ରାଜଧାନୀରେ ‘ଯବାନ’ କ୍ରେଜ୍‌: ଆଜି ଚାଲିବ ୯୦ଟି ସୋ’

ଭୁବନେଶ୍ବର: ସାରା ଦେଶରେ ଏବେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍ ଖାନ୍‌ଙ୍କ କ୍ରେଜ୍‌। ରାଜଧାନୀ‌ ଭୁବନେଶ୍ବର ବି ଏଥିରୁ ବାଦ୍‌ ପଡ଼ିନାହିଁ। ଗତ ଜାନୁଆରିରେ ଶାହରୁଖ୍‌ଙ୍କ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଠାନ୍‌’ର ରେକର୍ଡ ଭଙ୍ଗା ପ୍ରଦର୍ଶନ ପରେ ପୁଣି ପ୍ରେକ୍ଷାଳୟକୁ ଆସିଛି ତାଙ୍କ ଚଳଚ୍ଚିତ୍ର ‘ଯବାନ’। ଏନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଗତକାଲି ରାତି ୨ଟାରେ ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ଆଦି ସହରରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା। ଏଥିସହ ଆଜି ସକାଳୁ ଦେଶବିଦେଶର ବିଭିନ୍ନ ସିନେମା ହଲ୍‌ରେ ‘ଯବାନ’ ମୁକ୍ତିଲାଭ କରିବା ସହ ସାମାଜିକ ଗଣମାଧ୍ୟମରେ ଏନେଇ ଦିନତମାମ୍‌ ଚର୍ଚ୍ଚା ଜାରିରହିଛି। ପ୍ରଥମ ଦିନରେ ଚଳଚ୍ଚିତ୍ରକୁ ୧୦ରୁ ୮.୯ ଷ୍ଟାର୍‌ ରେଟିଂ ମିଳିଛି।

ଆଜି ରାଜଧାନୀର ସିନେପଲିସ୍‌, ମହାରାଜା, ସ୍ବାତୀ ସିନେପ୍ଲେକ୍ସ, ଆଇନକ୍ସ ଭବାନୀ ମଲ୍‌, ଆଇନକ୍ସ ଡିଏନ୍‌ ରେଗାଲିଆ, ଆଇନକ୍ସ ସିମ୍ଫୋନି ମଲ୍‌, କେଶରୀ ଓ ସ୍ତୁତି ସିନେପ୍ଲେକ୍ସ ଆଦିରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇଥିଲା। ମହାରାଜା, ସ୍ବାତୀ ସିନେପ୍ଲେକ୍ସ, କେଶରୀ ଓ ସ୍ତୁତି ସିନେପ୍ଲେକ୍ସ ଆଦିରେ ‘ଯବାନ୍‌’ର ଗୋଟିଏ ଲେଖାଏ ସୋ’ ପ୍ରଦର୍ଶିତ ହୋଇଥିବା ବେଳେ ସିନେପଲିସ୍‌ରେ ୫ଟି, ଆଇନକ୍ସ ଭବାନୀ ମଲ୍‌ରେ ୩ଟି, ଆଇନକ୍ସ ଡିଏନ୍‌ ରେଗାଲିଆରେ ୪ଟି ଓ ଆଇନକ୍ସ ସିମ୍ଫୋନି ମଲ୍‌ରେ ୩ ଲେଖାଏ ସୋ’ ପଡ଼ିଥିଲା। ସମସ୍ତ ସୋ’ ହାଉସ୍‌ଫୁଲ୍‌ ମଧ୍ୟ ଥିଲା। ଶ୍ରୀୟା ହଲ୍‌ର ମ୍ୟାନେଜର୍‌ ରବୀନ୍ଦ୍ର ସାହୁ କହିଛନ୍ତି, ଆଜି ଓପନିଂ ଡେ’ରେ ସୋ’କୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ଖୁବ୍‌ ଭଲ ରହିଛି। ଆସନ୍ତା ୩ ଦିନ ମଧ୍ୟ ଚଳଚ୍ଚିତ୍ରଟି ଖୁବ୍‌ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ମୁଖ୍ୟତଃ ଏହା ଏକ ଆକ୍ସନ ଚଳଚ୍ଚିତ୍ର ହୋଇଥିବାରୁ ଦର୍ଶକଙ୍କ ମଧ୍ୟରେ ଏ ନେଇ କ୍ରେଜ୍ ରହିଛି। ପୁଣି ଏହା ଶାହରୁଖ୍‌ଙ୍କ ଚଳଚ୍ଚିତ୍ର ହୋଇଥିବାରୁ ଏହା ବକ୍ସ ଅଫିସ୍‌ରେ ନୂଆ ଏକ ରେକର୍ଡ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି। ତେବେ ସପ୍ତାହନ୍ତ ପରେ ସୋମବାରରେ ଚଳଚ୍ଚିତ୍ରର ପ୍ରଦର୍ଶନ, ଏହି ଚଳଚ୍ଚିତ୍ର କେତେ ଚାଲିବ ତାହା ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ‘ଯବାନ’ର କ୍ରେଜ୍‌ ହଲ୍‌ଗୁଡ଼ିକରେ ପ୍ରଦର୍ଶିତ ହେବାକୁ ଥିବା ସୋ’ ସଂଖ୍ୟାରୁ ଅଧିକ ସ୍ପଷ୍ଟ ଜାଣିହେବ। ଆସନ୍ତାକାଲି ରାଜଧାନୀରେ ‘ଯବାନ’ର ୯୦ଟି ସୋ ପଡ଼ିବାକୁ ଯାଉଛି। ସିନେପଲିସ୍‌ରେ ‘ଯବାନ’ର ୨୬ଟି ସୋ’ ପଡ଼ିବ। ଏଥିସହ ଆଇନକ୍ସ ଡିଏନ୍‌ ରେଗାଲିଆରେ ୧୫ଟି ସୋ’ ଏବଂ ଆଇନକ୍ସ ଭବାନୀ ମଲ୍‌ ଓ ଆଇନକ୍ସ ସିମ୍ଫୋନି ମଲ୍‌ରେ ୧୩ଟି ଲେଖାଏ ସୋ’ ପଡ଼ିବ। ପୁଣି ମହାରାଜା, ସ୍ବାତୀ ସିନେପ୍ଲେକ୍ସ, କେଶରୀରେ ୬ଟି ଲେଖାଏ ସୋ’ ଏବଂ ସ୍ତୁତି ସିନେପ୍ଲେକ୍ସରେ ୫ଟି ସୋ’ ପ୍ରଦର୍ଶିତ ହେବ। ପୁଣି ଆଡ୍‌ଭାନ୍ସ ବୁକିଂରେ ଏହି ସବୁ ହଲ୍‌ର ଅପରାହ୍ନ ଓ ସଂଧ୍ୟା ସୋ’ ସବୁ ବୁକିଂ ହୋଇସାରିଲାଣି। ଏହି ସଂଖ୍ୟା ଦେଖିଲେ ଶାହାରୁଖ ଖାନ୍‌ଙ୍କ ‘ଯବାନ’ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ସମସ୍ତେ ଆଶାବାଦୀ। ରେଡ୍ ଚିଲ୍ଲିଜ୍ ଏଣ୍ଟର୍‌ଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ‘ଯବାନ’ର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର। ଚଳଚ୍ଚିତ୍ରରେ ଶାହରୁଖ୍‌ ଖାନ୍‌ଙ୍କ ସମେତ ସାଉଥ୍‌ ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋଭର ଓ ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି। ସାରା ଦେଶରେ ଆଡ୍‌ଭାନ୍ସ ବୁକିଂରେ ରେକର୍ଡ କରିଛି ‘ଯବାନ’। ଚଳଚ୍ଚିତ୍ରଟି ମୁକ୍ତିଲାଭ ପୂର୍ବରୁ ୭ ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇସାରିଥିଲା। ଆଡଭାନ୍ସ ବୁକିଂରେ ସିନେମା ପାଖାପାଖି ୧୦ କୋଟି ଟଙ୍କା ରୋଜଗାର କରିଥିଲା।

ସମ୍ବନ୍ଧିତ ଖବର