩୦ ବର୍ଷରୁ ଊର୍ଧ୍ବ ସମୟ ହେଲା ପଥପ୍ରାନ୍ତ ନାଟକ ଯୋଗୁଁ ବହୁ ସଂଖ୍ୟାରେ କଳାକାର ଉପକୃତ ହୋଇ ଆସୁଛନ୍ତି। ମାତ୍ର ୮ ମାସ ହେଲା ପଥପ୍ରାନ୍ତ ନାଟକ ହେଉନାହିଁ। ଯଦିଓ ଖୋଲା ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମର ସୁଯୋଗ ଅଛି, କିନ୍ତୁ ଏନେଇ ସରକାରୀ ବିଭାଗକୁ କୌଣସି ନିର୍ଦେଶନାମା ଆସିନଥିବାରୁ ସେମାନେ ନିଜର କାର୍ଯ୍ୟକ୍ରମ ପରିବେଷଣ ପାଇଁ ନାଟ୍ୟଦଳକୁ କାମ ଦେଉନାହାନ୍ତି। ତେଣୁ ନାଟ୍ୟକର୍ମୀମାନେ ପରିବାର ଚଳାଇବା ଦୁରୂହ ବ୍ୟାପାର ହେଲାଣି ବୋଲି ସେ କହିଛନ୍ତି। ମହାସଂଘର ସଭାପତି ଶତୃଘ୍ନ ସାମଲ୍ କହିଛନ୍ତି, ପେଟ ପୋଡ଼ିଯିବାରୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛୁ। ସରକାରଙ୍କୁ ଅନୁରୋଧ, ୧୫ ଦିନ ମଧ୍ୟରେ ପଥପ୍ରାନ୍ତ ନାଟକ ପରିବେଷଣର ସୁଯୋଗ ଦିଅନ୍ତୁ। ନଚେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/sfh654sf9h4987987sfhsfhsfhsfhsfh.jpg)