ଓଡ଼ିଶାବାସୀଙ୍କ ପ୍ରୟାସକୁ ସଲାମ୍‌ କରୁଛି: ୟାମି ଗୌତମ

ସୌନ୍ଦର୍ଯ୍ୟ ସାଙ୍ଗକୁ ଦମ୍‌ଦାର୍‌ ଅଭିନୟ ବଲିଉଡ୍‌ରେ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିଲା। କୌଣସି ଗଡ୍‌ଫାଦରଙ୍କ ହାତ ଧରି ନୁହେଁ ନିଜ ଆତ୍ମବିଶ୍ବାସ ଓ କଠିନ ଅଧ୍ୟବସାୟ ବଳରେ ସେ ସଫଳତାର ଶିଡ଼ି ଚଢ଼ିଛନ୍ତି। ପିଲା ଦିନର ପ୍ରାଶାସନିକ ଅଧିକାରୀ ହେବାର ସ୍ବପ୍ନ ‌ହୁଏତ ମଳିନ ପଡ଼ିଯାଇଛି କିନ୍ତୁ ବଲିଉଡ୍‌ରେ ଖାଲି ଯେ ଚକୋଲେଟ୍‌ ଗର୍ଲ ହୋଇ ରହିବେ ତାହା ତାଙ୍କୁ ବିଲ୍‌କୁଲ ବି ମଞ୍ଜୁର ନୁହେଁ। ଗୋଟିଏ ପରେ ଗୋଟିଏ ଆହ୍ବାନପୂର୍ଣ୍ଣ ଚରିତ୍ରରେ ଅଭିନୟ କରି ନିଜ ପ୍ରତିଭାର ପରାକାଷ୍ଠା ଦେଖାଇବାକୁ ଆଗେଇ ଆସିଛନ୍ତି। ଏହାବ୍ୟତୀତ ସମାଜସେବା ଓ ଅସହାୟଙ୍କ ସାହାଯ୍ୟ କରିବାର ମହତ ଗୁଣ ବି ତାଙ୍କ ପାଖରେ ରହିଛି। ସେଥିପାଇଁ ଆଜି ମୁମ୍ବାଇରୁ ଓଡ଼ିଶା ଚାଲି ଆସିଥିଲେ ଫନି ବିପନ୍ନଙ୍କ ସହାୟତା ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ। ସେ ଆଉ କେହି ନୁହନ୍ତି, ଫେୟାର ଆଣ୍ଡ ଲଭ୍‌ଲି ଗର୍ଲ ୟାମି ଗୌତମ। ଆଜି ସେ ଭୁବନେଶ୍ବର ଆସିଥିବା ଅବସରରେ ତାଙ୍କ ସହ ‘ସମ୍ବାଦ’ ପକ୍ଷରୁ ସସ୍ମିତା ସାହୁଙ୍କ ସ୍ବତନ୍ତ୍ର ସାକ୍ଷାତକାର।

ଆଗରୁ କେବେ ଓଡ଼ିଶା ଆସିଥିଲେ?
ଆଗରୁ ମୁଁ ୨ ଥର ଓଡ଼ିଶା ଆସିଛି। ଆଗରୁ ଭୁବନେଶ୍ବର ସବୁଜିମାରେ ଭରି ରହିଥିଲା। ଫନି ଯେ ‌ଏତେ ମାତ୍ରାରେ କ୍ଷୟକ୍ଷତି କରିଥିବ, ଟିଭିରେ ଦେଖି ଆମେ ଅନୁମାନ କରିପାରି ନଥିଲୁ। ଆଜି ଏହି ସହରକୁ ଆସି ତାହା ସ୍ବଚକ୍ଷୁରେ ଦେଖି ବହୁତ ଦୁଃଖ ଲାଗୁଛି। ଓଡ଼ିଶାବାସୀ ବହୁତ ସାହସୀ। ପୁଣି ଉଠି ଠିଆ ହେବାର ତାଙ୍କର ଏହି ପ୍ରୟାସକୁ ମୁଁ ସଲାମ୍‌ କରୁଛି।
ୟାମି ଜଣେ ପ୍ରାଶାସନିକ ଅଧିକାରୀ ହେବାକୁ ଚାହୁଁଥିଲେ, ଅଭିନେତ୍ରୀ ହେବା ପରେ ଭାବୁଛନ୍ତି କି ପ୍ର‌ାଶାସନିକ ଅଧିକାରୀ ହୋଇଥିଲେ ସମାଜସେବା ଅଧିକ ଭଲରେ କରିପାରିଥା’ନ୍ତେ?
ନା ସେମିତି କିଛି ନାହିଁ। ସାଧାରଣ ଲୋକଟିଏ ମଧ୍ୟ ସମାଜସେବା କରିପାରିବ। ନିଜ ସାଧ୍ୟ ମୁତାବକ ଟଙ୍କା ଦେଇ କିମ୍ବା ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ସମସ୍ତେ ନିଜ ନିଜ ସ୍ତରରେ ସାହାଯ୍ୟ ସହାୟତା କରିପାରିବେ। ଏଥିପାଇଁ ପ୍ରଶାସନିକ ଅଧିକାରୀ ହେବା ଜରୁରୀ ନୁହେଁ।
ଫନି ପ୍ରଭାବିତ ଓଡ଼ିଶାବାସୀଙ୍କୁ କି
ଆଶ୍ବାସନା ଦେବେ?
ପ୍ରାକୃତିକ ଦୁର୍ବିପାକ କିମ୍ବା ପ୍ରକୃତିର କରାଳ ରୂପ ଆଗରେ ଆମେ ତୁଚ୍ଛ। ଏହାକୁ ଅଟକାଇବା କିମ୍ବା ଏହାକୁ ସାମ୍ନା କରିବାର କ୍ଷମତ‌ା ବୋଧହୁଏ ଆମ ପାଖରେ ନାହିଁ। କିନ୍ତୁ ସମସ୍ତେ ଏକାଠି ହୋଇ ପରସ୍ପର ପାଇଁ ଠିଆ ହୋଇପାରିବା। ପରସ୍ପରର ଦୁଃଖ ବାଣ୍ଟିପାରିବା, ସାହାଯ୍ୟ କରିପାରିବା। ଆମେ ସେଲିବ୍ରିଟିମାନେ ବିଭିନ୍ନ ବ୍ରାଣ୍ଡ ଓ ଇଭେଣ୍ଟ୍‌ ସହ ବହୁତ ସମୟରେ ଯୋଡ଼ି ହୋଇଥାଉ। ଆଉ ଯଦି କୌଣସି ବ୍ରାଣ୍ଡ୍‌ ଲୋକଙ୍କ ମଙ୍ଗଳ ପାଇଁ କିଛି ଇଭେଣ୍ଟର ଆୟୋଜନ କରୁଛି ତେବେ ମୁଁ ତା’ ସହ ଯୋଡ଼ି ହେବାକୁ ନିହାତି ଚାହିଁବି।
ୟାମିଙ୍କୁ ଜୋତା କେତେ ପସନ୍ଦ?
ମୁଁ ଜୋତା ପିନ୍ଧିବାକୁ ବହୁତ ପସନ୍ଦ କରେ। ଅଧିକାଂଶ ସମୟ ମର୍ଣ୍ଣିଂ ୱାକ୍‌ ହେଉ କି ଏୟାର୍‌ପୋର୍ଟ ଲୁକ୍‌ ମୁଁ ଜୋତା ହିଁ ପିନ୍ଧିବାକୁ ବହୁତ ପସନ୍ଦ କରେ। ଏପରିକି ନିକଟ ଅତୀତରେ କରିଥିବା ଏକ ଅଳଙ୍କାରର ବିଜ୍ଞାପନରେ ଶାଢ଼ି ସହ ବି ମୁଁ ଜୋତା ପିନ୍ଧିଥିବା ସମସ୍ତେ ଦେଖିଥିବେ। ଜୋତା ବହୁତ ଆରାମଦାୟକ ଓ ଫ୍ୟାସନେବୁଲ୍‌ ହୋଇଥିବାରୁ ମୁଁ ପ୍ରାଥମିକତା ଦିଏ।
ଟେଲିଭିଜନ୍‌ ଧାରାବାହିକରୁ ଚଳଚ୍ଚିତ୍ର ଯାତ୍ରା କେମିତି ଥିଲା?
ଯାତ୍ରା ଶେଷ ହୋଇନି, ଜାରି ରହିଛି। ଏହାକୁ ବର୍ଣ୍ଣନା କରିବା ଏବେ ବି କଷ୍ଟ, ଆଉ ଯାତ୍ରା ଶେଷ ହେବା ପରେ ବି ଏହାକୁ ବର୍ଣ୍ଣନା କରିବା କଷ୍ଟକର ହିଁ ହେବ।
ଏତେ ଚଳଚ୍ଚିତ୍ର କରିଛନ୍ତି, କେଉଁ ଚଳଚ୍ଚିତ୍ର ୟାମିଙ୍କ ଅତି ପ୍ରିୟ?
‘ଭିକି ଡୋନର୍‌’ ଚଳଚ୍ଚିତ୍ର ମାଧ୍ୟମରେ ମୁଁ ବଲିଉଡ୍‌କୁ ପ୍ରବେଶ କରିଥିଲି। ତେଣୁ ପ୍ରଥମ ଚଳଚ୍ଚିତ୍ର ହିସାବ‌ରେ ତାହା ମୋ ପସନ୍ଦ। ‘ଉରି’ ଚଳଚ୍ଚିତ୍ର ମୋର ଚ‌କ୍‌ଲେଟ୍‌ ଓ ସୁଇଟ୍‌ ଗର୍ଲ ଭାବମୂର୍ତିକୁ ଖଣ୍ଡନ କରି ମୋ ଅଭିନୟର ପ୍ରତିଭାକୁ ପ୍ରତିପାଦିତ କରିଛି। ତେଣୁ ‘ଉରି’ ଚଳଚ୍ଚିତ୍ର ବି ମୋର ଅତି ପ୍ରିୟ।
ଯଦି କୌଣସି ବାଇଓପିକ୍‌ରେ ଆପଣ କାମ କରିବାର ସୁଯୋଗ ପାଆନ୍ତି, ତେବେ ଆପଣ କାହା ଚରିତ୍ରରେ ଅଭିନୟ କରିବାକୁ ଚାହିଁବେ?
ମୁଁ ପ୍ରସିଦ୍ଧ ଅଭିନେତ୍ରୀ ମଧୁବାଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କିମ୍ବା ମହାକାଶଚାରୀ କଳ୍ପନା ଚାୱଲାଙ୍କ ଚରିତ୍ରକୁ ନେଇ ବାଇଓପିକ୍‌ କରିବାକୁ ପସନ୍ଦ କରିବି।
ବଲିଉଡ୍‌ରେ କାହାକୁ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି?
ମୋର କେହି ଆଦର୍ଶ ନାହାନ୍ତି। ଅନେକଙ୍କୁ ନିଜ ପ୍ରେରଣା ଭାବେ ଗ୍ରହଣ କରିଛି।
ଜଣେ ଅଭିନେତ୍ରୀ ହିସାବରେ ଆପଣଙ୍କ ପାଇଁ ସବୁଠାରୁ କଷ୍ଟ କ’ଣ?
ସେଲିବ୍ରିଟିମାନଙ୍କର ବି ସାଧାରଣ ଲୋକଙ୍କ ଭଳି ଭାବପ୍ରବଣତା ରହିଛି। କିଛି ଦୁଃଖ ରହିଛି। କିନ୍ତୁ ନିଜ ଜୀବନରେ କ’ଣ ବି ଚାଲିଥାଉ ନା କାହିଁକି, କ୍ୟାମେରା ସାମ୍ନାରେ ଆମକୁ ହସି ହସି ନିଜ କାମ କରିବାକୁ ପଡ଼ିବ। ଦୁଃଖର ଗୋଟିଏ ବି ଗାର ମୁଁହରେ ନ ଦିଶିବା ଦରକାର। ତାହା ହିଁ ସବୁଠାରୁ ବେଶି କଷ୍ଟ।
ଆପଣ ବହୁ ଭାଷାରେ ଚଳଚ୍ଚିତ୍ର କରିଛନ୍ତି, ଓଲିଉଡ୍‌କୁ ଆସିବାକୁ କେବେ ଚାହିଁବେ କି?
ନିହାତି ଭାବେ ଚାହିଁବି। ଏଯାଏଁ ‌ଓଲିଉଡ୍‌ରୁ କିଛି ଅଫର୍‌ ମିଳିନି। ମି‌ଳିଲେ ନିଶ୍ଚୟ କରିବି।
ଆଗକୁ କେଉଁ ଚଳଚ୍ଚିତ୍ର ଦର୍ଶକଙ୍କୁ ଉପହାର ଦେବେ?
‘ଉରି’ର ସଫଳତା ପରେ ମୁଁ ‌ଏବେ ‘ବାଲା’ ଚଳଚ୍ଚିତ୍ର କରୁଛି। ଏହାର ସୁଟିଂ ଆରମ୍ଭ ହୋଇଯାଇଛି। ଉତ୍ତରପ୍ରଦେଶରେ ଏହାର ସୁଟିଂ ହେଉଛି। କାନ୍‌ପୁରରେ ସୁଟିଂ ସାରି ଆମେ ମୁମ୍ବାଇ ଓ ତା’ପରେ ଲକ୍ଷ୍ନୌ ଯିବୁ। ଏହି ବର୍ଷ ଶେଷ ଆଡ଼କୁ ଚଳଚ୍ଚିତ୍ର ସୁଟିଂ ଶେଷ ହେବ।

ସମ୍ବନ୍ଧିତ ଖବର