କରୋନା ପ୍ରଭାବ: ରାତି ଅଧରେ ବନ୍ଦ ହେଲା ଯାତ୍ରା

ଭୁବନେଶ୍ବର: ‘କରୋନା’କୁ ନେଇ ସମଗ୍ର ବିଶ୍ବ ଆତଙ୍କିତ। ଏନେଇ ସରକାରୀ ସୂତ୍ରରୁ ସ‌ଚେତନ ରହିବାକୁ ବାରମ୍ବାର ଚେତାଇ ଦିଆଯାଉଛି। ଯେପରି କେହି କରୋନାରେ ଆକ୍ରାନ୍ତ ନ ହୁଅନ୍ତି, ସେନେଇ ‘ଜନଗହଳି’ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯାଇଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସଭା, ସମିତି, ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ହେଇଯାଇଛି। ସିନେମା ହଲ୍‌ଗୁଡ଼ିକ ଆଗରେ କମିସନରେଟ୍‌ ପୁଲିସ ଜାରି କରିଥିବା ନିର୍ଦେଶନାମା ମୁତାବକ, ସିନେମା ହଲ୍‌ ସାମ୍ନାରେ ନୋଟିସ ଝୁଲିଛି। ଯାତ୍ରା ବି ଏଥିରୁ ବାଦ୍‌ ପଡ଼ିନାହିଁ। ଗତକାଲି ରାତିରେ ସ୍ଥାନୀୟ ପୁଲିସ ଯାଇ ବିଭିନ୍ନ ସ୍ଥାନରେ ଚାଲିଥିବା ଯାତ୍ରାକୁ ଅଧ ରାତିରେ ବନ୍ଦ କରିଛି। ଏବେ ମେଳଣର ଋତୁ ଚାଲିଥିବାରୁ ଅଧିକାଂଶ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା। ପ୍ରତି ରାତିରେ ସେଠାରେ ହଜାର ହଜାର ଦର୍ଶକ ବସି ଯାତ୍ରା ଉପଭୋଗ କରୁଥିଲେ। ଯଦିଓ ଯାତ୍ରା ପରିବେଷଣ ନେଇ ସେମିତି କୌଣସି ନିର୍ଦିଷ୍ଟ ନିର୍ଦେଶନାମା ଜାରି ହୋଇନଥିଲା, ତେବେ ପୁଲିସ ପ୍ରଶାସନ ଯାତ୍ରା ବନ୍ଦ କରିଛି। ଭୁବନେଶ୍ବରରେ କିଛି ଯାତ୍ରା ପାର୍ଟିର ଯାତ୍ରା ବନ୍ଦ କରାଯାଇଥିଲା। ଫଳରେ ରାତିରେ ଲୋକେ ଅଧା କାହାଣୀ ଦେଖି ଘରକୁ ଫେରିଥିଲେ।
କିଛି ଯାତ୍ରା କଳାକାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଅଧ ରାତିରେ ନାଟକ ଅଧାରେ ପହଞ୍ଚିଥିବା ବ‌େଳେ ନାଟକ ବନ୍ଦ କରାଯାଇଥିଲା। ଏଥିସହ ଯେଉଁଠି ଆହୁରି ୩-୪ଦିନ ନାଟକ ଚାଲିବାର ଥିଲା, ସେଠାରେ ନାଟକ ପରିବେଷଣରେ ରୋକ ଲାଗିଛି। ଏନେଇ ଖଣ୍ଡଗିରି ଯାତ୍ରା କମିଟି ପକ୍ଷରୁ ଗତକାଲିଠାରୁ ଅଭିଯୋଗ ହୋଇଥିଲା ଯେ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇ ଯଦି ସିନେମା ହଲ୍‌ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଗଲା, ତେବେ ଯାତ୍ରା ପରିବେଷଣ କାହିଁକି ବନ୍ଦ ହେବ ନାହିଁ? କମିଟିର କର୍ମକର୍ତା କୃଷ୍ଣଚନ୍ଦ୍ର ଜେନା, ନୃସିଂହ ପ୍ରସାଦ ସୁନ୍ଦରାୟ, ଅକ୍ଷୟ ପଟ୍ଟନାୟକ, ଦିନବନ୍ଧୁ ଜେନା, ଚତୁର୍ଭୁଜ ମାଝି, ବାନାମ୍ବର ହାଟୁଆ ଓ ରଘୁନାଥ ମହାନ୍ତି ଏ ବାବଦରେ ଆଲୋଚନା କରିବା ପରେ ଯାତ୍ରା ପରିବେଷଣ ବନ୍ଦ ରଖିବା ପାଇଁ ଦାବି ଉଠାଇଥିଲେ।

କମିଟିର କର୍ମକର୍ତାଙ୍କ ସୂଚନା ମୁତାବକ, ସଂପ୍ରତି ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ପୁରୀ, ଖୋର୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦିରେ ବହୁ ଯାତ୍ରା ପାର୍ଟି ଯାତ୍ରା ମଞ୍ଚସ୍ଥ କରୁଥିଲେ। କିଛି ସ୍ଥାନରେ ମେଳଣରେ ମୁକ୍ତାକାଶ ଯାତ୍ରା ମଞ୍ଚସ୍ଥ ହେଉଥିବା ବେଳେ କେତେକ ସ୍ଥାନରେ ଟିକେଟ୍‌ କାଟି ଦର୍ଶକ ଯାତ୍ରା ଦେଖିବାକୁ ସମାଗମ ହେଉଥିଲେ। ଅନେକ ସ୍ଥାନରେ ଯାତ୍ରା ପରିବେଷଣ ରାତି ଅଧରେ ବନ୍ଦ କରାଯାଇଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ ଏନେଇ ଯାତ୍ରା କମିଟିମାନଙ୍କୁ ଯାତ୍ରା ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି। ଗୋଟେ ଯାତ୍ରା ପଡ଼ିଆରେ ଅଢ଼େଇ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେଉଛି। ଯେହେତୁ ସରକାର ଜନଗହଳି ଏଡ଼ାଇବା ପାଇଁ ନିର୍ଦେଶନାମା ଜାରି କରିଛନ୍ତି, ତେଣୁ ଯାତ୍ରାପ୍ରେମୀ ଦର୍ଶକ ଓ ଯାତ୍ରା ପରିଚାଳକ ମଧ୍ୟ ଏହାକୁ ଗୁରୁତ୍ବ ଦେବାକୁ ଖଣ୍ଡଗିରି ଯାତ୍ରା କମିଟି ଦାବି କରିଛି। କୌଣସି ଜାଗାରେ ଯାତ୍ରା ପରିବେଷଣ ପୂର୍ବରୁ ଯାତ୍ରା ଦଳକୁ ପ୍ରାୟ ୬ ମାସ କିମ୍ବା ବର୍ଷେ ଆଗରୁ ୫୦ ପ୍ରତିଶତ ବଇନା ଦେବାକୁ ପଡ଼ୁଥିବାରୁ କିଛି କମିଟି ମଧ୍ୟ ଏନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏକ ଯାତ୍ରା ଦଳ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଯାତ୍ରା ୧୮ ଦିନ ବନ୍ଦ ରହିବାକୁ ଥିବାରୁ ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଆଗକୁ ପୁଣି ବିଭିନ୍ନ ସ୍ଥାନରେ ବଡ଼ ବଡ଼ ମେଳଣ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଲୋକଙ୍କ ସମାଗମ ମଧ୍ୟ ହେବାକୁ ଯାଉଛି। ତେଣୁ ଅନ୍ତତଃ ଜନସାଧାରଣ ଏ ଦିଗରେ ସ୍ବତଃ ଆଗେଇ ଆସି ଜନଗହଳି ନକରିବା ଉଚିତ୍‌ ବୋଲି ଖଣ୍ଡଗିରି ଯାତ୍ରା କମିଟିର ନୃସିଂହ ପ୍ରସାଦ ସୁନ୍ଦରାୟ କହିଛନ୍ତି। ନୂଆପଲ୍ଲୀ ବେହେରା ସାହିରେ ଦୋଳ ମହୋତ୍ସବ ପରିପ୍ରେକ୍ଷୀରେ ଯାତ୍ରା ମଂଚସ୍ଥ ହେବା ପାଇଁ ବ୍ୟବସ୍ଥା ହୋଇ ସାରିଥିଲେ ହେଁ କେବଳ ଯଜ୍ଞ କାର୍ଯ୍ୟରେ ମହୋତ୍ସବ ସୀମିତ ରହିବ ବୋଲି ପୂର୍ବତନ କର୍ପୋରେଟର ତଥା ନୂଆପଲ୍ଲୀ ବେହେରା ସାହି ରାଧାମୋହନ ଉନ୍ନୟନ କମିଟି ସଭାପତି ନବକିଶୋର ବେହେରା କହିଛନ୍ତି। ଅନ୍ୟମାନେ ମଧ୍ୟ ସରକାରଙ୍କର ଏହି ସତର୍କତା ଧାରାରେ ସ୍ବତଃ ସହଯୋଗ ଯୋଗାଇ ଦେବାକୁ ଆଗେଇ ଆସନ୍ତୁ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର