ପ୍ରସ୍ତାବ ଓ ପ୍ରତିଶ୍ରୁତିରେ ବିତୁଛି ବର୍ଷ ପରେ ବର୍ଷ: ସ୍ବପ୍ନରେ ରହିଯିବ କି ବଇଁଚୁଆ ହାଇ ଲେଭେଲ୍‌ ବ୍ରିଜ୍‌?

ବାଲିଅନ୍ତା: ୨୦୦୮ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କଲାବେଳେ ଏହି ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଭିତରେ ବିତିଗଲାଣି ୮ ବ‌ର୍ଷ। ସେହିଭଳି ବିଧାୟକ ଓ ସାଂସଦ ମଧ୍ୟ ଏହି ବ୍ରିଜ୍‌ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ। ପୁଣି ବିତିଗଲାଣି ଦୁଇ ବର୍ଷ। ଏମିତି ବର୍ଷ ପରେ ବର୍ଷ ବିତିଯାଉଛି, ଅଥଚ ବ୍ରିଜ୍‌ ନିର୍ମାଣ ପାଇଁ ପାହୁଲାଟିଏ ଅନୁଦାନ ମିଳିପାରିଲା ନାହିଁ। ତେଣୁ ବ୍ରିଜ୍‌ ନିର୍ମାଣ କେବଳ ପ୍ରସ୍ତାବ ଓ ପ୍ରତିଶ୍ରୁତିରେ ଲଟକି ରହିଛି ବୋଲି କୁହାଯାଉଛି। ପ୍ରସ୍ତାବ ଫାଇଲ୍‌ କେଉଁଠି ଅଳନ୍ଦୁ ଲଗା ହୋଇପଡ଼ିଛି, ବୁଝାପଡ଼ୁନାହିଁ। ଏହା ହେଉଛି ବାଲିଅନ୍ତା ବ୍ଲକ୍‌ କୁଶଭଦ୍ରା ନଦୀ ବଇଁଚୁଆ କାଜ ନିକଟସ୍ଥ ଧନୁଆ ନଈ କାଜରେ ନିର୍ମାଣ ହେବାକୁ ଥିବା ହାଇ ଲେଭେଲ୍‌ ବ୍ରିଜ୍‌ର କାହାଣୀ। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିବାରୁ ନେତାଙ୍କ ପ୍ରତିଶ୍ରୁତି କେବଳ ଧୂଆଁବାଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଏହି ବ୍ରିଜ୍‌ ସ୍ବପ୍ନରେ ରହିଯିବ ବୋଲି ଲୋକେ କହିବା ଆରମ୍ଭ କଲେଣି। ତେଣୁ ଆଗକୁ ଏକ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି ବୋଲି ସୂଚନା ମିଳିଲାଣି।

ସୂଚନାଯୋଗ୍ୟ କୁଶଭଦ୍ରା ନଦୀରେ ବନ୍ୟା ଆସିଲେ, ବଇଁଚୁଆ କାଜ ଦେଇ ଧନୁଆ ନଈକୁ ପାଣି ଯାଏ। ଫଳରେ କାଜରେ ପ୍ରବଳ ସୁଅ ସୃଷ୍ଟି ହୁଏ ଓ ବନ୍ୟା ସମୟତକ ଯାତାୟାତ ଠପ୍‌ ହୋଇଯାଏ। ତେଣୁ କାଜ ଦେଇ ଯାତାୟତ କରୁଥିବା ବଇଁଚୁଆ, ଭିଙ୍ଗାରପୁର ଆଦି ପଞ୍ଚାୟତର ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼େ। ତେଣୁ କାଜ ଉପରେ ଏକ ହାଇ ‌ଲେଭେଲ୍‌ ବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଲୋକେ ଦାବି କରିଆସୁଛନ୍ତି। ୨୦୦୮ ମସିହାରେ ବନ୍ୟାଞ୍ଚଳଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଦାବି ଶୁଣି ଏଠାରେ ବ୍ରିଜ୍‌ ନିର୍ମାଣ ଲାଗି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଜୟଦେବ ବିଧାୟକ ଅରବିନ୍ଦ ଢାଲି ମଧ୍ୟ ଏହି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ। ଗତ ବର୍ଷ ବନ୍ୟା ପରିଦର୍ଶନ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସବୁ ପ୍ରତିଶ୍ରୁତି ସେମିତି ରହିଯାଇଛି। ଖବର ନେବାରେ ଜଣାପଡ଼ିଛି ପୁରୀ ମୁଖ୍ୟ କେନାଲ ଠାରୁ ଧବଳାହାର ପର୍ଯ୍ୟନ୍ତ ୧୮୦ ମିଟର ଲମ୍ବ ଓ ୨୫ ଫୁଟ୍‌ ଚଉଡ଼ାରେ ବ୍ରିଜ୍‌ ନିର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବ ପଠାଯାଇଛି। ପ୍ରସ୍ତାବଟି ସରକାରଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ଏ ନେଇ ସହକାରୀ ଯନ୍ତ୍ରୀ ସହଦେବ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସରକାରଙ୍କ ଦ୍ବାରା ପ୍ରସ୍ତାବ ଅନୁମୋଦନ ଲାଭ କରିବା ପରେ ବ୍ରିଜ୍ ନିର୍ମାଣ ପାଇଁ ରାସ୍ତା ଫିଟିଯିବ। ତେବେ ଜନଆନ୍ଦୋଳନ ବିନା ସରକାରଙ୍କ ନିଦ ଭାଙ୍ଗିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର