ବସ୍ତି ପିଲାଙ୍କ ମା’ ଯଶୋଦା ମେନକା

ଭୁବନେଶ୍ବର : ସେ ମହିଳା ନୁହଁନ୍ତି କି ତାଙ୍କର ଗର୍ଭଧାରଣ କରିବାର କ୍ଷମତା ବି ନାହିଁ। ଭଗବାନ୍‌ ତାଙ୍କୁ ସେ ସୁଯୋଗ ଦେଇନାହାନ୍ତି। କିନ୍ତୁ ମମତା ଡୋରିରେ ସେ ବହୁ ଗରିବ, ନିରୀହ ବସ୍ତି ପିଲାଙ୍କୁ ବାନ୍ଧି ରଖିପାରିଛନ୍ତି। ସେ ହେଲେ ଗଣପତି ବସ୍ତିରେ ରହୁଥିବା ମେନକା କିନ୍ନର। ପିଲାଟି ଦିନୁ ମା’ର ମମତା ପାଇଁ ବ୍ୟାକୁଳ ଓ ସମାଜର ତିରସ୍କାରରେ ଜର୍ଜରିତ ମେନକାଙ୍କୁ ସମୟ କଠୋର୍‌ କରିପାରିନାହିଁ। ଛୋଟ ପିଲାଙ୍କ ପ୍ରତି ସ୍ନେହ, ଦାୟିତ୍ବ ଓ ସେବା ଆଜି ତାଙ୍କୁ ୧୨ଟି ପିଲାଙ୍କ ଯଶୋଦା ମା’ ସଜାଇ ଦେଇଛି। ତାଙ୍କର ସ୍ନେହ‌ବୋଳା କଥା ପିଲାଙ୍କୁ ଭାରି ଭଲ ଲାଗେ। ତାଙ୍କ ସହ ସମୟ ଅତିବାହିତ କରିବା ପାଇଁ ବି ପିଲାମାନେ ଭାରି ଉତ୍ସୁକ ଥାଆନ୍ତି।

କରୋନା ସମୟରେ ବସ୍ତି ପିଲାମାନେ ସ୍କୁଲଠାରୁ ଦୂରେଇ ଯାଇଥିଲେ। ବାପା, ମା’ ମଧ୍ୟ ସେମାନଙ୍କର ଉଚିତ ଲାଳନ ପାଳନ କରିପାରୁ ନଥିଲେ। ଏହା ଦେଖି ମେନକା ଆଗେଇ ଆସିଥିଲେ ଓ ଛୋଟ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ସହ ପାଠ ପଢ଼ାଇଥିଲେ। ତାଙ୍କର ଏହି ଭଲ ପାଇବା ପାଇଁ ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ମା’ ବୋଲି ଡାକୁଛନ୍ତି। ମେନକା କହନ୍ତି, ସବୁ ଦିନ ପିଲାଙ୍କ ସହ କିଛି ସମୟ ବିତାଇବା ଦ୍ବାରା ତାଙ୍କୁ ଆତ୍ମସ‌ନ୍ତୋଷ ମିଳିଥାଏ। ପିଲାଙ୍କ ହସ, କାନ୍ଦ, ଖେଳ ଭିତରେ ସେ ନିଜର ସବୁ ଦୁଃଖକୁ ଭୁଲାଇ ଦିଅନ୍ତି। ସେ ସିନା ପିଲାଟି ବେଳୁ ମା’ର ସ୍ନେହ ପାଇନାହାନ୍ତି, କିନ୍ତୁ ଆଜି ସେ ବହୁ ପିଲା‌ଙ୍କ ମା’ ହୋଇ ସ୍ନେହ ବାଣ୍ଟୁଛନ୍ତି। ୟାଠୁ ବଳି ତାଙ୍କ ଜୀବନରେ ଆଉ କିଛି ବଡ଼ ଖୁସି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର