କରୋନା ଭୟାବହତା: ଯାତ୍ରା ମାଲିକ, ପରିଚାଳକ ସଂଘର ବୈଠକ

ଭୁବନେଶ୍ବର: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଯାତ୍ରା ପରିବେଷଣ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯିବା ପରେ ଯାତ୍ରା ପ୍ରଯୋଜକ ଓ ପରିଚାଳକ ସଂଘର ଜରୁରୀ ବୈଠକ ଖଣ୍ଡଗିରିସ୍ଥିତ କିଭା ରେସ୍ତୋରାଁ‌ରେ ଅନୁଷ୍ଠିତ ହୋଇଯାଇଛି। କରୋନାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଯାତ୍ରା ପରିବେଷଣ ବନ୍ଦ ରଖିବା ନିଷ୍ପତ୍ତିକୁ ଯାତ୍ରା ପ୍ରଯୋଜକ ଓ ପରିଚାଳକମାନେ ସମର୍ଥନ କରିଛନ୍ତି। ମାତ୍ର ଏହା ଯୋଗୁଁ ହଜାର ହଜାର କଳାକାର, କର୍ମଚାରୀ ଓ ଶ୍ରମିକ ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ସରକାର ସହଯୋଗ ଯୋଗାଇ ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ଏଥିସହ ଆସନ୍ତା ୧୮ତାରିଖରେ ଏନେଇ ଆଉ ଏକ ବୈଠକ ବସିବ ବୋଲି ସ୍ଥିର ହୋଇଛି।

ବୈଠକରେ ସଂଘର ନୂତନ ସଦସ୍ୟ ଚୟନ କରାଯାଇଥିଲା। ବରିଷ୍ଠ ଯାତ୍ରା ପ୍ରଯୋଜକ ସୁଶାନ୍ତ କୁମାର ଦାଶ ସଭାପତି ଓ ସତ୍ୟ ଜେନା ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏହି ଅବସରରେ ଭରତ ଭୂଷଣ ଦେଓ, ରବି ରାୟ, ଅନନ୍ତ ନାରାୟଣ ଧଳ, ପ୍ରମୋଦ କୁମାର ସ୍ବାଇଁ, କ୍ଷୀରୋଦ ସ୍ବାଇଁ, କିଶୋର ମିଶ୍ର, ସତ୍ୟାନନ୍ଦ ଦଳବେହେରା, ପବିତ୍ର ପାତ୍ର, ପରିଚାଳକ ମନୋଜ ନାୟକ, ମଧୁସୂଦନ ପ୍ରଧାନ, ବଙ୍କିମ ସ୍ବାଇଁ, ସୌମ୍ୟରଂଜନ ପାତ୍ର, ସୁଶାନ୍ତ ପ୍ରମୁଖ ଉପସ୍ଥିତ ରହି ଯାତ୍ରାର ସାଂପ୍ରତିକ ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏଥିସହ ସରକାରଙ୍କ ନିର୍ଦେଶ ମୁତାବକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯାତ୍ରା ବନ୍ଦ କରିବା ନିଷ୍ପତ୍ତିକୁ ସମର୍ଥନ କରୁଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର